” ପାର୍ଟି ଛାଡି ମାଟି କଥା ଚିନ୍ତା କରନ୍ତୁ ମହେଶ ସାହୁ “
ଭୁବନେଶ୍ୱର – ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଙ୍କ ବିଜେଡି ଦଳ ଅସହିଷ୍ଣୁତାର ଶେଷ ପାହାଚରେ ଅଛନ୍ତି । ପାର୍ଟି ଛାଡି ସେ ପ୍ରଥମେ ମାଟି କଥା ଚିନ୍ତା କରନ୍ତୁ ବୋଲି ପ୍ରେସ୍ ବିବୃତ୍ତିରେ କହିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ।
ସେ କହିଛନ୍ତି ଯେ ଶଙ୍ଖ ଭବନ ବିଜେଡ଼ି ସାଂସଦ ମହେଶ ସାହୁଙ୍କ ଏବେ ଗୁରୁତ୍ୱ ଦେଲା ବୋଧେ । ଆଜି ପର୍ଯ୍ୟନ୍ତ ତ ତାଙ୍କୁ ଗୁରୁତ୍ୱ ଦେଉ ନଥିଲେ । ସେଥିପାଇଁ ଅନୁଗୁଳ ଢେଙ୍କାନାଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ହୋଇଥିବା ବିକାଶକୁ ଦେଖି ସାଂସଦ ଜାଣି ଅଜଣା ଭଳି ହେଉଛନ୍ତି । ୨୦୧୯ ମସିହାରେ ବିଧାନସଭା ଭୋଟ ତୁଳନାରେ ଲୋକସଭା ଭୋଟରେ ମହେଶ କାହିଁକି ପଛରେ ରହିଲେ, ଏ ଜବାବ ତାଙ୍କ ପାଖରେ ଅଛି କି?
ଶଙ୍ଖ ଭବନ ବା ରାଜ୍ୟ ବିଜେଡି ଏବେ ଶ୍ରୀ ସାହୁଙ୍କୁ ହୁଏତ ଗୁରୁତ୍ୱ ଦେଉଥାଇପାରେ । ମାତ୍ର ଏବେ ଅନେକ ଲୋକ ଜାଣୁଥିବେ ଯେ ସେ ହେଉଛନ୍ତି ଢେଙ୍କାନାଳର ଜଣେ ସାଂସଦ । ୨୦୧୯ ମସିହାରେ ବିଜେଡି ଏତେ ଭୟଭୀତ ହୋଇଯାଇଥିଲା ଯେ ବରିଷ୍ଠ ନେତା ତଥାଗତ ଶତପଥୀଙ୍କୁ ଦୂରେଇ ଦେଲେ । ପାଲଲହଡା ବିଧାନସଭା ଆସନରୁ ମହେଶ ସାହୁ ବିଧାୟକ ଥିଲେ । ମାତ୍ର ଲୋକସଭା ନିର୍ବାଚନରେ ସେ ପାଲଲହଡା ବିଧାନସଭା ଆସନରୁ ପାଇଥିବା ଭୋଟ ତୁଳନାରେ ଲୋକସଭା ଆସନରେ କାହିଁକି ପଛରେ ରହିଲେ ? ତାଙ୍କ କଥାର କିଛି ମୂଲ୍ୟ ନାହିଁ ।
ନିଜ ଜନ୍ମ ମାଟିର ବିକାଶ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରଣରୁ ୧୭ ହଜାର କୋଟି ଟଙ୍କା ବ୍ୟୟରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ହେଉଛି । ୧୧ ହଜାର ୮୪୩ କୋଟି ବ୍ୟୟରେ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରର ସମ୍ପ୍ରସାରଣ ହୋଇଛି । ୫୦୦ କୋଟି ଟଙ୍କାରେ ତାଳଚେର ମେଡ଼ିକାଲ କଲେଜର ନୂତନ ଭବନ ନିର୍ମାଣ ହୋଇଛି । ତାଳଚେର ବିମଳାଗଡ଼ ନୂଆ ରେଳ ଲାଇନ, ଅନୁଗୋଳ ସୁକିନ୍ଦା ନୂଆ ଲାଇନ, ସମ୍ବଲପୁର ତାଳଚେର ରେଳଲାଇନର ଦୋହରୀକରଣ, ଅନୁଗୋଳରୁ ବଳରାମ କୋଇଲା ଖଣିକୁ ରେଳ ସଂଯୋଗ ସହ ରେଳ ଭିତ୍ତିଭୂମିକୁ ମଜଭୂତ କରାଯାଇଛି । ଅନୁଗୋଳ ଜିଲ୍ଲାରେ ଚାରି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ୟମରେ ସଫଳ ହୋଇଛି । ଖାଲି ସେତିକି ନୁହେଁ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଆଦର୍ଶ ରେଳ ଷ୍ଟେସନ, ବିପିସିଏଲ କମନ ୟୁଜର ଫେସିଲିଟି,ଜୋରନ୍ଦାକୁ ଜଳ ଯୋଗାଣ ପାଇଁ ପ୍ରାୟ ୧୫ କୋଟି ଦେବାର ବ୍ୟବସ୍ଥା କରାଇଛନ୍ତି । ଏହା ସହ ସିଟି ଗ୍ୟାସବିତରଣ ଭଳି ଅନେକ ବିକାଶମୂଳକ କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭୂମିକା ଅବର୍ଣ୍ଣନୀୟ ।
ସାରା ଓଡିଶା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବିକାଶ ପୁରୁଷ, ପ୍ରଗତିର ସାରଥୀ, ଉଜ୍ଜ୍ୱଳା ମ୍ୟାନ କହୁଥିଲା ବେଳେ ସାଂସଦ ମହେଶ ସାହୁ ଶଙ୍ଖ ଭବନରେ ତାଙ୍କ ପ୍ରତି ଏଭଳି ଟିପଣୀ ଦେବା ହାସ୍ୟାସ୍ପଦ । ଯଦି ତାଙ୍କର ସତସାହସ ଅଛି ତା’ ହାଲେ ବିକାଶ ହୋଇନଥିବା କଥା ନିଜ ଅଞ୍ଚଳରେ କୁହନ୍ତୁ, ଲୋକେ ଏହାର ଜବାବ ଦେବେ । ଯଦି ବିଜୁ ଜନତା ଦଳ ଓ ଶ୍ରୀ ସାହୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ବିକାଶ ଆଉ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାଧାରଣ ଲୋକେ କିଭଳି ଉପକୃତ ହୋଇଛନ୍ତି ତାହା ଜାଣିବା ପାଇଁ ଇଚ୍ଛା ଅଛି ତା ହାଲେ ନିମ୍ନରେ ପ୍ରଦତ୍ତ ହୋଇଥିବା ଦସ୍ତାବିଜକୁ ଠିକ ଭାବରେ ପଢି ନିଅନ୍ତୁ ବୋଲି ପୂର୍ବତନ ସାଂସଦ ଶ୍ରୀ ପାଣି କହିଛନ୍ତି ।