ଜଗତସିଂହପୁର ଜିଲ୍ଲା : ଖରିଫ ଚାଷ କାମକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀ ଭାଇ

0 2

ଜଗତସିଂହପୁର,ତା-୨୮.୦୭.୨୦୨୩/ସୁମନ୍ତ କୁମାର ଦାସ:ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ରହିଛି। ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥ‌ିବା ବେଳେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଭଲ ବର୍ଷା ହୋଇଛି। ଜିଲ୍ଲାର ୮ଟି ବ୍ଲକ ସମେତ ପାରାଦ୍ବୀପରେ ମଧ୍ୟ ଭଲ ବର୍ଷା ହେବା ଫଳରେ ଚାଷୀଭାଇ ମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଏବେ ଖରିଫ ଚାଷ କାମକୁ ଆଗେଇ ନେବା ପାଇଁ ଚାଷୀ ଭାଇମାନେ ଅଣ୍ଟା ଭିଡିଛନ୍ତି l ଜଗତସିଂହପୁର ଜିଲ୍ଲାର ୮୦% ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚଳିତ ବର୍ଷ ୮୪ ହଜାର ୨୬୦ ହେକ୍ଟର ଚା ଜମିରେ ଧାନ ଫସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଦୀର୍ଘ କିଛି ଦିନ ହେବ ରାଜ୍ୟରେ କମ୍ ବର୍ଷା ହେଉଥିବା ବେଳେ ମୌସୁମା ବର୍ଷା ଫଳରେ ଜିଲ୍ଲାରେ ଭଲ ବର୍ଷା ସହିତ ଚାଷୀଭାଇ ମାନେ ଚାଷ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ତଳି ଓପାଡିବା, ବିଲ କାଦୁଅ କରିବା ଓ ରୁଆ କାମ ଆରମ୍ଭ କରିଛନ୍ତି। ତେବେ ଚଳିତ ବର୍ଷ ବର୍ଷା ଅଭାବରୁ ଜିଲ୍ଲାରେ ଚାଷ କାମ ଆଗେଇ ପାରୁନଥିଲା। ଅନେକ ସ୍ଥାନରେ ତଳି ପକାଇଥିବା ବିଲ ଫାଟି ଆଁ କରିଥିଲା। ତେବେ ମୌସୁମୀ ସକ୍ରିୟ ଫଳରେ ଜଗତସିଂହପୁର ଜିଲ୍ଲାରେ ଭଲ ବର୍ଷା ହେବା ସହିତ ଚାଷୀଙ୍କୁ ଆସ୍ଵସ୍ତି ମିଳିଛି। ବର୍ଷାକୁ ଦେଖୁ ଚାଷୀମାନେ ଚାଷ କାମ ଆରମ୍ଭ କରିଛନ୍ତି । ତେବେ ଆଗକୁ ଲଘୁଚାପ ଜନିତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଥିବା ନେଇ ଚାଷୀ ମାନେ ଖୁସି ହେବା ସହିତ ଚଳିତ ବର୍ଷ ଭଲ ଧାନ ଫସଲ ହେବ ବୋଲି ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.