ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶାରେ ଗୃହ ଆବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ।

9

କେନ୍ଦ୍ରାପଡ଼ା:୧୪.୧୧(ପ୍ରଫୁଲ୍ଲ କୁମାର ମଲ୍ଲ ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶାରେ ଗୃହ ଆବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ବଲାଙ୍ଗୀରଠାରେ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ରାଜ୍ୟର ସମସ୍ତ ଜିଲ୍ଲା ସାମିଲ ହୋଇଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡଃ ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଓ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ କିଶୋର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ବଲାଙ୍ଗୀରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଯୋଗଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଡଃ ନାୟକ କହିଥିଲେ ଯେ, ଗ୍ରାମାଞ୍ଚଳର ଗରିବ, ଭୂମିହୀନ ଓ ନିଜସ୍ୱ ପକ୍କା ଘର ନଥିବା ଯୋଗ୍ୟ ପରିବାରଙ୍କୁ ଆବାସ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ପରିବାରଙ୍କ ମୌଳିକ ଆବାସ ଆବଶ୍ୟକତା ପୂରଣରେ ଏହି ଯୋଜନା ବିଶେଷ ସହାୟକ ହେବ। ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ପ୍ରଥମେ ଗ୍ରାମାଞ୍ଚଳର ବିକାଶ ଅତ୍ୟନ୍ତ ଜରୁରୀ। ତେଣୁ ପ୍ରତ୍ୟେକ ପଞ୍ଚାୟତରେ ସର୍ଭେ କରି ଯୋଗ୍ୟ ଭୂମିହୀନ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦେବା ଦିଗରେ ଅଧିକାରୀ ଓ ଜନପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀ ଆୟର ନିଜ ଅଭିଭାଷଣରେ କହିଥିଲେ ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୧,୪୨,୬୮୩ ଜଣ ହିତାଧିକାରୀଙ୍କ ଘର ସର୍ଭେ କରାଯାଇଛି। ସେଥିମଧ୍ୟରୁ ୧,୧୭,୦୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ ନିମନ୍ତେ ସ୍ଥାୟୀ ଅପେକ୍ଷାରତ ତାଲିକା (Permanent Waiting List)ରେ ସ୍ଥାନିତ କରାଯାଇଛି। ଯୋଜନାର ସୁଫଳ ଯେପରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ।
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଘର ହରାଇଥିବା ଯୋଗ୍ୟ ପରିବାରଙ୍କୁ ଆବାସ ଯୋଗାଣ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ ବୋଲି ଉଲ୍ଲେଖ କରିଥିଲେ।
ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ୍ ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଡିଓ, ଏବିଡିଓ, ପଞ୍ଚାୟତସ୍ତରୀୟ ଜନପ୍ରତିନିଧି, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଉପସ୍ଥିତ ଥିଲେ।

Leave A Reply

Your email address will not be published.