ଭୁବନେଶ୍ୱର(ମାନସୀ ମିଶ୍ର) -ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ସେବାରେ ଯୋଡି ହୋଇଛି ଆଉ ୪୨ ଟି ଆମ୍ବଲାନ୍ସ । ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଏହି ୪୨ ଟି ୧୦୮ ଆମ୍ବଲାନ୍ସକୁ ଲୋକାର୍ପିତ କରିଛନ୍ତି । ଫଳରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସଂଖ୍ୟା ୫୧୨କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଗର୍ଭବତା ମା ଏବଂ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ନିମନ୍ତେ ୫୦୦ ଟି ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି । ପ୍ରକାଶ ଥାଉକି ରାଜ୍ୟରେ ଗତ ୨୦୧୩ ମାର୍ଚ୍ଚ ମାସରୁ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ ୩୮ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଏହି ସେବାଦ୍ୱାରା ଉପକୃତ ହୋଇଛନ୍ତି । ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ମଧ୍ୟ ଏହି ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଜରୁରୀକାଳୀନ ସେବାକୁ ଅଧିକ ପ୍ରସାରିତ କରିବା ନିମନ୍ତେ ଏବଂ ସେବାର କ୍ରମବର୍ଦ୍ଧ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆଉ ଅତିରିକ୍ତ ୯୨ ଟି ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି । ଏଥିରୁ ୨୮ ଟି ବି.ଏଲ୍.ଏସ୍ ଆମ୍ବୁଲାନ୍ସକୁ ଉନ୍ନତି କରଣ ପୂର୍ବକ ଏ.ଏଲ୍.ଏସ୍ ଆମ୍ବୁଲାନ୍ସରେ ରୂପାନ୍ତରିତ କରିବା ନିମନ୍ତେ ସରକାର ନିଜସ୍ୱ ପାଣ୍ଠିରୁ ଆବଶ୍ୟକୀୟ ଅର୍ଥ ପ୍ରଦାନ କରିଛନ୍ତି ।ଏହି ଅତିରିକ୍ତ ଆମ୍ବୁଲାନ୍ସ ଗୁଡିକ ପାଇଁ ଆସନ୍ତା ୫ ବର୍ଷ ନିମନ୍ତେ ସରକାର ୯୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଏହି ଅତିରିକ୍ତ ୯୨ ଟି ଆମ୍ବୁଲାନ୍ସକୁ ମୁଖ୍ୟମନ୍ତ୍ରୀ ଗତ ଡିସେମ୍ବର ମାସରେ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରିବା ସହିତ ୨୪ଟି ଆମ୍ବୁଲାନ୍ସ ଲୋକାର୍ପିତ କରିଥିଲେ । ଗତ ଜୁଲାଇ ମାସରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଆଉ ୨୬ ଟି ଆମ୍ବୁଲାନ୍ସର ସେବା ଆରମ୍ଭ କରିଥିଲେ ଏବଂ ଆଜି ଆଉ ବାକି ୪୨ଟି ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ରାଜ୍ୟ ମେଡିକାସ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ ଏବଂ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା ସଂସ୍ଥାର କର୍ମକର୍ତାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.