ଭୁବନେଶ୍ୱର,୨୮ । ୧୦: ସାମାନ୍ୟ ଅବହେଳା ବ୍ରେନ ଷ୍ଟ୍ରୋକ୍ (ମସ୍ତିଷ୍କାଘାତ) ବା କେବଳ ଷ୍ଟ୍ରୋକର କାରଣ ହୋଇପାରେ । ମସ୍ତିଷ୍କକୁ ରକ୍ତ ଯୋଗାଣ ବାଧାପ୍ରାପ୍ତ ହେଲେ ମସ୍ତିଷ୍କାଘାତ ହୋଇଥାଏ । ରୋଗୀର ଜୀବନ ବଞ୍ଚାଇବା ପାଇଁ ଷ୍ଟ୍ରୋକ୍ ହେବାର ସାଢ଼େ ୪ଘଣ୍ଟା ମଧ୍ୟରେ ନିକଟସ୍ଥ ଡାକ୍ତରଖାନାକୁ ନେବା ଅତ୍ୟନ୍ତ ଜରୁରୀ । ଅକ୍ଟୋବର ୨୯ ବିଶ୍ୱ ଷ୍ଟ୍ରୋକ୍ ଦିବସ ଉପରେ ସୂଚନା ଦେଇ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ତଥା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ)ର ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡା ସନ୍ତୋଷ କୁମାର ଦାଶ କହିଛନ୍ତି, ଭାରତରେ ବର୍ତ୍ତମାନ ମସ୍ତିଷ୍କାଘାତ ବୃଦ୍ଧି ପାଉଛି ଏବଂ ୧ ଲକ୍ଷ ଲୋକଙ୍କ ମଧ୍ୟରେ ପ୍ରାୟ ୧୦୦ରୁ ୧୫୦ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହା ଏକ ସାଧାରଣ ସ୍ନାୟବିକ ରୋଗ, ମସ୍ତିଷ୍କାଘାତ ହେଲେ ମୁହଁର ଆକୃତିରେ ପରିବର୍ତ୍ତନ ଓ ବାହୁରେ ଦୁର୍ବଳତା ଆଦି ଏହାର ପ୍ରାରମ୍ଭିକ ଲକ୍ଷଣ ବୋଲି ଡା ଦାଶ କହିଛନ୍ତି । ମସ୍ତିଷ୍କାଘାତ ହେବାର ସାଢ଼େ ୪ ଘଣ୍ଟାର ୱିଣ୍ଡୋ ପିରିୟଡ଼ ମଧ୍ୟରେ ରୋଗୀର ଚିକିତ୍ସା କରା ନ ଗଲେ ପରିସ୍ଥିତି ଗମ୍ଭୀର ହୋଇ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ଡା. ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ ବିଶ୍ୱ ଷ୍ଟ୍ରୋକ୍ ଦିବସର ବିଷୟବସ୍ତୁ ରହିଛି ‘ଟୁଗେଦର ଉଇ ଆର ଗ୍ରେଟର ଦାନ୍ ଷ୍ଟ୍ରୋକ୍’ । ଏଥିରେ ଉଚ୍ଚ ରକ୍ତଚାପ, ଅନିୟମିତ ହୃଦସ୍ପନ୍ଦନ, ଧୂମପାନ, ଖାଦ୍ୟ ଏବଂ ବ୍ୟାୟାମ ଭଳି ବିପଜ୍ଜନକ କାରଣର ପ୍ରତିରୋଧ ଉପରେ ଗୁରୁତ୍ୱ ଦେବାକୁ ଚେଷ୍ଟା କରାଯାଇଛି । ଉପଯୁକ୍ତ ସମୟରେ ଏହାର କାରଣଗୁଡ଼ିକର ସମାଧାନ କରିପାରିଲେ ପ୍ରାୟ ୯୦ ପ୍ରତିଶତ ଷ୍ଟ୍ରୋକକୁ ପ୍ରତିରୋଧ କରାଯାଇପାରିବ । ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ଧୂମପାନ ଓ ମଦ୍ୟପାନ ଭଳି ବଦଭ୍ୟାସଠାରୁ ଦୂରେଇ ରହିବା ଏବଂ ଖାଦ୍ୟରେ ସାଧାରଣ ଲୁଣର ବ୍ୟବହାର ସୀମିତ ରଖିବା, ରେଡ୍ ମିଟ୍, ଚିନିର କମ୍ ସେବନ ଦ୍ୱାରା ଷ୍ଟ୍ରୋକ ବିପଦକୁ ନିୟନ୍ତ୍ରଣ କରାଯାଇପାରିବ । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଷ୍ଟ୍ରୋକ ଦୂରେଇ ରଖିବାରେ ବହୁତ ସାହାଯ୍ୟ କରିପାରେ ବୋଲି ଡା. ଦାଶ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post