କାଲି ସଚିବାଳୟ ସେବା ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

0

ଭୁବନେଶ୍ୱର : ଆସନ୍ତା 30.06.2023 ଶୁକ୍ରବାର ମଧ୍ୟାହ୍ନ ଭୋଜନ ବିରତି ସମୟରେ ଲୋକସେବା ଭବନ ପରିସରରେ ସଚିବାଳୟ ସେବା ସଙ୍ଘ ତରଫରୁ କଳାବ୍ୟାଚ ପରିଧାନ ପୂର୍ବକ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସମାବେଶର ଆୟୋଜନ କରାଯାଇଛି ବୋଲି ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଯତ୍ନ ବରାଳ ଜଣାଇଛନ୍ତି ।
ପ୍ରକାଶ ଥାଉ କି, ରାଜ୍ୟ ସରକାର ୨୦୦୮ ମସିହାରେ ସଚିବାଳୟ ସେବା କ୍ୟାଡରରେ ଏ.ଏସ.ଓ. ପଦବୀ ସୃଷ୍ଟି କରିଥିଲେ l ସରକାରଙ୍କ ଏ ପଦକ୍ଷେପକୁ ସଂଘ ସେ ସମୟରେ ସ୍ୱାଗତ କରିଥିଲେ ମଧ୍ୟ ଏ.ଏସ.ଓ. ପଦବୀର ଦରମା ଅସଂଗତିକୁ ପୁନଃ ସମୀକ୍ଷା କରିବାକୁ ସରକାରଙ୍କୁ ନିୟମିତ ବ୍ୟବଧାନରେ ଅନୁରୋଧ କରିଆସୁଛି l ଏହା ମଧ୍ୟରେ 15 ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ସରକାର ଏ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି l କେନ୍ଦ୍ର ସଚିବାଳୟରେ କାର୍ଯ୍ୟରତ ଏ.ଏସ.ଓ. ମାନଙ୍କର ମୂଳ ଦରମା ଲେଭେଲ-୧୦ ରେ ଥିଲା ବେଳେ, ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଏ.ଏସ.ଓ. ମାନଙ୍କର ଦରମା ଲେଭେଲ-୯ ରେ ରହିଛି l ମାତ୍ର ରାଜ୍ୟର ଅନ୍ୟାନ୍ୟ କ୍ୟାଡରରେ କାର୍ଯ୍ୟରତ ଅଧିକାରୀମାନେ କେନ୍ଦ୍ର ପଦବୀ ହାରରେ ଦରମା ପାଉଥିବା ବେଳେ, ସରକାରଙ୍କ ନିକଟରେ କାର୍ଯ୍ୟରତ ଏ.ଏସ.ଓ. ମାନେ କେନ୍ଦ୍ର ପଦବୀ ହାରରେ ଦରମା ପାଇବାରୁ ବଞ୍ଚିତ ହେଉଛନ୍ତି l
ଏହି ପରିପ୍ରେକ୍ଷୀରେ ଉଲ୍ଲେଖ କରାଯାଇପାରେ କି, ଏ ସଂକ୍ରାନ୍ତରେ ସମସ୍ତ ସଚିବାଳୟ ସେବା ଅଧିକାରୀମାନଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମଧ୍ୟ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଅଛି l ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୃହ, ଅର୍ଥ ଓ ସାଧାରଣ ପ୍ରଶାସନ ବିଭାଗର ସଚିବମାନଙ୍କ ଉପସ୍ଥିତିରେ ସଂଘ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ l ସରକାରଙ୍କ ସ୍ଥାଣୁତାରେ ଅଶାନ୍ତି ପ୍ରକଟ କରି ଆସନ୍ତା 30 ତାରିଖ ଦିନ ସଂଘର ସମସ୍ତ ସଦସ୍ୟ କଳା ବ୍ୟାଚ ପରିଧାନ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ ପାଇଁ, ସଂଘର ସାଧାରଣ ପରିଷଦ ବୈଠକରେ ସ୍ଥିର ହୋଇଥିବା ବିଷୟରେ ଓଡ଼ିଶା ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ଶ୍ରୀ ବରାଳ ଅବଗତ କରାଇଛନ୍ତି l

Leave A Reply

Your email address will not be published.