ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ସରକାର ଏବଂ ଶିକ୍ଷକଙ୍କ ଜିଦ୍ ମଝିରେ ଆଜି ବଳି ପଡ଼ିଛି ଛାତ୍ରଛାତ୍ରୀଙ୍କ ଖୁସି I ଉପଯୁକ୍ତ ସୂଚନା ଅଭାବରୁ ଆଜି ବେଲଗୁଣ୍ଠା ବ୍ଳକ୍ ର ବହୁ ବିଦ୍ୟାଳୟରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇପାରିନାହିଁ I ସୂଚନା ପ୍ରକାରେ ସେପ୍ଟେମ୍ବର୍ ଆଠ ତାରିଖରୁ ନିଜର ତିନି ଦଫା ଦାବି ନେଇ ଶିକ୍ଷକ ଶିକ୍ଷୟିତ୍ରୀ ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନ୍ ର ଡାକରାରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ I ଏହି ଅବସରରେ ସୋମବାର ଦିନ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ବିଦ୍ୟାଳୟରେ ଗଜାନନଙ୍କ ପୂଜା ନକରିବା ପାଇଁ ନିଷ୍ପତି ନେଇଥିଲେ I କିନ୍ତୁ ସୋମବାର ଦିନ ଅନୁଷ୍ଠିତ ଆନ୍ତଃମନ୍ତ୍ରୀ ସ୍ତରୀୟ ବୈଠକର ଆଲୋଚନା ପରେ ସୋମବାର ରାତିରେ ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନ୍ ର ମହାସଚିବ ଚାରୁଲତା ମହାପାତ୍ର ଆନ୍ଦୋଳନରୁ ଓହରି ଯିବା ସହିତ ଆନ୍ଦୋଳନକୁ ସ୍ଥଗିତ ଘୋଷଣା କରିଥିଲେ I ଏହି ଘୋଷଣା ରାତିରେ ହୋଇଥିବା ଯୋଗୁଁ ବେଲଗୁଣ୍ଠା ବ୍ଳକ୍ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିକଟରେ ସଠିକ୍ ସୂଚନା ପହଞ୍ଚି ପାରିନଥିଲା I ଫଳରେ ବ୍ଳକ୍ ର ବହୁ ବିଦ୍ୟାଳୟରେ ଆଜି ଗଜାନନଙ୍କ ପୂଜା ପାଇଁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବ ପ୍ରସ୍ତୁତି କରିନପାରିବା ଯୋଗୁଁ ବିଦ୍ୟାଳୟ ଗୁଡ଼ିକରେ ପୂଜା ବନ୍ଦ ରହିଥିଲା I ଛାତ୍ରଛାତ୍ରୀ ଗଣେଶ ପୂଜା ପାଇଁ ବିଦ୍ୟାଳୟକୁ ଯାଇ ନିରାଶରେ ଘରକୁ ଫେରିଥିଲେ I କିଛି ବିଦ୍ୟାଳୟରେ ଯେନତେନ ପ୍ରକାରେଣ ନିରାଡମ୍ବରରେ ଗଣେଶ ପୂଜା ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ବହୁତ କମ୍ ଥିଲା I ଅନ୍ୟପଟେ ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନ୍ ର ମହାସଚିବ ଚାରୁଲତା ମହାପାତ୍ରଙ୍କ ଆନ୍ଦୋଳନ ବନ୍ଦ ନିଷ୍ପତିକୁ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ପୁରୁଣା ପେନସନ୍ ଯୋଜନା ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସମର୍ଥନ ଜଣାଇଥିବା ବେଳେ ନୂତନ ପେନସନ୍ ଯୋଜନା ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହାକୁ ତୀବ୍ର ବିରୋଧ କରିବା ସହିତ ମହାସଚିବଙ୍କ ନିଷ୍ପତିକୁ ଏକ ତରଫା କହି ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନ୍ ର କର୍ମକର୍ତ୍ତାଙ୍କୁ ନିନ୍ଦା କରିଛନ୍ତି I ଆଗାମୀ ଦିନରେ ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନ୍ ର ନିଷ୍ପତିକୁ ସମର୍ଥନ ଜଣାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ସ୍ତରରୁ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ ବୋଲି ନୂତନ ପେନସନ୍ ଯୋଜନା ଭିତ୍ତିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଲୋଚନା କରିଥିବାର ସୁଚନା ମିଳିଛି I ଏପରିକି ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନ୍ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ମଧ୍ୟ ଖୁବ୍ ଶୀଘ୍ର ନୂତନ ପେନସନ୍ ଯୋଜନା ଭିତ୍ତିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ, କନିଷ୍ଠ ଶିକ୍ଷକ ଏବଂ କଳାକ୍ରୀଡ଼ା ଶିକ୍ଷକ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରି ଆନ୍ଦୋଳନକୁ ଜାରି ରଖିବେ ବୋଲି ସୂଚନା ମିଳିଛି I
Sign in
Sign in
Recover your password.
A password will be e-mailed to you.