ଭୁବନେଶ୍ୱର,୧୭ । ୧୦: କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଓ ଦିଲ୍ଲୀସ୍ଥିତ ଆକ୍ସନ ଫର ଅଟିଜିମ୍ (ଏଏଫ୍ଏ) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ପିଲାଙ୍କ ଶିକ୍ଷା ପାଇଁ ଥିବା ସ୍ପେଶାଲ୍ ଏଜୁକେସନ୍ ନିଡ୍ସ (ସେନ୍) ବିଭାଗକୁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପରିଣତ କରିବା ଲାଗି ଏହି ବୁଝାମଣ ପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ସ୍କୁଲ୍ର ଚେୟାରପର୍ସନ ଡ. ମୋନାଲିସା ବଳ ଓ ଏଏଫ୍ଏର ପ୍ରତିଷ୍ଠାତା ମେରୀ ବରୁଆ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଶ୍ରୀ ସେଠୀ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ସେନ୍ ବିଭାଗ ପରିଦର୍ଶନ କରି ଏଠାରେ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଦିବ୍ୟାଙ୍ଗ ପିଲାଙ୍କ ପ୍ରଦର୍ଶନ ଦେଖି ଆଶ୍ଚର୍ଯ୍ୟ ହେବା ସହ ସେନ୍ର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସ୍କୁଲ୍ର ଏହି କେନ୍ଦ୍ରକୁ ବିଶ୍ୱସ୍ତରୀୟ ସେଣ୍ଟର ଅଫ୍ ଏକ୍ସ୍ଲେନ୍ସରେ ପରିଣତ କରିବାରେ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ସାମନ୍ତ କହିଲେ, ଦୟା ଓ ସମାଜର ସାମଗ୍ରିକ ବିକାଶ କ୍ଷେତ୍ରରେ କିଟ୍ ଶିକ୍ଷାନୁଷ୍ଠାନ ସମୂହ ବିଶ୍ୱସ୍ତରରେ ପରିଚିତି ଲାଭ କରିଛି। ଏହି ଅବସରରେ ଆର୍ଥିକ ସ୍ୱଚ୍ଛଳ ଦିବ୍ୟାଙ୍ଗ ପିଲାଙ୍କ ସହ କିଛି ଗରିବ ଦିବ୍ୟାଙ୍ଗ ପିଲାଙ୍କ ସେନ୍ରେ ମଧ୍ୟ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ ପାଇଁ ଆମେ ଦାୟିତ୍ୱ ନେବୁ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଏଏଫ୍ଏ ପ୍ରତିଷ୍ଠାତା ଶ୍ରୀମତୀ ବରୁଆ କହିଲେ, ନିଜେ ଜଣେ ଦିବ୍ୟାଙ୍ଗ ପିଲା ଭାବେ ବଢ଼ିବା ନେଇ ଅଭିଜ୍ଞତା ରହିଥିବା ବେଳେ ପରବର୍ତ୍ତୀ ସମୟରେ ମାନସିକ ଅନଗ୍ରସର ଓ ଦିବ୍ୟାଙ୍ଗ ପିଲା ଓ ସେମାନଙ୍କ ଅଭିଭାବକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେ ଏହି ଅନୁଷ୍ଠାନ ଗଢ଼ିଛନ୍ତି। ଏହି ପିଲାଙ୍କ ଦାୟିତ୍ୱ ନେବାରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଅନନ୍ୟ ବୋଲି ସେ କହିଥିଲେ। ଏହି ଅବସରରେ ସ୍କୁଲ୍ର ଚେୟାରପର୍ସନ ଡ. ବଳ ସେନ୍ ବିଭାଗରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱତନ୍ତ୍ର ତାଲିମଦାତା ଓ ପିଲାଙ୍କ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ୨୦୧୪ରେ ଆରମ୍ଭ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲରେ ମାତ୍ର ୭ଜଣ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ପିଲା ତଥା ୧୫ଜଣ ପ୍ରଶିକ୍ଷକଙ୍କୁ ନେଇ ଆରମ୍ଭ ହୋଇଥିବା ସେନରେ ଆଜି ୧୫୦ ଛାତ୍ରଛାତ୍ରୀ ଥିବା ବେଳେ ୫୫ଜଣ ସ୍ୱତନ୍ତ୍ର ପ୍ରଶିକ୍ଷକ, ୧୫ଜଣ ଥେରାପିଷ୍ଟ କାର୍ଯ୍ୟ କରୁଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, ସ୍କୁଲ୍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post