ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )- ରାଜ୍ୟ ସରକାର ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଦେବା ପାଇଁ ରାଜ୍ୟ ଅର୍ଥକୋଷ ଭଣ୍ଡାରରୁ କୋଟି କୋଟି ଟଙ୍କା ବ୍ୟୟ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଜରିଆରେ ଦେଉଛନ୍ତି । ହେଲେ କିନ୍ତୁ ଏଠି ଅଙ୍ଗନବାଡ଼ିଠାରୁ ନେଇ ସୁପରଭାଇଜର, ଶିଶୁ ପ୍ରକଳ୍ପ ଅଧିକାରୀ, ରାଜନେତା ସମସ୍ତେ ମିଳି ମିଶି ଦୁର୍ନୀତି କରୁଥିବାର ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅଧିନସ୍ଥ ବେଲପଡା ବ୍ଲକରେ ଛତୁଆ ଯୋଗାଇବା ପାଇଁ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ତୁଳସୀ ସ୍ବୟଂ ସହାୟକ ଗୋଷ୍ଠୀ ଓ ସତ୍ୟସାଇ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ଦିଆଯାଇଛି । ହେଲେ ଏହି ଦୁଇ ଗୋଷ୍ଠୀ ନିମ୍ନମାନର ଛତୁଆ ଯୋଗାଇ ମାଲେ ମାଲ ହେଉଥିବା ବେଳେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କର ଖାଇବା ପାଇଁ ତାହା ଉପଯୋଗୀ ହେଉ ନଥିବାର ଗୁରୁତର ଅଭିଯୋଗ ହେଉଛି । ଗତ ଛଅ ମାସ ତଳେ ତୁଳସୀ ସ୍ବୟଂ ସହାୟକ ଗୋଷ୍ଠୀ ନିମ୍ନ ମାନର ଛତୁଆ ଯୋଗାଇଥିବା ନେଇ ଧୁମାଭଟା ଗାଁରେ ଅଭିଯୋଗ ହୋଇଥିଲା । ସେହି ସମୟରେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଓ ଏହାକୁ ନେଇ ତଦନ୍ତ ମଧ୍ୟ ହୋଇଥିଲା ଯାହା କେବଳ ଯାହାକି ଲୋକଦେଖାଣିଆ ଥିଲା। କାହିଁକିନା ବଳିଷ୍ଠ ଅଭିଯୋଗ ସ୍ୱତେ ମଧ୍ୟ ସମ୍ପୃକ୍ତ ସଂସ୍ଥା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।
ବର୍ତ୍ତମାନ ପୁଣି ସେହି ସତ୍ୟସାଇ ସ୍ବୟଂ ସହାୟକ ଗୋଷ୍ଠୀ ବେଲପଡା ବ୍ଳକ ବାଗଦୋର ପଞ୍ଚାୟତର ମାଲପଡା ଗାଁରେ ନିମ୍ନ ମାନର ସୁଜି ପ୍ୟାକେଟ ବଣ୍ଟନ କରୁଥିବା ଅଭିଯୋଗ ହେଉଛି । ଉକ୍ତ ସୁଜି ପ୍ୟାକେଟ ଅଗଷ୍ଟ ୫ ତାରିଖର ହୋଇଥିବା ବେଳେ ସେଥିରେ ଅସଂଖ୍ୟ ଜୀବିତ କୀଟ ଦେଖିବାକୁ ମିଳୁଛି ଯାହା ଖାଇବା ପାଇଁ ଅନୁପଯୁକ୍ତ ଅଟେ । ଏ ବିଷୟରେ ସୁପର ଭାଇଜର ମାରୀୟମ ସୁନାଙ୍କ କହିବା ମତେ ସୁଜି ପ୍ୟାକେଟରେ ଯେହେତୁ ୫ ତାରିଖର ଡେଟ ଅଛି, ସେଥିରେ ପୋକ ଆସିବା କଥା ନୁହେଁ । ଯଦି ପୋକ ଆସୁଛି ତ ନିଶ୍ଚୟ ନିମ୍ନମାନର ଖାଦ୍ୟ ବଣ୍ଟନ କରାହେଉଛି ଓ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ବାରମ୍ବାର ପାଟଣାଗଡ଼ ଉପଖଣ୍ଡରେ ଛତୁଆ ଦୁର୍ନୀତି ଲୋକଲୋଚନକୁ ଆସୁଥିବାରୁ ବଲାଙ୍ଗୀର ଜିଲ୍ଲାପାଳ ନିଯେ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ସର୍ବ ସାଧାରଣରେ ଦାବୀ ହେଉଛି ।
Sign in
Sign in
Recover your password.
A password will be e-mailed to you.