ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) :୨୭/୧୦- ବଲାଙ୍ଗୀର ଦିନ୍ ଆୟୋଜକ କମିଟି ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମୀ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଦିନ୍ ଉତ୍ସବ ଉପଲକ୍ଷେ ଶିକ୍ଷା, କୃଷି ଓ ଜଳସେଚନ ୨୦୪୦ ଶୀର୍ଷକ ଏକ ଆଲୋଚନାଚକ୍ର ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗୀର ଦିନ୍ ଆୟୋଜକ କମିଟି ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀ, ମୁଖ୍ୟ ଆଲୋଚକ ଭାବେ ସମ୍ବଲପୁର ଆଇଆଇଏମ୍ର ପ୍ରଫେସର ସୁଜିତ କୁମାର ପୃଷେଠ୍, ଆଲୋଚକ ଭାବେ ଅବସରପ୍ରାପ୍ତ ଇଞ୍ଜିନିୟର ମଗନଲାଲ ଅଗ୍ରୱାଲ, ଟିଟିଲାଗଡ ଡିଏଭି କଲେଜର ଅଧ୍ୟାପକ ଜୟଦେବ କର ଏବଂ ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର ଯୋଗଦାନ କରିଥିଲେ । ପ୍ରାରମ୍ଭରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଦୀପ ପ୍ରଜ୍ଜ୍ୱଳନ କରି ଆଲୋଚନାଚକ୍ରର ଶୁଭାରମ୍ଭ କରିଥିଲେ । ବଲାଙ୍ଗୀର ଦିନ୍ ଆୟୋଜକ କମିଟି ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ଆଭିମୁଖ୍ୟ ଏବଂ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଆଲୋଚକ ପ୍ରଫେସର ପୃଷେଠ୍ ତାଙ୍କ ବକ୍ତବ୍ୟରେ ୨୦୪୦ ମସିହା ବେଳକୁ ବଲାଙ୍ଗୀରର ଜନସଂଖ୍ୟା ବୃଦ୍ଧି ସହ ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପାଇଁ ଏବେଠୁ ପ୍ରସ୍ତୁତିର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ୨୦୨୪ ନିର୍ବାଚନ ପାଇଁ କୌଣସି ଦଳୀୟ ପ୍ରାର୍ଥୀଙ୍କ ଏଜେଣ୍ଡାକୁ ଅପେକ୍ଷା ନକରି ବୁଦ୍ଧିଜୀବୀ, ଜନସାଧାରଣ ନିଜସ୍ୱ ଏଜେଣ୍ଡା ପ୍ରସ୍ତୁତ କରନ୍ତୁ ବୋଲି ସେ କହିଥିଲେ । ବଲାଙ୍ଗୀର ମ୍ୟୁନିସିପାଲିଟି କିଭଳି ୨୦୪୦ ମସିହାରେ ନିଜ ଲୋକଙ୍କୁ ସେବା ଯୋଗାଇବ ସେଦିଗରେ ଏବେଠୁ ଉଦ୍ୟମ ଏବଂ କାର୍ଯ୍ୟ ଆରମ୍ଭ ହେକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଆଲୋଚକ ଅଧ୍ୟାପକ କର ତାଙ୍କ ବକ୍ତବ୍ୟରେ ବଲାଙ୍ଗୀରର ଇତିହାସ କିଭଳି ସମୃଦ୍ଧ ଥିଲା ସେ ଉପରେ କହିଥିଲେ । ଆଗାମୀ ଦିନରେ ଶିକ୍ଷାର ସ୍ତର ଉନ୍ନତି ଦିଗରେ ଏକ ସମନ୍ୱିତ ଉଦ୍ୟମ ଉପରେ ସେ କହିଥିଲେ । ଅନ୍ୟତମ ଆଲୋଚକ ଇଂ ଅଗ୍ରୱାଲ ବଲାଙ୍ଗୀର ଜିଲାର କୃଷି ଏବଂ ଜଳସେଚନ ପାଇଁ କ’ଣ ଭିତ୍ତିଭୂମି ରହିଛି ସେ ଦିଗରେ କହିଥିଲେ । ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପ କିଭଳି ବିଳମ୍ବ ହେଲା ଏବଂ ଆଗକୁ କିଭଳି କୃଷି ଏବଂ ଜଳସେଚନ କାର୍ଯ୍ୟ ତ୍ୱରାନ୍ୱିତ ହେବ କହିଥିଲେ । ଅନ୍ୟତମ ଆଲୋଚନ ଶ୍ରୀ ଝାଙ୍କର ତାଙ୍କ ବକ୍ତବ୍ୟରେ ବଲାଙ୍ଗୀର ଜିଲାର ୬ଟି ନଦୀ ଉପରେ ଛୋଟ ଆନିକଟ, ପାରମ୍ପରିକ ଜଳଉତ୍ସ, ବୈଷୟିକ ଜ୍ଞାନ କୌଶଳର ସଫଳ ବିନିଯୋଗ ଉପରେ କହିଥିଲେ । ଲୋୟର ସୁକ୍ତେଲ ପ୍ରକଳ୍ପର ବିଳମ୍ବ ଏବଂ ଜିଲାର ଅନ୍ୟ ଜଳସେଚନ ପ୍ରକଳ୍ପକୁ ଗୁରୁତ୍ୱ ନଦେବାରୁ କିଭଳି ଜିଲାର କୃଷି ଓ କୃଷକ ପ୍ରଭାବିତ ହୋଇଛନ୍ତି କହିଥିଲେ । ମୁଖ୍ୟଅତିଥି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ତାଙ୍କ ବକ୍ତବ୍ୟରେ ମ୍ୟୁନିସିପାଲିଟିର ଆଗାମୀ ଲକ୍ଷ୍ୟ ଏବଂ ପ୍ରସ୍ତୁତି ସମ୍ପର୍କରେ କହିଥିଲେ । ସଭାପତୀୟ ଅଭିଭାଷଣରେ ସଭାପତି ଅଧ୍ୟାପକ ଶ୍ରୀ କୁଅଁର ଜିଲାର ପାରମ୍ପରିକ ଜଳସେଚନ, କୃଷି ପଦ୍ଧତିକୁ ନ୍ୟୁନ୍ ମନେ କରିବା ଏବଂ ସମସ୍ତଙ୍କୁ ନନେଇ ସମୃଦ୍ଧି ଚିନ୍ତା କରିବା କିଭଳି ବିପଜ୍ଜନକ କହିଥିଲେ । ଶେଷରେ କମିଟି ସଦସ୍ୟ ବିକାଶ ସା ଧନ୍ୟବାଦ୍ ଦେଇଥିଲେ । କାର୍ଯ୍ୟକ୍ରମରେ ସମାଜସେବୀ ବିକ୍ରମାନନ୍ଦ ବହିଦାର, ସାମ୍ବାଦିକ ମନରଞ୍ଜନ ଯୋଷୀ, ନାଗରିକ କମିଟି ସମ୍ପାଦକ ମନୋରଞ୍ଜନ ସାହୁ, କଂଗ୍ରେସ ନେତା ବିଧୁଭୂଷଣ ତ୍ରିପାଠୀ, ବୁଲୁ ଦାନୀ, ଅଙ୍କିତ ସାହୁ, ଭାଜପାର ରଞ୍ଜିତ ପାଣିଗ୍ରାହୀ, ରଶ୍ମି ପାତ୍ର, ବାସନ୍ତୀ ଆଚାର୍ଯ୍ୟ, ବିନୋଦ କାଲସାଏ, ପ୍ରତାପ ଚନ୍ଦ୍ର ରଥଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post