ଭଞ୍ଜନଗର/ଉଦୟନାଥ ପଣ୍ଡା: ଭାଇର ଚିକିତ୍ସା ପାଇଁ ଦୁଇ ଭଉଣୀ ଗଲେ ଦାଦନ ଖଟି। ଘରର ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ।
ଯେଉଁ ବୟସରେ ପାଠ ପଢିବା କଥା ସେହି ବୟସରେ ଘରର ଆର୍ଥିକ ଅବସ୍ଥା ଠିକ ନଥିବାରୁ ରୋଜଗାର କରିବା ପାଇଁ ଘରୁ ବାହାରିଥିବା ଜଣେ ଯୁବକ ହଠାତ୍ ଦୁର୍ଘଟଣାର ଶିକାର ହେବା ଦ୍ୱାରା ତାର ଜୀବନର ଗତି ପଥ ବଦଳି ଯାଇଛି। ସେ ପରିବାରକୁ ସାହାଯ୍ୟ କରିବା ପରିବର୍ତ୍ତେ ଆଜି ବୋଝ ହୋଇଯାଇଛି। ତାର ଚିକିତ୍ସା ପାଇଁ ଦୁଇ ଭଉଣୀ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଯାଇଛନ୍ତି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡାଗ୍ରାମ ବଡ଼ ଖଦାଳ ସାହିର ମୁନା ନାୟକ । ବୟସ ୨୦ବର୍ଷ,ସୁନ୍ଦର ସ୍ୱାସ୍ଥ୍ୟ ହେଲେ, ଏବେ ସେ ଶଯ୍ୟାଶାୟୀ। ବାପା ଗଉରା ନାୟକ ପିଲାମାନଙ୍କୁ ନପଚାରିବା ସହ ବାରମ୍ବାର ନିର୍ଯ୍ୟାତନା ଦେବାରୁ ମାଆ ସବିତା ନାୟକ ଏକମାତ୍ର ପୁଅ ମୁନା ଓ ଦୁଇ ଯାଆଁଳା ଝିଅ ପୂଜା ଏବଂ ଲିଜାକୁ ଧରି ସେହି ଗ୍ରାମରେ ରହୁଥିବା ନିଜ ବାପଘରକୁ ଚାଲି ଆସିଥିଲେ।ସବିତାଙ୍କ ବାପା ଓ ମାଆଙ୍କ ମୃତ୍ୟୁ ପରେ ମୁନା କାମ କରି ଘର ଚଳାଇବା ଓ ଦୁଇ ଭଉଣୀଙ୍କ ପଢ଼ା ପାଇଁ ଘରୁ ବାହାରିଲା। ହେଲେ ମୁନା ଅନ୍ୟ ଜଣଙ୍କ ସହ ମିଶି ବାଇକରେ ଦିନେ କାମକୁ ଯାଉଥିବା ବେଳେ ଭଞ୍ଜନଗର ଅନ୍ତର୍ଗତ ,ନିଧିଆ ପଲି ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିବାରୁ ମୁନାର ଅଣ୍ଟାରେ ଗଭୀର ଆଘାତ କାରଣରୁ ବିଗତ ଦିନରେ ଗୁରୁତର ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଏଠାରୁ ବ୍ରହ୍ମପୁର ଓ ସେଠାରୁ ପୁଣି କଟକ ମେଡ଼ିକାଲ ରେ କିଛି ଦିନ ଚିକିତ୍ସା ପରେ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ଦ୍ୱାରା ତାର ଅସ୍ତ୍ରୋପଚାର କରାଯାଇଥିଲା।ସେଠାରେ ୫ଦିନ ରହିବା ପରେ ଡାକ୍ତର, ମୁନାକୁ ଶୀଘ୍ର ସୁସ୍ଥ ହୋଇଯିବ ବୋଲି କହିଥିଲେ ଏବଂ ଔଷଧ ପତ୍ର ଦେଇ ଘରକୁ ପଠେଇ ଦେଇଥିଲେ। ହେଲେ ଗତ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଚଳପ୍ରଚଳ ହୋଇ ନପାରି ଆଜି ପର୍ଯ୍ୟନ୍ତ ମୁନା ଶଯ୍ୟାଶାୟୀ ହୋଇ ରହିଛି ବୋଲି ମୁନାର ମାଁ ବ୍ୟକ୍ତ କରିଛନ୍ତି ।ଘର ଚଳାଉଥିବା ରୋଜଗାରିଆ ପୁଅ ଅସୁସ୍ଥ ହେବାରୁ ତାର ଚିକିତ୍ସା ପାଇଁ ବାଧ୍ୟହୋଇ ଦୁଇ ଭଉଣୀ ପୂଜା ଓ ଲିଜା ପାଠପଢ଼ା ଛାଡ଼ି ଦାଦନ ଶ୍ରମିକ ଭାବେ ଚେନ୍ନାଇ ର ଏକ ସୂତା କଳରେ କାମ କରୁଛନ୍ତି ବୋଲି ସେମାନଙ୍କ ମାଁ ପ୍ରକାଶ କରିଛନ୍ତି। ଦୁଇ ଭଉଣୀ ର ରୋଜଗାର ଅର୍ଥରେ ଭାଇର ଔଷଧ ପତ୍ର ଓ ଘର ଚଳୁଛି। ରାସନ କାର୍ଡ଼ରେ ଚାଉଳ ମଧ୍ୟ ମିଳୁଛି। ହେଲେ ଅର୍ଥାଭାବରୁ ସବିତା ପୁଅକୁ ଗାଡ଼ି ଭଡ଼ା ଦେଇ ପୁଣି ଚିକିତ୍ସା ପାଇଁ ବାହାର ହସ୍ପିଟାଲକୁ ନେଇ ପାରୁ ନାହାଁନ୍ତି। ଯଦି କିଛି ସରକାରୀ ସହାୟତା ମିଳେ ତାହେଲେ ସେ ପୁଅର ଚିକିତ୍ସା କରିବା ପାଇଁ ଯାଇ ପାରିବେ ବୋଲି କହିଛନ୍ତି। ଏବଂ ଆମ ସମ୍ବାଦ ପରିବେଷଣ ମାଧ୍ୟମରେ, ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଓ ବିଶେଷ ଭାବରେ ପ୍ରଶାସନ ଠାରୁ ସାହାଯ୍ୟ ଆଶା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.