ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକସଂଘର ଆହ୍ୱାନରେ ତିନି ଦଫା ଦାବି ନେଇ ସମଗ୍ର ରାଜ୍ୟର ୩୧୪ଟି ବ୍ଳକରେ ପ୍ରାଥମିକ ଶିକ୍ଷକମାନେ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ୮ଟି଼ ବ୍ଲକରେ କାର୍ଯ୍ୟରତ ୪ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହେବା ସହିତ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ଶିକ୍ଷକମାନଙ୍କ ଦାବି ପୂରଣ ନକଲା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଶିକ୍ଷକମାନେ ପ୍ରକାଶ ପରିଛନ୍ତି । ଏହି ଦାବି ଗୁଡ଼ିକ ମଧ୍ୟରେ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ଛଅ ବର୍ଷର ଠିକା ନିଯୁକ୍ତିକୁ ଉଚ୍ଛେଦ କରିବା ସହିତ ଏକ୍ସ କ୍ୟାଡର,କ୍ରୀଡ଼ା ଏବଂ କଳା ଶିକ୍ଷକମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦକରି ପୁରୁଣା ପେନସନ ପ୍ରଚଳନ ଆଦି ରହିଛି । ଏହି ସମାନ ଦାବି ନେଇ ଗତବର୍ଷ ନଭେମ୍ବର ମାସରେ ଶିକ୍ଷକମାନେ ଭୁବନେଶ୍ୱର ରାଜରାସ୍ତାରେ ଦୀର୍ଘ ୪ଦିନ ଧରି ଅହୋରାତ୍ର ଧାରଣାରେ ବସିଥିଲେ । ତେବେ ସରକାର ଶିକ୍ଷକମାନଙ୍କ ଏହି ସବୁ ନ୍ୟାର୍ଯ୍ୟଦାବି ଗୁଡ଼ିକ ଯଥାଶ୍ରୀଘ୍ର ପୂରଣ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ତେବେ ଦୀର୍ଘ ଏକବର୍ଷ ସମୟ ବିତି ଯାଇଥିଲେ ସୁଦ୍ଧା ସରକାର ଶିକ୍ଷକମାନଙ୍କ ଦାବିପ୍ରତି ଅଣଦେଖା କରୁଥିବା ପ୍ରତିବାଦରେ ଶିକ୍ଷକମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ନୟାଗଡ଼ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକସଂଘ ସଭାପତି ପୀତବାସ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ପ୍ରତିବାଦ ସଭାରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ର ଉଦବୋଧନ ଦେଇ ସରକାର ପ୍ରାଥମିକ ଶିକ୍ଷାକୁ ସମ୍ପୁର୍ଣ୍ଣଭାବେ ଅଣଦେଖା କରୁଥିବା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକସଂଘ ସମ୍ପାଦକ ସୁରେଶ ସେଠୀ,ଲକ୍ଷ୍ମୀଧର ସାହୁ,ମିନାକ୍ଷୀ କର,ସନ୍ତୋଷ ପ୍ରଧାନ,ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ,ଅଶୋକ ମଲ୍ଲ ,ବିଶ୍ୱନାଥ ସାହୁ ପ୍ରମୁଖ ଶିକ୍ଷକମାନଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାର ତୁରନ୍ତ ଶିକ୍ଷକମାନଙ୍କ ଦାବି ପୂରଣ କରିବା ପାଇଁ ଦାବି କରିଥିଲେ ।
Sign in
Sign in
Recover your password.
A password will be e-mailed to you.