ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ସିକୋ ପଞ୍ଚାୟତର ଅଭିମନ୍ୟୁ ସାମନ୍ତରାୟ, ଗତ ୬ମାସ ତଳେ ନିଜର ପରିବାର ପ୍ରତିପୋଷଣ ଉଦ୍ଦେଶ୍ୟରେ ସାଉଦି ଆରବର ରିଆଦ ଠାରେ ଜଣଙ୍କ ମାଲିକାନା ରେ ବୁଲଡୋଜର ଡ଼୍ରାଇଭର ଭାବେ କାମ କରିବାକୁ ଯାଇଥିଲେ। ଦୀର୍ଘ ୬ମାସ ବିତିଯାଇଥିଲେ ମଧ୍ୟ ସେ ତାଙ୍କ ପ୍ରାପ୍ୟ ପାଇନଥିଲେ ଏବଂ ଶାରିରୀକ ଓ ମାନସିକ ନିର୍ଯାତନା ର ଶିକାର ହେଉଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଯେବେ ସେ ସେଠାରୁ ଓଡ଼ିଶା ଫେରିବାକୁ ଚେଷ୍ଟା କଲେ ତାଙ୍କ ମାଲିକ ତାଙ୍କର ପାସପୋର୍ଟ ମଧ୍ୟ ରଖିଦେଲେ। ସେଠାରୁ ସେ କୌଣସି ପ୍ରକାରେ ସହାୟତା ପାଇଁ ପ୍ରଥମେ ତାଙ୍କ ଗ୍ରାମର ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲେ । ପରେ, ସ୍ଥାନୀୟ ସରପଞ୍ଚ ଜୁନ୍ ୬ ତାରିଖରେ ଓଡ଼ିଶା-ମୋ ପରିବାର ର ହେଲ୍ପ ଲାଇନ୍ ନଂ ରେ ଯୋଗାଯୋଗ କରିବାକୁ ସକ୍ଷମ ହୋଇଥିଲେ ଓ ତାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଅନୁରୋଧ କରିଥିଲେ।
ପ୍ରଥମେ ବାହାରିନରେ ଥିବା ଓଡ଼ିଶା-ମୋ ପରିବାରର ପ୍ରତିନିଧି ତଥା ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡଃ ଅରୁଣ କୁମାର ପ୍ରହରାଜଙ୍କ ଜରିଆରେ ଅଭିମନ୍ୟୁଙ୍କୁ ଓଡ଼ିଶା ଫେରିବା ପାଇଁ ଓଡ଼ିଶା-ମୋ ପରିବାର ଦ୍ଵାରା ଚେଷ୍ଟା କରାଯାଇଥିଲା । ଡଃ ପ୍ରହରାଜ, ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଓ ବୈଦେଶିକ ମନ୍ତ୍ରଣାଳୟ ସହ ନିରନ୍ତର ଯୋଗାଯୋଗରେ ରହିଥିଲେ ତଥା ଅଭିମନ୍ୟୁଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ। ମୁମ୍ବାଇର ଏଜେନ୍ସି ମାଧ୍ୟମରେ ବେଆଇନ ଭାବେ ସାଉଦି ଆରବ ଯାଇଥିବାରୁ ସଙ୍ଗେସଙ୍ଗେ ତାଙ୍କୁ ଭିସା ମିଳି ପାରିନଥିଲା। ଏହା ମଧ୍ୟରେ ତାଙ୍କ ମାଲିକ ତାଙ୍କୁ ବହୁ ଥର ଜୀବନରୁ ମାରିଦେବା ଧମକ ଦେଇଥିବାରୁ ଓଡ଼ିଶା-ମୋ ପରିବାର ଏବଂ ଡ଼ଃ ପ୍ରହରାଜ ପକ୍ଷରୁ ତାଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ରାଷ୍ଟ୍ରଦୂତ ଦାୟିତ୍ୱରେ ରଖା ଯିବାର ବ୍ୟବସ୍ଥା କରାଯାଇଥିଲା ଓ ତାଙ୍କ ପାସପୋର୍ଟ ଟିକୁ ରଦ୍ଦ କରି ଏକ ଅସ୍ଥାୟୀ ପାସପୋର୍ଟ ତିଆରି କରାଯାଇଥିଲା। ଏହା ମଧ୍ୟରେ ତାଙ୍କ ଧର୍ମପତ୍ନୀ ସବୁବେଳେ ମାନସିକ ଦୁଶ୍ଚିନ୍ତା ଓ ଚାପ ରେ ରହି ଗତ ୧୩ ତାରିଖ ଦିନ ମୃତ୍ୟୁ ବରଣ କରିଛନ୍ତି।
ପରିଶେଷରେ ଦୀର୍ଘ ୧୫ଦିନର ଅପେକ୍ଷା ପରେ, ନିରନ୍ତର ପ୍ରୟାସ ବଳରେ ଓଡ଼ିଶା-ମୋ ପରିବାର ଅଭିମନ୍ୟୁଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସକ୍ଷମ ହୋଇପାରିଛି। ଅଭିମନ୍ୟୁ ଓଡ଼ିଶା ଫେରିବା ପରେ ତାଙ୍କ ପତ୍ନୀଙ୍କ ଏକଦଶାହର ଶେଷ ରୀତିନୀତି ସମ୍ପନ୍ନ କରି ପାରିବେ ବୋଲି କହି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.