ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଏବେ ଭୂତକୋଠିରେ ପରିଣତ ହେଲାଣି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୟାଗଡ଼ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ସ୍ଥାପିତ ଏହି କାର୍ଯ୍ୟାଳୟ ଗତ ୨୦୧୯ ମସିହାରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଏବଂ ତତ୍କାଳୀନ ଜିଲ୍ଲାପାଳ ଏନ.ଥିରୁମାଳା ନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ତେବେ ଉଦଘାଟନ ପରଠାରୁ ଏହି କାର୍ଯ୍ୟାଳୟରେ ତାଲା ପଡ଼ିଛି । ଦୀର୍ଘ ୪ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ବନ୍ଦ ରହିଥିବା ଏହି କାର୍ଯ୍ୟାଳୟ ଗୃହ ଭିତରେ ବରଅଶ୍ୱସ୍ଥ ଭଳି ଗଛ ଉଠିବା ସହିତ ଉଇହୁଙ୍କା ଏବଂ ସରୀସୃପଙ୍କ ଆଶ୍ରୟସ୍ଥଳୀରେ ପରିଣତ ହୋଇଛି । ଅନ୍ୟପକ୍ଷରେ ଏଠାରେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନାହାନ୍ତି । ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ଅଛନ୍ତି । ଏ ବାବଦରେ ତାଙ୍କ ସହିତ ଯୋଗାଯୋଗ କରିବାରେ ସେ କହିଲେ ଯେ ଅଫିସ କାର୍ଯ୍ୟ କରିବା ପାଇଁ ଏଠାରେ କମ୍ପ୍ୟୁଟର,ଚେୟାର,ଟେବୁଲ ଆଦି ଆସବାବ ପତ୍ର କିଛି ନାହିଁ । ଜଣେ ପିଅନକୁ ଛାଡ଼ି ଦେଲେ ଏଠାରେ କାର୍ଯ୍ୟ କରିବା ପାଇଁ କୌଣସି କର୍ମଚାରୀ ଏ ପର୍ଯ୍ୟନ୍ତ ନିଯୁକ୍ତ ହୋଇ ନାହାନ୍ତି । ବର୍ତ୍ତମାନ ଅସ୍ଥାୟୀଭାବେ ପଠାଣି ସାମନ୍ତ ଅଡିଟୋରିୟମ ପରିସରରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଚାଲିଛି । ଜିଲ୍ଲାରେ ୧୩ଟି ସ୍ଥାନ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରାଯାଇଥିବା ବେଳେ ଏହି ସବୁ ସ୍ଥାନକୁ ଯିବା ପାଇଁ ତାଙ୍କ ପାଇଁ ବିଭାଗ ପକ୍ଷରୁ କୌଣସି ଗାଡ଼ିର ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଏ ନେଇ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କ ସହିତ ଯୋଗାଯୋଗ କରିବାରେ ସେ କହିଲେ ଯେ ଠିକାଦାର କାର୍ଯ୍ୟ ସମାପ୍ତ କରି ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆମକୁ ହସ୍ତାନ୍ତର କରିନାହିଁ । ଫଳରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଚାଲିପାରୁ ନାହିଁ । ତେବେ ୨୦୧୯ ମସିହାରୁ ଉଦଘାଟିତ ହୋଇଥିବା ଏହି କାର୍ଯ୍ୟାଳୟକୁ ଠିକାଦାର ଏ ପର୍ଯ୍ୟନ୍ତ ହସ୍ତାନ୍ତର କରିନଥିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ କଣ ପଦକ୍ଷେପ ନେଉଛି ତାହକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post