“ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର ଅନୁଷ୍ଠିତ

0

ବାଲୁଗାଁ (ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ “ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଆନୁକୂଲ୍ୟରେ ଆଜି ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।” ପଣ୍ଡିତ ଗୋଦାବରୀଶ ମିଶ୍ର: ଜୀବନ ଓ ସୃଜନ” ଶୀର୍ଷକ ଏହି ଜାତୀୟ ପାଠଚକ୍ରକୁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସମ୍ମାନସ୍ପଦ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ମୁଖ୍ୟ ଅତିଥ୍ୟ ଭାବେ ବାଲୁଗାଁ ମହାବିଦ୍ୟାଳୟ, ପରିଚାଳନା ସମିତି ସଭାପତି ଇଞ୍ଜିନିୟର ପ୍ରବାସ କୁମାର ସୁନ୍ଦରାୟ ଯୋଗଦାନ କରିଥିବା ସ୍ଥଳେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ସଭାପତିତ୍ୱ କରିଥିଲେ। ଉଦଘାଟନ ଅଧିବେଶନରେ ଅଂଶଗ୍ରହଣ କରିଥିବା ଅତିଥିଙ୍କୁ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଝରଣା ନାଥ ଅତିଥି ପରିଚୟ ପ୍ରଦାନ କରିଥିଲେ।ପାଠଚକ୍ର ସଂଗଠନ ସମ୍ପାଦକ ଅଧ୍ୟାପକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିବା ପରେ, ବିଶ୍ବଭାରତୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ପଶ୍ଚିମବଙ୍ଗ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶରତ କୁମାର ଜେନା ମୁଖ୍ୟବକ୍ତା ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନ ଏବଂ ସୃଷ୍ଟି ସମ୍ଭାର ସମ୍ପର୍କରେ ମାର୍ମିକ ଅନୁଶୀଳନ କରିଥିଲେ। ପରେ ପରେ ଅନ୍ୟ ଦୁଇଟି ବୈଷୟିକ ଅଧିବେଶନରେ ବକ୍ତା ଡକ୍ଟର ବେଣୁଧର ଦାସ, ଡକ୍ଟର ସତ୍ୟ ଷଡ଼ଙ୍ଗୀ, ଡକ୍ଟର ଦେବୀପ୍ରସାଦ ଶତପଥୀ ପ୍ରାଧ୍ୟାପକ ରାଜକିଶୋର ସାହୁ ପ୍ରମୁଖ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସୃଜନଶୀଳ୍ପର ବିଭିନ୍ନ ଦିଗ-ଦିଗନ୍ତ ଉପରେ ସବିଶେଷ ଆଲୋଚନା କରିଥିଲେ।ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ଅଧ୍ୟାପକ ଏବଂ ଗବେଷକ ଡକ୍ଟର ପ୍ରବୀଣ କୁମାର ମିଶ୍ର, ଡକ୍ଟର ରୁଦ୍ରପ୍ରସାଦ ମିଶ୍ର, ଡକ୍ଟର ବିରଞ୍ଚିନାରୟଣ ରଥ, ଡକ୍ଟର ସତ୍ୟଜିତ୍ ଦାଶ, ଡକ୍ଟର ରଘୁନାଥ ଓଝା ଏବଂ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ ପ୍ରମୁଖ ବୈଷୟିକ ଅଧିବେଶନରେ ପାଠଚକ୍ର ସମ୍ବନ୍ଧୀୟ ସ୍ବରଚିତ ନିବନ୍ଧମାନ ଉପସ୍ଥାପନ କରିଥିଲେ।ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଡକ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ବ ସମ୍ପାଦିତ କରିଥିବା ସ୍ଥଳେ ଓଡ଼ିଆ ବିଭାଗର ଅଧ୍ୟାପକ ଧୋବିଚରଣ ପରିଡା,ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ଵାଳ ଏବଂ ଛାତ୍ରୀ ସ୍ନେହାଗୁଣୀ ନାୟକ ବିଭିନ୍ନ ଅଧ‌ିବେଶନରେ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ର-ଛାତ୍ରୀ, ସ୍ଥାନୀୟ କବି, ଗାଳ୍ପିକ, ଔପନ୍ୟାସିକ ତଥା ବହୁ ଶିକ୍ଷାବିତ୍ ଅଂଶଗ୍ରହଣ କରିବା ଦ୍ଵାରା ବାଲୁଗାଁ ମହାବିଦ୍ୟାଳୟରେ ଏକ ଅଭିନବ ଗୌରବମୟ ଅଧ୍ୟାୟ ସୃଷ୍ଟି ହୋଇପାରିଛି।

Leave A Reply

Your email address will not be published.