ଖାଲି ଟ୍ରେନ ଯୋଗୁଁ ପାସେଞ୍ଜର ଟ୍ରେନ ଛାଡିବାରେ ବିଳମ୍ବ, ଯାତ୍ରୀ ହନ୍ତସନ୍ତ

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ପ୍ରତି ରେଳ ବିଭାଗର କ୍ରମାଗତ ଅବହେଳା ତଥା ବୈମାତୃକ ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଯେଉଁ ଆଶା ଭରସା କରି ଜିଲ୍ଲାବାସୀ ରେଳ ସେବାକୁ ଚାହିଁ ବସିଥିଲେ ତାହା ଏବେ ପାଣି ଫୋଟକା ପରି ମିଳେଇ ଯିବାରେ ଲାଗିଛି। ଆଜି ଅପରାହ୍ନରେ ନୟାଗଡ଼ରୁ ଭୁବନେଶ୍ୱର ଯିବାକୁ ଥିବା ସେବା ଏକ୍ସପ୍ରେସ ରେଳ ବିଭାଗ ର ଖାମଖିଆଲ ଯୋଗୁଁ ଏକ ଘଣ୍ଟା ବିଳମ୍ବରେ ଛାଡିଛି। ଏହି ଟ୍ରେନ ଅପରାହ୍ନ ୪ଟା ୪୫ରେ ଛାଡିବାକୁ ଥିବା ବେଳେ ଏହା ୫ଟା ୩୦ରେ ଭୁବନେଶ୍ୱର ଛାଡିଥିଲା। ଖବର ନେବାରୁ ଜଣା ପଡ଼ିଛି ଯେ ଖୋର୍ଦ୍ଧା ରୋଡ଼ରୁ ଏକ ଖାଲି ଟ୍ରେନ ମହିପୁର ଅଭିମୁଖେ ଏହି ସମୟରେ ଆସୁଥିଲା । ନୟାଗଡ଼ ଟାଉନ ଖୋର୍ଦ୍ଧା ରୋଡ଼ ସିଙ୍ଗଲ ଲାଇନ ହୋଇଥିବାରୁ ଏହି ଖାଲି ଟ୍ରେନ ନୟାଗଡ଼ରେ ନପହଂଚିବା ପର୍ଯ୍ୟନ୍ତ ଭୁବନେଶ୍ୱରକୁ ସେବା ଏକ୍ସପ୍ରେସ ଛାଡି ନଥିଲା। ତେବେ ଏହି ଖାଲି ଟ୍ରେନଟି ନୟାଗଡ଼ ଷ୍ଟେସନରେ ପହଞ୍ଚିବା ପରେ ସେବା ଏକ୍ସପ୍ରେସ ଭୁବନେଶ୍ୱରକୁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଛାଡିଥିଲା। ସେହିପରି ଠିକ ୧୦ମିନିଟ ପରେ ସେବା ଏକ୍ସପ୍ରେସ ପଛେ ପଛେ ନୟାଗଡ଼ ଭଦ୍ରକ ଟ୍ରେନ ଛାଡିଥିଲା। ଅନ୍ୟ ପକ୍ଷରେ ସେବା ଏକ୍ସପ୍ରେସ ଏବଂ ଭଦ୍ରକ ଟ୍ରେନ ମଧ୍ୟରେ ମାତ୍ର ୧୦ ମିନିଟ ବ୍ୟବଧାନ ରହୁଥିବାରୁ ଜନସାଧାରଣ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ରେଳ ବିଭାଗ ନିକଟରେ ଦାବି କରାଯାଉଥିବା ବେଳେ ରେଳ ବିଭାଗ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.