୫”ଟି’ର ସମସ୍ତ “ଟି’କୁ ଉପଯୋଗ କରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ବଳିଷ୍ଠ, ସୁଦୃଢ଼ ଓ କ୍ରିୟାଶୀଳ କରାଯିବ : ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ

0

https://youtu.be/LLwxLkqNTe0

କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ତଥା ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର(ଶାସକ ପ୍ରଶାସକ): ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ତଥା ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର ୩ ଜଣ କୁଳପତି ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜର ୩୭୦ ଜଣ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏହି କର୍ମଶାଳାରେ ଯୋଗଦେଇଥିଲେ ।
୫”ଟି’ର ସମସ୍ତ “ଟି’କୁ ଉପଯୋଗ କରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ବଳିଷ୍ଠ, ସୁଦୃଢ଼ ଓ କ୍ରିୟାଶୀଳ କରିବା, ତୃଣମୂଳ ସ୍ତରରୁ ପରିବର୍ତ୍ତନ ଆଣି ଆଗାମୀ ପିଢ଼ି ନିମନ୍ତେ ଏକ ଆଦର୍ଶ ଓଡ଼ିଶା ଗଠନ କରିବା ଦିଗରେ ସତ୍ପ୍ରୟାସ କରିବା ଏହି କର୍ମଶାଳା ଓ ଦିଗ୍ଦର୍ଶନ କାର୍ଯ୍ୟକ୍ରମର ଲକ୍ଷ୍ୟ । ଖାଦ୍ୟ ସୁରକ୍ଷା ବା କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଯେପରି ସମଗ୍ର ଦେଶରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି, ସେହିଭଳି ସମ୍ମିଳିତ ଉଦ୍ୟମ ବଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଆମ ରାଜ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ ମତ ପ୍ରକାଶ କରିଥିଲେ ।
“”ଶିକ୍ଷା ହିଁ ସମ୍ପତ୍ତି”କୁ ଆଧାର କରି ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଓଡ଼ିଶା ଗଠନ କରିପାରିବା ଓ ଏଥିନିମନ୍ତେ କଲେଜଗୁଡ଼କର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବା ଜରୁରୀ ବୋଲି “ମୋ କଲେଜ’ ସଭାପତି ଶ୍ରୀ ଆକାଶ ଦାସ ନାୟକ ପ୍ରକାଶ କରିଥିଲେ ।
ପରେ କର୍ମଶାଳାର ଟେକ୍ନିକାଲ ସେସନ ଅନୁଷ୍ଠିତ ହୋଇଥିଲା । ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗାମୀ ୫ ବର୍ଷର ରୋଡମ୍ୟାପ୍, କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡିକର ସ୍ଥିତି ଓ ଅଗ୍ରଗତି, ଗବେଷଣା ଓ ଫେଲୋସିପ୍ କାର୍ଯ୍ୟକ୍ରମ, ଦକ୍ଷତା ବୃଦ୍ଧି ଓ ବିଭିନ୍ନ ସାର୍ଟିର୍ଫିକେଟ କୋର୍ସ. ଛାତ୍ରବୃତ୍ତି ସୁଯୋଗ, “ମୋ କଲେଜ’, ଏନ୍.ଏସ୍.ଏସ୍, ଯୁବ ରେଡକ୍ରସ୍, ଅଣ-ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷମାନଙ୍କ ସହ କଲେଜର ସମସ୍ୟା, କଲେଜର ଭିତ୍ତିଭୂମି ସମ୍ବନ୍ଧରେ ଆଲୋଚନା ହୋଇଥିଲା ।
୫ ଟି ସଚିବ ଶ୍ରୀ ଭି. କେ. ପାଣ୍ଡିଆନ ଯୋଗଦେଇ ରାଜ୍ୟର କଲେଜଗୁଡିକର ଭିତ୍ତିଭୂମି ଉନ୍ନୟନ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୦୦୦ କୋଟି ଅନୁଦାନ ଦିଆଯାଇଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଅନୁଦାନ ଦିଆଯିବ ବୋଲି କହିଥିଲେ । ବିଭିନ୍ନ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କ ସହ କଲେଜର ବିଭିନ୍ନ ସମସ୍ୟା ଓ ସେଗୁଡିକର ସମାଧାନ ସମ୍ବନ୍ଧରେ ଶ୍ରୀ ପାଣ୍ଡିଆନ ବିଶଦ ଆଲୋଚନା କରିଥିଲେ ।
ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ନରହରି ସେଠୀ, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଶ୍ରୀ ଅଶୋକ ଦାଶ ଓ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଏହି କର୍ମଶାଳା ଓ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ ।
ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଶ୍ରୀ ରମାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.