ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ପାର୍ଶ୍ଵାଞ୍ଚଳ ଗ୍ରାମର ହାଇସ୍କୁଲ ଓ ଏମଇ ସ୍କୁଲର ୪୬୮ ଜଣ ବିଦ୍ୟାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ

0

ରାଉରକେଲା(ସୁଶାନ୍ତ ବେହେରା) ରାଉରକେଲା ଇସ୍ପାତ କାରଖାନା ଏହାର କର୍ପୋରେଟ ସାମାଜିକ ଦାୟିତ୍ଵ ଅନ୍ତର୍ଗତ ପାର୍ଶ୍ଵାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପୁରସ୍କାର ଯୋଜନା ଏବଂ ମେଧାବୃତ୍ତି ମାଧ୍ୟମରେ ଅଧ୍ୟୟନରେ ଉତ୍କର୍ଷତା ହାସଲ ନିମନ୍ତେ ପ୍ରୋତ୍ସାହିତ କରୁଛି। ଏହି କ୍ରମରେ ୨୦୧୫-୧୬ ଶିକ୍ଷା ବର୍ଷ ନିମନ୍ତେ ନୂଆଗାଁ, ବିଶ୍ରା, କୁଆଁରମୁଣ୍ଡା ଓ ଲାଠିକଟା ରାଜସ୍ୱ ବ୍ଲକର ଗାଁଆ, ଆଦର୍ଶ ଇସ୍ପାତ ଗ୍ରାମ, ପୁନର୍ବାସ କଲୋନୀ/କ୍ୟାମ୍ପ/ବ୍ଲକର ହାଇସ୍କୁଲର ୨୦୫ ବିଦ୍ୟାର୍ଥୀ ଓ ୟୁପି ସ୍କୁଲର ୭୧୪ ବିଦ୍ୟାର୍ଥୀ, ଏହିଭଳି ସର୍ବମୋଟ ୯୧୯ ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଲାଭ ନିମନ୍ତେ ମନୋନୀତ ହୋଇଛନ୍ତି । ସେମାନଙ୍କୁ ଦଶମ ଓ ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସେମାନଙ୍କର ଉତ୍କର୍ଷ ପ୍ରଦର୍ଶନ ଭିତ୍ତିରେ ଏହି ମେଧାବୃତ୍ତି ପ୍ରଦାନ କରାଯାଉଛି।

ବାଳକ ଓ ବାଳିକା ବର୍ଗରେ ପ୍ରତ୍ୟେକ ସ୍କୁଲର ପ୍ରଥମ ସ୍ଥାନ ଲାଭ କରିଥିବା ବିଦ୍ୟାର୍ଥୀଙ୍କୁ ୩୦୦୦ ଟଙ୍କା, ଦ୍ଵିତୀୟ ସ୍ଥାନ ନିମନ୍ତେ ୨୦୦୦ ଟଙ୍କା ଓ ତୃତୀୟ ସ୍ଥାନ ଲାଭ କରିଥିବା ବିଦ୍ୟାର୍ଥୀଙ୍କୁ ୧୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଉଛି।  ସିଭିକ ସେଣ୍ଟର ଠାରେ ଅକ୍ଟୋବର ୪ ତାରିଖରେ ମେଧାବୃତ୍ତି ବିତରଣ ନିମନ୍ତେ ଅନୁଷ୍ଠିତ ଏକ ଉତ୍ସବରେ ୩୫ଟି ହାଇସ୍କୁଲ ଓ ୪୭ଟି ୟୁପି ସ୍କୁଲର ୪୬୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୫ ତାରିଖରେ ଆୟୋଜିତ ହେଉଥିବା ଅନୁରୂପ ଉତ୍ସବରେ ମେଧାବୃତ୍ତି ପ୍ରଦାନ କରାଯିବ । ଉକ୍ତ ଉତ୍ସବରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସବିତା କୁମାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ମୀନାକ୍ଷୀ ପ୍ରଧାନ, ସହର ପ୍ରଶାସନ ବିଭାଗର ଜିଏମ, ଶ୍ରୀ ଏନ କେ ସାମନ୍ତରାୟ, ସିଏସଆର ବିଭାଗର ଡ଼ିଜିଏମ ଇନ ଚାର୍ଜ, ଶ୍ରୀ ପି ଏମ ବେହେରା, ସମ୍ପାଦିକା, ଶ୍ରୀମତୀ ଲୀନା ଦାସ, ସିଏସଆରର ଅନ୍ୟ ଅଧିକାରୀ ଓ ଷ୍ଟାଫ, ଦୀପିକା ମହିଳା ସଂଘତିର ପରିଚାଳନା କମିଟି ସଦସ୍ୟା  ଏବଂ ସ୍କୁଲ ଶିକ୍ଷକଶିକ୍ଷୟିତ୍ରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।  ପ୍ରାରମ୍ଭରେ ଶ୍ରୀ ଏନ କେ ସାମନ୍ତରାୟ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଏହି ଯୋଜନା ସମ୍ବନ୍ଧରେ ଏକ ସଂକ୍ଷିପ୍ତ ବିବରଣୀ ରଖିଥିଲେ। ସିଏସଆର ବିଭାଗର ଏଜିଏମ, ସୁଶ୍ରୀ ମୁନମୁନ ମିତ୍ରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।  

Leave A Reply

Your email address will not be published.