ପୁରୀ (ଅନିମେଶ ପଟ୍ଟନାୟକ): ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ଏହି ଦିନର ଏକ ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି । ସ୍ଵତନ୍ତ୍ର ନିତିକାନ୍ତି ମଧ୍ଯ ରହିଛି । ବାରମାସ ତେର ଯାତ୍ରାରୁ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାସିଆ ସବୁଠାରୁ ଭିନ୍ନ। ଏହି ଦିନ ତିନି ତିନି ଠାକୁରଙ୍କୁ ରତ୍ନଖଚିତ ଚିତା ଲାଗି ହୋଇଥାଏ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ଶ୍ରୀଜୀଉ ମାନଙ୍କର ଦର୍ଶନ ବନ୍ଦ କରାଯାଇଥାଏ । ଚଳିତ ଥର ଅର୍ଥାତ ଆଜି ମଧ୍ଯ ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଦର୍ଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି ।
ଶ୍ରାବଣ ମାସରେ ଏହି ଅମାବାସ୍ୟା ପାଳିତ ହୁଏ । ତିନି ଠାକୁରଙ୍କୁ ବିଭିନ୍ନ ରତ୍ନଖଚିତ ଚିତା ପିନ୍ଧା ଯାଇଥାଏ। ଏହି ରତ୍ନଖଚିତ ସ୍ବର୍ଣ୍ଣ ଚିତା କୁ ସ୍ନାନପୂର୍ଣ୍ଣିମା ଦିନ ରାତିରେ ଶ୍ରୀଜୀଉମାନଙ୍କ ଶ୍ରୀକପାଳରୁ କାଢି ଦିଆଯାଇଥାଏ । ଚିତାଗୁଡ଼ିକୁ ଭଣ୍ଡାରରୁ ଅଣାଯାଇ ଶ୍ରୀମନ୍ଦିର ପରିସରରେ ଦେଉଳକରଣ , ତଢ଼ାଉ କରଣ , ଶ୍ରୀମନ୍ଦିର ପ୍ରଶାସନ ର ପଦାଧିକାରୀ ଉପସ୍ଥିତି ରେ ବଣିଆ ସେବକ ଦ୍ୱାରା ସଫା କରାଯାଇଥାଏ ଓ ଅମାବାସ୍ୟା ଦିନ ପୁନଃ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ । ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି। ଏହାପରେ ଶ୍ରୀଜୀଉମାନଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ। ଏହି ଦିନ ସାଗର ବିଜେ କରିଥିବା ଅମାବାସ୍ୟା ଠାକୁର ଶ୍ରୀମନ୍ଦିର କୁ ବାହୁଡିବା ପରେ ପତି ମହାପାତ୍ର , ବାଡ଼ଗ୍ରାହୀ ଦଇତା ମାନେ ତିନି ଠାକୁରଙ୍କୁ ଚିତାଲାଗି କରିଥାନ୍ତି । ତିନୋଟି ସ୍ବର୍ଣ୍ଣ ଚିତା ଶ୍ରୀଜୀଉମାନଙ୍କ ମସ୍ତକର ଶୀର୍ଷ ଭାଗରେ ଓଷୁଅ ରେ ପାଟ ଡୋର ସାହାଯ୍ୟରେ ବନ୍ଧା ଯାଇଥାଏ।
ଏହି ୩ଟି ସୁବର୍ଣ୍ଣ ଚିତାଗୁଡିକୁ ମର୍କତ ଚିତା , ହୀରା ଚିତା ବା ବ୍ରହ୍ମଚିତା ଏବଂ ପାନ୍ନା ଚିତା କୁହାଯାଇଥାଏ। ଚିତା ଲାଗି ନୀତି ସରିଲା ପରେ ମହାସ୍ନାନ କରାଯାଇଥାଏ । ଏହି ତୀଥିରେ କେତେକ ନିଯୋଗ ମାନଙ୍କ ପକ୍ଷରୁ ଆଳତି ଭୋଗ ମଧ୍ୟ ହୋଇଥାଏ। ଏଥିରେ ଛେନା ତାଡ଼ିଆ , ଫାଳ ସୋଲା ପ୍ରଭୃତି ଭୋଗ ହୋଇଥାଏ।
ସେପଟେ ଚିତାଲାଗି ଅମାବାସ୍ୟାକୁ ଚିତଉ ଆମାସିଆ ବି କହନ୍ତି । ଏହି ଦିନ ମହାପ୍ରଭୁଙ୍କୁ ଚିତା ଲାଗି ପରେ ଚିତଉ ପିଠା ଭୋଗର ପରମ୍ପରା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁ ଚିତଉ ପିଠା ଖାଉଥିବାରୁ ପ୍ରତ୍ୟେକ ଓଡିଆଣୀ ନିଜ ନିଜ ଘରେ ଚିତଉ ପିଠା କରି ମାଆ ଲକ୍ଷ୍ମୀଙ୍କୁ ଭୋଗ କରିଥାନ୍ତି । ଚାଷି ଘରର ବାଡୁଅ ଝିଅମାନଙ୍କ ଦ୍ୱାରା ବିଲ ଓ ନଦୀ ମାନଙ୍କରେ ଚିତଉ ପିଠା ଭୋଗ କରାଯାଏ । ପରେ ସେ ସବୁକୁ ଗେଣ୍ଡା ଓ ଜଳଚର ଜୀବଙ୍କୁ ଖାଇବାକୁ ଦିଆ ଯାଏ । ନିଜ ବାପା ଓ ଭାଇମାନଙ୍କର ଶୁଭ କାମନା କରି ଏପରି କରାଯାଇଥାଏ ।