(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ମାତକତପୁର ଗ୍ରାମ ଜହ୍ନିଆ ଛକ ନିକଟରେ ଦୁର୍ବୁତମାନେ ବ୍ୟବସାୟୀ ଦୋଳ ଗୋବିନ୍ଦ ଦାସଙ୍କୁ ହତ୍ୟା କରି କେନାଲରେ ଫିଙ୍ଗିଦେବା ଘଟଣା ୮ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରିପାରିନାହିଁ । ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଂଚଳର ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ବେଳେ ପୋଲିସର ଏଭଳି ନିଷ୍କ୍ରିୟତା କୁ ନେଇ ପ୍ରଶ୍ନ ଉଠିଛି । ବ୍ୟବସାୟୀଙ୍କ ପରିବାର, ଗ୍ରାମବାସୀ ଓ ସ୍ଥାନୀୟ ଅଂଚଳର ବାସିନ୍ଦାମାନେ ଉକ୍ତ ଘଟଣାକୁ କ୍ରାଇମବ୍ରାଂଚ ତଦନ୍ତ ପାଇଁ ଦାବି କରିଛନ୍ତି । ଏଭଳି ସ୍ଥଳେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ରବିବାର ଅପରାହ୍ନରେ ମୃତକଙ୍କ ପରିବାରଙ୍କୁ ସାନ୍ତ୍ୱନା ଦେବା ପାଇଁ ଆସିଥିବା ବେଳେ ବ୍ୟବସାୟୀଙ୍କ ବିଧବା ପତ୍ନୀ , କନ୍ୟା,ପୁତ୍ର ଓ ବଡ଼ ଭାଇ ନିଜର ଦୁଃଖଦ ଘଟଣା ସମ୍ପର୍କରେ ବିଧାୟକଙ୍କୁ ଜଣାଇ କିଭଳି ଦୋଷୀ ଧରାଯାଇ ଉପଯୁକ୍ତ ଦଣ୍ଡ ପାଇବ ସେ ନେଇ ଗୁହାରୀ କରିଛନ୍ତି । ଉକ୍ତ ଘଟଣାକୁ କିଭଳି କ୍ରାଇମ ବ୍ରାଂଚ ତଦନ୍ତ କରିବ ସେ ନେଇ ମଧ୍ୟ ବିଧାୟକଙ୍କ ସହିତ ଆଲୋଚନା କରିଛନ୍ତି ।
ପରିବାରର ଦୁଃଖଦ ଘଟଣା ଶୁଣିବା ପରେ ବିଧାୟକ ଶ୍ରୀ ଜେନା ସାଲେପୁର ଆଇଆଇସିଙ୍କୁ ଡ଼ାକି ଘଟଣା ତଦନ୍ତର ବିଭିନ୍ନ ଦିଗ ସଂକ୍ରାନ୍ତରେ ପଚାରି ବୁଝିଛନ୍ତି । ମୃତକଙ୍କ ପରିବାର ସହିତ ପଂଚାୟତର ଜନପ୍ରତିନିଧି ଓ ସ୍ଥାନୀୟ ଅଂଚଳର ଜନସାଧାରଣ ମାନେ କ୍ରାଇମ ବ୍ରାଂଚ ତଦନ୍ତ ପାଇଁ ପୋଲିସ ଆଇଜିଙ୍କ ନିକଟରେ ଲିଖିତ ଅଭିଯୋଗ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ବିଗତ ୮ଦିନ ହେବ ସାଲେପୁର ପୋଲିସ ଏହି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା ପ୍ରକାଶ କରିଛି । ସନ୍ଧାନୀ କୁକୁରର ଗତିବିଧି , ହତ୍ୟା ଘଟଣାସ୍ଥଳର ନିକଟସ୍ଥ ସ୍ଥାନ ମାନଙ୍କରେ ଲାଗିଥିବା ସିସି କ୍ୟାମେରାର ଦୃଶ୍ୟ ଏବଂ ପରିବାର ଲୋକମାନଙ୍କର ମନ୍ତବ୍ୟକୁ ନେଇ ପୋଲିସ ପକ୍ଷରୁ ୩୦ ଜଣ ଲୋକଙ୍କର ଏକ ତାଲିକା କରାଯାଇ ପର୍ଯ୍ୟାୟ କ୍ରମେ ସେମାନଙ୍କୁ ଥାନାକୁ ଡ଼ାକି ପଚରାଉଚରା କାର୍ଯ୍ୟ ଚାଲିଛି । ଏହାଛଡ଼ା ନିଶ୍ଚିନ୍ତକୋଇଲି,ନେମାଳ,ମାହାଙ୍ଗା,ଭଦ୍ରେଶ୍ୱର ଥାନା ଆଇଆଇସିଙ୍କ ସମେତ କେତେକ ସବ ଇନସପେକ୍ଟର କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ପ୍ରକିୟା ଜାରି ରହିଛି । ଖୁବ୍ ଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ ବୋଲି ସାଲେପୁର ପୋଲିସ ଆଶାବାଦୀ ଥିବା ଆଇଆଇସି ମନୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।