ଦୀର୍ଘ ଦିନର ବିବାଦ ହେଲା ଅନ୍ତ, ୨ବର୍ଷ ପରେ ଗ୍ରାମକୁ ଫେରିଲେ ଦଳିତ ପରିବାର

0 3

ନୟାଗଡ଼, (ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ଜାକେଡା ଗ୍ରାମର ଅନୁସୂଚିତ ଜାତି ଲୋକ ଓ ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରାମର କୋଠ ସମ୍ପତି,ମାଛ ଚାଷ, ଆମ୍ବତୋଟା ଓ କାଜୁଜଙ୍ଗଲକୁ ନେଇ ଅନୁସୂଚିତ ଜାତିର ୨୦ ଟି ପରିବାର ଓ ସାଧାରଣ ବର୍ଗର ଲୋକମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗଣ୍ଡଗୋଳ ଆରମ୍ଭ ହୋଇ ଗାଁ ମନ୍ଦିରରେ ପ୍ରବେଶ କରାଇ ନ ଦେବା, କୋଠାଘର ନିର୍ମାଣ ଆଦିଘଟଣାରୁ ଉଭୟ ଗୋଷ୍ଠି ମଧ୍ୟରେ ବିବାଦ ବିସ୍ଫୋରକ ରୂପ ଧାରଣ କରିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ହୋଇ ଦୁଇ ଜଣଙ୍କୁ ଅପହରଣ ଓ ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ଉତ୍ତେଜନା ଆହୁରି ଅଧିକ ହୋଇଥିଲା ଫଳରେ ଅନୁସୂଚିତ ଜାତିର ୨୦ଟି ପରିବାରର ୮୦ ରୁ ଅଧୂକ ସଦସ୍ୟ ଗାଁ ଛାଡି ପ୍ରଥମେ ଶିଖରପୁର ପରେ ନୟାଗଡ଼ ପାଣିପୋଇଲା ଏବଂ ଶେଷରେ ଭୁବନେଶ୍ବର ପିଏମଜି ଛକରେ ଧାରଣା ଦେଇଥିଲେ । ଗତବର୍ଷ ନଭେମ୍ବର ମାସ ୨୬ ତାରିଖରେ ଜିଲ୍ଲା ପ୍ରଶାସନ ଧାରଣାକାରୀଙ୍କୁ ନୟାଗଡ଼ ଫେରାଇ ଆଣି ଶରଣକୁଳ ଥାନା ପଛପାଖ ଯାତ୍ରୀ ନିବାସରେ ରଖୁ ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଇ ଥିଲେ । ସମସ୍ୟାର କୌଣସି ସମାଧାନ ହୋଇପାରି ନ ଥିବାରୁ ଏ ପର୍ଯ୍ୟନ୍ତ ଅନୁସୂଚିତ ପୁରୁଷ ମହିଳା ଓ ସେମାନଙ୍କ ଛୁଆ ପିଲା ଯାତ୍ରୀ ନିବାସରେ ରହି ପଞ୍ଚ।ୟତ ଆଶ୍ରୟରେ ପଡି ରହିଥିଲେ ।

ପ୍ରଶାସନ ପକ୍ଷରୁ ଶାନ୍ତି ପାଇଁ ଉଦ୍ୟମ କରାଯାଇଥିବା ବେଳେ ତାହା ସମ୍ଭବ ହୋଇନଥିବା ଦେଖାଯାଇଛି । ଗତ ୧୬ ତାରିଖରେ ଏକ ବୈଠକ କରାଯାଇ ୨୩ ତାରିଖରେ ଗ୍ରାମକୁ ଫେରିବା ପାଇଁ ନିଷ୍ପତି ହୋଇଥିଲା । ଜାକଡା ଗ୍ରାମର ଅନୁସୁଚିତ ଜାତି ଲୋକମାନେ ଗ୍ରାମକୁ ଫେରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲା । ହରିଡ଼ାବନ୍ଧ ଗ୍ରାମ ପଞ୍ଚାୟତ ଠାରେ ଉଭୟ ପକ୍ଷର ଲୋକ ମାନଙ୍କୁ ଡାକି ଏକ ବୈଠକ କରାଯାଇଥିଲା। ଏହି ବୈଠକରେ ଅନୁସୁଚିତ ଜାତି ଓ ଜନଜାତିର ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ଡିଡବ୍ଲୁଓ ଦୟାନିଧ୍ଵ ନାୟକ, ଶରଣକୁଳ ଆଇଆଇସି ଜୟଦିପ ମହାନ୍ତି, ସ୍ଥାନୀୟ ସରପଞ୍ଚ ବେଣୁଧର ବିଶ୍ବାଳ, ସମିତିସଭ୍ୟ ମନୋରଞ୍ଜନ ପଢ଼ିଆରୀ, ବରିଷ୍ଠ ରାଜସ୍ବ ସହାୟକ ବନମାଳୀ ସ୍ବାଇଁ ଓ ଗ୍ରାମ୍ୟ କମିଟିର ସଭାପତି ଉପସ୍ଥିତ ରହିଥିଲେ । ଆସନ୍ତା ୨୩ ତାରିଖରେ ଅନୁସୁଚିତ ଜାତିର ଲୋକମାନେ ଗ୍ରାମକୁ ଫେରିବା ପାଇଁ ରାସ୍ତା ଫିଟିଥିଲା । ଏଥି ନିମନ୍ତେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଉଭୟ ପକ୍ଷର ୫ଜଣ ଲେଖାଏଁ ଏହି କମିଟିରେ ରହିଛନ୍ତି । ଉକ୍ତ କମିଟିର ଉପଦେଷ୍ଟା ଭାବେ ସ୍ଥାନୀୟ ବିଡିଓ, ତହସିଲଦାର, ଥାନା ଆଇଆଇସି ଓ ଡିଡବ୍ଲୁଓ ରହିଥିଲେ । ୨୩ ତାରିଖ ପୂର୍ବରୁ ଶାନ୍ତି କମିଟି ରିପୋର୍ଟ ଦେବାର ଥିଲା । ଆଜି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ଏକ ସ୍ବତନ୍ତ୍ର ବସ ଯୋଗେଘର ବାହୁଡା ହୋଇଛନ୍ତି ଗ୍ରାମବାସୀ । ଆଜି ସକାଳୁ ସକାଳୁ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ସେମାନଙ୍କ ଫେରିବା ବ୍ୟବସ୍ଥା କରିଥିଲେ । ଜାକେଡା ମୌଜାର ନିର୍ଯାତିତ ଓ ବିତାଡିତ ହୋଇଥିବା ୨୦ ଗୋଟି ଦଳିତ ପରିବାରକୁ ନ୍ୟାୟ ପ୍ରଦାନ କରିବା ସହିତ

ଗ୍ରାମକୁ ଫେରାଇ ନେବାରେ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିଥିବା ରାଜ୍ୟ ସରକାରଙ୍କ ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତି କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ ଓ ଉପଶାସନ ସଚିବ ଶେଷ ଦଳବେହେରା ଳଓ ରାଜ୍ୟ ଆମ୍ବେଦକର ବିଚାରମଞ୍ଚ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଜି ଶରଣକୁଳ ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ରଠାରେ ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ସ୍ଥାନୀୟ ତହସିଲଦାର, ଡିଡବ୍ଲୁଓ ଦୟାନିଧୂ ନାୟକ ଓ ଶରଣକୁଳ ଥାନା ଅଧିକାରୀ ଜୟଦୀପ ମହାନ୍ତି ଉପସ୍ଥିତ ରହି ସେମାନଙ୍କୁ ଘର ବାହୁଡା କରିଛନ୍ତି । ଫଳରେ ଜିଲ୍ଲାର ଏକ ବଡ଼ ସମସ୍ୟାର ଅନ୍ତ ଘଟିଛି ।

Leave A Reply

Your email address will not be published.