ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୌଦ୍ଧିକ ‘ଚିନ୍ତନ’ : “ଶ୍ରୀ ଜଗନ୍ନାଥ ଓଡ଼ିଆ ଜନ ଜୀବନର ସର୍ବଶ୍ରେଷ୍ଠ ଆଧାର”
ପାରଳାଖେମୁଣ୍ଡି, / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଦ୍ବିତୀୟ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ସଂଚାଳିତ ବୌଦ୍ଧିକ ବିକାଶର ସ୍ୱର ‘ଚିନ୍ତନ’ ପକ୍ଷରୁ “ଓଡ଼ିଆ ଜନ ଜୀବନରେ ଶ୍ରୀଜଗନ୍ନାଥ” ଶୀର୍ଷକ ଏକ ଶୈକ୍ଷିକ ସମ୍ପାନ ସ୍ମାର୍ଟ-ରୁମ୍ ପ୍ରେକ୍ଷାଗୃହରେ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ପାନକୁ ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ମୁଖ୍ୟଅତିଥି ରୂପେ ଯୋଗଦେଇ ଡ. ତ୍ରିପାଠୀ ଶ୍ରୀଜଗନ୍ନାଥ ଧର୍ମ-ଦର୍ଶନର ମାନବବାଦୀ ଆଦର୍ଶ ଓ ମୂଲ୍ୟବୋଧକୁ ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ଦିଗରେ ପ୍ରୟାସ ହେବା ଆବଶ୍ୟକ ବୋଲି କହିଥିଲେ।
ସୋମବାର ପୂର୍ବାହ୍ନ ରେ ଆୟୋଜିତ ଏହି ସମ୍ପାନରେ ମୁଖ୍ୟ ଆଲୋଚକ ରୂପେ ଯୋଗଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଉପସଚିବ ଡ. କୁଳମଣି ଓଝା କହିଥିଲେ, ଦାରୁ ଦେବତା ଶ୍ରୀ ଜଗନ୍ନାଥ ଓଡ଼ିଆ ଜନ ଜୀବନର ସର୍ବଶ୍ରେଷ୍ଠ ଆଧାର। ଆଦ୍ୟରୁ ଅନ୍ତ୍ୟ ଓ ଜନ୍ମରୁ ମୃତ୍ୟୁ ଜୀବନର ପ୍ରତ୍ୟେକ ପର୍ଯ୍ୟାୟ , ପ୍ରତିଟି ପ୍ରସ୍ଥ ଓ ପ୍ରତି ପଦପାତରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଓଡ଼ିଆ ଜନ ଜୀବନ ସହିତ ଯୋଡ଼ି ହୋଇ ରହିଛନ୍ତି, ରହିଥିଲେ ଏବଂ ଯାବତ୍ ଚନ୍ଦ୍ରାର୍କେ ରହିଥିବେ। ଆଲୋଚନା ପ୍ରସଙ୍ଗରେ ଡ. ଓଝା ଶ୍ରୀଜଗନ୍ନାଥ ଧର୍ମ-ଦର୍ଶନ, ଚତୁର୍ଦ୍ଧା ମୂର୍ତ୍ତି ଅବଧାରଣାର ଉତ୍ପତ୍ତି , ଜଗନ୍ନାଥ ଚେତନାର କ୍ରମୋତ୍ତରଣ ଓ ଜଗନ୍ନାଥ ସଂସ୍କୃତିର କ୍ରମ-ସଂଚରଣ ସମ୍ପର୍କରେ ତଥ୍ୟ ସମ୍ବଳିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଉଡ୍ର ଭୂଖଣ୍ଡ ଓଡ଼ିଶା ଓ ଓଡ଼ିଶାର ସାର୍ଵଜନିକ ଜୀବନଚର୍ଯ୍ୟାରେ ଶ୍ରୀଜଗନ୍ନାଥ ଦିବ୍ୟତାରେ ଭରା ଏକ ମହିନ୍ମ ଉଚ୍ଚତାରେ ସର୍ବଦା ଆସୀନ ହୋଇ ରହି ଆସିଛନ୍ତି । ଶ୍ରୀକ୍ଷେତ୍ର ଏଭଳି ପୁଣ୍ୟମୟ ପୀଠ, ଯେଉଁଠି ମଣିଷ ଦେବତା ଓ ଦେବତା ମଣିଷରେ ରୂପାନ୍ତରିତ ହୋଇଯାଆନ୍ତି ବୋଲି ମୁଖ୍ୟ ଆଲୋଚକ ଡ. ଓଝା ଉଲ୍ଲେଖ କରିଥିଲେ।
ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପ-ନିର୍ଦ୍ଦେଶକ ଡ. ସୁଶାନ୍ତ ଦାସ ଏହି ସମ୍ପାନରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଜଗନ୍ନାଥ ଧର୍ମ-ଦର୍ଶନ ସହିତ ବୌଦ୍ଧ ତ୍ରିରତ୍ନର ସମ୍ପର୍କ ବିଷୟ ଉଲ୍ଲେଖ କରିଥିଲେ। ଜନ୍ମରୁ ମୃତ୍ୟୁ ଓଡ଼ିଆମାନଙ୍କ ଜୀବନ ଜଗନ୍ନାଥଙ୍କ ଆଶୀର୍ବାଦ ଓ କରୁଣାରେ ପରିପୁଷ୍ଟ ହୋଇଆସିଛି ଏବଂ ଜଗନ୍ନାଥ ହିଁ ବିଶ୍ୱ ମାନବବାଦର ଶ୍ରେଷ୍ଠ ପ୍ରତିଭୁ ଓ ପ୍ରଭୁ ବୋଲି ଡ. ଦାସ ମତବ୍ୟକ୍ତ କରିଥିଲେ।
ବୌଦ୍ଧିକ ବିକାଶର ସ୍ୱର ‘ଚିନ୍ତନ’ ସମ୍ବନ୍ଧରେ ପ୍ରାଗ୍-ଭାଷ ପ୍ରଦାନ ପୂର୍ବକ ଅଧ୍ୟକ୍ଷ ଡ. ତ୍ରିପାଠୀ ଓଡ଼ିଶାର ଜନଜୀବନରେ ଜଗନ୍ନାଥ ଧର୍ମର ପ୍ରଭାବ ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଡ. ବିଘ୍ନେଶ ମିଶ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ଡ. ଚନ୍ଦ୍ରଶେଖର ଦାସ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଶେଷରେ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି ବୌଦ୍ଧିକ ସମ୍ପାନରେ ଡ. ଜିତେନ୍ଦ୍ର ନାଥ ପଟ୍ଟନାୟକ, ସହକାରୀ ପ୍ରଫେସର୍ ରାଧାକାନ୍ତ ଭୂୟାଁ , ଡ. ରମାକାନ୍ତ ସାମଲ , ଅଧ୍ୟାପକ ଧ୍ରୁବଚରଣ ସେଠୀ , ଅଧ୍ୟାପକ ଅଶୋକ କୁମାର ଖଟେଇ , ଡ. ଅଶ୍ବିନୀ କୁମାର ରାଉତ , ଡ. ରାଜଲକ୍ଷ୍ମୀ ପଣ୍ଡା , ଡ. ବୈଦ୍ୟନାଥ ଦାଶ , ଡ. କିରଣବାଳା ଭୂୟାଁ , ଡ. କୋମଲ୍ ମଲ୍ଲିକଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡ. ଚନ୍ଦ୍ରଶେଖର ଦାସ , ଅଧ୍ୟାପକ ସୌଦାଗର ସୀୟ , ଅଧ୍ୟାପକ ଅର୍ଜୁନ ଜେନା ପ୍ରମୁଖ ସହଯୋଗ କରିଥିଲେ।