କେନ୍ଦୁପତ୍ର ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ ଧୋକାଦେଇ “ଲଲିପପ୍‌” ଧରାଇଦେଲେ: ପ୍ରଦୀପ ପୁରୋହିତ

0 2

ଭୁବନେଶ୍ୱର, ତା ୨୦/୦୭: ଓଡିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ, ୪୦ହଜାର ବନ୍ଧେଇ ଶ୍ରମିକ ଓ ୨୨ହଜାର ସିଜିନାଲ କର୍ମଚାରୀ ମାନଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଧୋକା ଦେଇ “ଲଲିପପ୍‌” ଧରାଇ ଦେଲେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।
ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତାଦଳ ଗତ ୫ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିବା ପଛରେ ଓଡିଶାର କେନ୍ଦୁପତ୍ର ଶ୍ରମିକମାନଙ୍କ ମଧ୍ୟ ଏକ ବଡ ଯୋଗଦାନ ଅଛି । ନବୀନ ବାବୁଙ୍କ ସରକାର ବିଭିନ୍ନ ସମୟରେ କେନ୍ଦୁପତ୍ର ଶ୍ରମିକମାନଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କଲେ ନାହିଁ । କେନ୍ଦୁପତ୍ର ଲାଭାଂଶରୁ ୧୦୦% ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ଏବେ ମାତ୍ର ୨୫% ବୋନସ ଘୋଷଣା କରି କେନ୍ଦୁପତ୍ର ଶ୍ରମିକମାନଙ୍କୁ ଧୋକା ଦେଇଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
୨୦୧୩ ମସିହା ଜାନୁୟାରୀ ୧୩ ତାରିଖ ଦିନ ସମ୍ବଲପୁର ଜିଲ୍ଲା ରେଢାଖୋଲଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ କରାଯାଇଥିବା ଏକ ବିଶାଳ ଶ୍ରମିକ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ପାଇଁ ଚାକିରୀ ସର୍ତାବଳୀ ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ବିଜେଡି ସରକାର ୧୦ବର୍ଷ ପରେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ । କେନ୍ଦୁପତ୍ର ତୋଳାଳୀମାନଙ୍କ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଯୋଡିବା, ତୋଳାଳୀମାନଙ୍କୁ ଶିକ୍ଷାବୃତି, ବିବାହ ସହାୟତା ପ୍ରଦାନ ଯାହା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ତାହା ଭୁଲିଗଲେ ଏବଂ ଆଗକୁ ନିର୍ବାଚନ ସମୟରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଏହା ମନେ ପଡିବ ବୋଲି ଶ୍ରୀ ପୁରୋହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତିି ।
୨୦୧୮ରୁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇଥିବାବେଳେ ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇନାହିଁ କିମ୍ବା ବନ୍ଧେଇ ଶ୍ରମିକମାନଙ୍କ ବଣ୍ଡଲ ଦର ବୃଦ୍ଧି ମଧ୍ୟ ସରକାର କଲେ ନାହିଁ । କେବଳ ୨୫% ବୋନସ ଘୋଷଣା କରି କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ଧୋକା ଓ ବିଶ୍ୱାସ ଘାତ କରିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

Leave A Reply

Your email address will not be published.