ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ସ୍ବରୂପ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିର୍ଦ୍ଧା ଟପ୍ପୋ ପଦ୍ମପୁର ଉପଖଣ୍ଡର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାରଙ୍କ ସହ ଶ୍ରୀ ଟପ୍ପୋ ବରିକେଲ ପଞ୍ଚାୟତର ବରିକେଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବରିକେଲ ତଥା କେର୍ମେଲାବାହାଲ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କେର୍ମେଲାବାହାଲ କୁ ଗସ୍ତ କରି ସେଠାରେ ଥିବା ବୁଥ୍ ଗୁଡିକ ଦେଖିଥିଲେ। ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତିକୁ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ସମ୍ପାଦନ କରୁଛି। ସେହି କ୍ରମରେ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ ପଦ୍ମପୁର ଉପ ଜିଲ୍ଲାପାଳ ବୁଥ୍ ନମ୍ବର ୧୮୪ ଓ ୨୦୪କୁ ଗସ୍ତ କରି ସେଠାକାର ସୁରକ୍ଷା ବ୍ୟବସ୍ଥା, ପାଚେରୀ, ପିଇବା ପାଣି, ଲୋକ ଧାଡ଼ିବାନ୍ଧିବା ପାଇଁ ସ୍ଥାନ, ଛାଇର ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ପରଖି ଦେଖିଛନ୍ତି ଏବଂ ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି । ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ଛାତ୍ରୀଛାତ୍ର ମାନଙ୍କୁ ଭେଟି ମନଯୋଗ ସହକାରେ ପାଠପଢ଼ି ଉଚ୍ଚାକାଂକ୍ଷୀ ହେବାପାଇଁ ଉପଦେଶ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.