ସମଗ୍ର ଭୁବନ ଅଞ୍ଚଳରେ ବେଆଇନ କାରବାରର ପ୍ରାବଲ୍ୟ

0
  • ବେଧଡକ ଚାଲିଛି ମଦ , ଗଞ୍ଜେଇ , କୋଇଲା ଆଦିର ଚୋରା କାରବାର

  • ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରି ଲୁଟ କରୁଛନ୍ତି ଲୁଟେରା

  • ରାଜ୍ୟ ସ୍ତରୀୟ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି ।

ଢେଙ୍କାନାଳ/ (ରବିନ୍ ଦାସ) ; ସାରା ବିଶ୍ବରେ ପରିଚିତ ଏସିଆ ମହାଦେଶର ସର୍ବବୃହତ ଗ୍ରାମ ଭୁବନ ଯାହା ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲାରେ ଅବସ୍ଥିତ । ଏଠାରେ ଅନେକ ଖ୍ୟାତିସମ୍ପନ୍ନ କଳାକାର, ସମାଜସେବୀ , କବି ଓ ସାମ୍ବାଦିକ ଜନ୍ମ ଗ୍ରହଣ କରିଛନ୍ତି । ଏହି ଗ୍ରାମ ବିଶେଷକରି କଂସା ବାସନ କାରୀଗର ମାନଙ୍କ ପାଇଁ ବେଶ୍ ଖ୍ୟାତି ଅର୍ଜନ କରିପାରିଛି । ପର୍ବପର୍ବାଣୀ ମଧ୍ୟରୁ ଦଶହରା ପର୍ବ ବେଶ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ ଏବଂ ବର୍ତ୍ତମାନ ଗଣେଶ ପୂଜା ମଧ୍ୟ ସେହିପରି ପାଳନ କରାଯାଉଛି । କିନ୍ତୁ ବଡ଼ ପରିତାପର ବିଷୟ ଯେ ବିଶ୍ୱ ପ୍ରସିଦ୍ଧ ଏ ଭାଇଚାରାର ଗ୍ରାମ ଭୁବନ ଏବେ କିଛି ମନ୍ଦ ପ୍ରକୃତିର ଲୋକଙ୍କ କବଳରେ କବଳିତ । ବେଆଇନଭାବେ ଚୋରା କାରବାରରେ ଲିପ୍ତ ରହି ଭୁବନର ନମନୀୟ ନଷ୍ଟ କରିବାରେ ଲାଗିଛନ୍ତି କିଛି ମାଫିଆ । ମଦ , ଗଞ୍ଜେଇ , କୋଇଲା , ବାଲି , ପଥର ଆଦିର ଚୋରା କାରବାର ଏମିତି ପ୍ରଭାବ ବିସ୍ତାର କରିଛି ଯେଉଁଥିରେ ସାମାଜିକ ଓ ଅର୍ଥନୈତିକ ସ୍ଥିତି ଗଭୀର ଭାବରେ ପ୍ରଭାବିତ ହେଉଛି । ଏହି ବେଆଇନ କାର୍ଯ୍ୟରେ ସ୍ଥାନୀୟ ଅନେକ ଯୁବ ଭବିଷ୍ୟତ ପ୍ରଭାବିତ ହୋଇ ମାଫିଆ ରାସ୍ତା ଆପଣାଉଛନ୍ତି । ବିଳାସପୂର୍ଣ୍ଣ ଜୀବନ ଭୋଗ କରିବା ଆଶାରେ ବେଆଇନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ପରିବାର ଓ ନିଜ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛନ୍ତି । ଖୁବ୍ କମ୍ ପରିଶ୍ରମ ଓ କମ୍ ଦିନରେ ମାଲାମାଲ ହେବା ନିଶାରେ ନକଲି ମଦ ତିଆରି କରି ଭୁବନ ଓ ଆଖପାଖ ଅଞ୍ଚଳରେ କୋଟି କୋଟି ଟଙ୍କାର କାରବାର ଚଳାଇଛନ୍ତି । ରାଜ୍ୟର ଖଣି ଅଞ୍ଚଳ ତାଳଚେର ଆଡ଼ୁ ଆସୁଥିବା କୋଇଲା ବୋଝେଇ ଗାଡି ଅସଲ ଗ୍ରାହକ ପାଖକୁ ଯିବା ପୂର୍ବରୁ ଅତି ଚତୁରତାର ସହ ଉକ୍ତ ଗାଡ଼ିରୁ କୋଇଲା କାଢ଼ି ପରେ ପାଣି ମିଶ୍ରଣ କରି ଛାଡୁଛନ୍ତି ମାଫିଆ । ଗାଡି ଚାଳକ ଓ ମାଫିଆଙ୍କ ମିଳିତ ଯୋଜନାରେ ଏଭଳି ବେଆଇନ କାରବାର ଭୁବନର କିଛି ସ୍ବତନ୍ତ୍ର ସ୍ଥାନରେ ଚାଲିଥିବା ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନର ଅଗୋଚରରେ ଧିରେଧିରେ ଏଭଳି ସାଂଘାତିକ ଚୋରା କାରବାର ପ୍ରଭାବ ବିସ୍ତାର କରିବାରେ ଲାଗିଛି ଯାହା ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଛି । ଚୋରା ବାଲି କାରବାର ତ ଲୋକଲୋଚନକୁ ଆସି ସାରିଛି ଯାହା ଏବେ ସର୍ବସାଧାରଣରେ ଚାଲିଛି , ସରକାରୀ ସ୍ବୀକୃତି ବିନା ଦିନକୁ ଲକ୍ଷ ଲକ୍ଷ ଟଙ୍କାର ବାଲି ଚୋରା ଚାଲାଣ ଚାଲିଛି । ବେଆଇନ ମଦ , ଗଞ୍ଜେଇ କାରବାର କଥା କହିଲେ ନସରେ , ସ୍ଥାନୀୟ ଅଞ୍ଚଳରେ ଏହାର ପ୍ରଭାବ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଅନେକ କିଶୋର ବୟସର ପିଲା ମଧ୍ୟ ଏହା ପାନ କରୁଛନ୍ତି । ବହୁ ଛକ ଗଳିକନ୍ଦି ମାନଙ୍କରେ ନକଲି ମଦ ଓ ଗଞ୍ଜେଇ ମିଳୁଥିବାରୁ ଅତି ସହଜରେ କିଶୋର ବୟସର ପିଲାମାନେ ଏହାକୁ ପାଇ ଯାଉଛନ୍ତି । ଏଭଳି ବିଷାକ୍ତ ନିଶାଦ୍ରବ୍ୟ ବ୍ୟବହାର କରି ଅଭ୍ୟସ୍ତ ହୋଇଯାଇଥିବା ବ୍ୟକ୍ତି ଓ ପିଲାମାନେ କାହାର କୈାଣସି କଥା ଶୁଣୁନାହାନ୍ତି ଫଳରେ ଅନେକ ପରିବାରରେ ଅଶାନ୍ତି ଦେଖିବାକୁ ମିଳୁଛି । ମାଙ୍କଡ଼ା ପଥର ଓ ପର୍ବତ ପଥର ଚୋରା କାରବାର ବହୁବାର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ହେଲେ ଏପର୍ଯ୍ୟନ୍ତ ତାହା ବନ୍ଦ ହୋଇପାରିଲା ନାହିଁ । ଦିନକୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଲୁଟିବା ସହିତ ପ୍ରାକୃତିକ ସମ୍ପଦ ଭଳି ଅମୁଲ୍ୟ ସମ୍ପଦକୁ ନଷ୍ଟ କରିଚାଲିଛନ୍ତି କିଛି ଅସାମାଜିକ ହେଲେ ସରକାର ନୀରବଦ୍ରଷ୍ଟା । ଏଭଳି ଅନେକ ବେଆଇନ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହେଲେ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ରାଜ୍ୟ ସରକାର ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି । ଫଳରେ ଭୁବନ ଭଳି ଅନେକ ଐତିହ୍ୟ ସମ୍ପନ୍ନ ଅଞ୍ଚଳ ଏଭଳି ବେଆଇନ କାରବାରର କୁପ୍ରଭାବରେ ପ୍ରଭାବିତ ହୋଇ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କ୍ଷତି ସହୁଛି । ରାଜ୍ୟରେ ରାଜସ୍ବ ଲୁଟ୍ ପାଇଁ ଅର୍ଥନୈକ ସ୍ଥିତି ଦୁର୍ବଳ, ପ୍ରାକୃତିକ ସମ୍ପଦ ନଷ୍ଟ ପାଇଁ ପରିବେଶ ଅସୁରକ୍ଷିତ ଏବଂ ଅସାମାଜିକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସମାଜ ବିଶୃଙ୍ଖଳିତ । ଭୁବନ ଥାନା ଅନ୍ତର୍ଗତ ପ୍ରତ୍ୟେକ ଅଞ୍ଚଳରେ ଦୈନିକ ଚୋରି ବୃଦ୍ଧି ପାଇବାରେ ଲାଗିଛି ଯାହା ସ୍ଥାନୀୟ ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି ଲୁଟେରାମାନେ ସ୍ପଷ୍ଟ ଦିବାଲୋକରେ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ କରୁଛନ୍ତି । ଦୀର୍ଘଦିନ ଧରି ଏମିତି ଲୁଟ୍ ହେଉଥିଲେ ମଧ୍ୟ ଅଦ୍ୟାବଧି ସ୍ଥାନୀୟ ପୋଲିସ ହାତ ଖାଲି ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସମାଜରେ ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ଦୃଢ଼ ଭାବରେ ନିନ୍ଦା କରିବା ସହିତ ଏହାର ବିସ୍ତାର ପାଇଁ ଶାସକ ଓ ପ୍ରଶାସକ ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତ ରହିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଭୁବନରେ ଚାଲୁଥିବା ଏସବୁ ବେଆଇନ କାରବାର ଉପରେ ରୋକ ଲଗାଇବାକୁ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.