ପ୍ରକଳ୍ପ ସକ୍ଷମ ଜରିଆରେ ମହିଳାଙ୍କୁ ଦକ୍ଷତା ବିକାଶ ଓ ଜୀବିକାର ସୁଯୋଗ ଯୋଗାଉଛି ଉତ୍କଳ ଆଲୁମିନା

8

ସିଲେଇ କାମରୁ ଆର୍ଥିକ ସ୍ୱାବଲମ୍ବନ ହେଲେ ସମିତା

ରାୟଗଡ଼ା, ୧୭/୧୧: ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍ (ୟୁଏଆଇଏଲ୍), ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସିଏସ୍ଆର୍ ପଦକ୍ଷେପ ‘ପ୍ରୋଜେକ୍ଟ ସକ୍ଷମ’ ଅଧୀନରେ ଦକ୍ଷତା ବିକାଶ ତାଲିମ ଗ୍ରହଣ କରି ସମିତା ଆଜି ସିଲେଇ କାର୍ଯ୍ୟ ମାଧ୍ୟମରେ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଆତ୍ମନିର୍ଭରଶୀଳ ହେବାର ଦୃଢ଼ ଇଚ୍ଛାଶକ୍ତି ଏବଂ ସଠିକ୍ ସୁଯୋଗ ଜଣେ ମହିଳାଙ୍କ ଜୀବନରେ କିପରି ସକାରାତ୍ମକ ପରିବର୍ତ୍ତନ ଆଣିପାରେ, ତାହାର ଏକ ପ୍ରେରଣାଦାୟକ ଉଦାହରଣ ହେଉଛନ୍ତି ସମିତା ନାଏକ।

କାଶୀପୁର ବ୍ଲକର କଳିଆକଣା ଗ୍ରାମର ବାସିନ୍ଦା ସମିତା ନାଏକ, ନିଜ ସ୍ୱାମୀ ପ୍ରହଲ୍ଲାଦ ନାଏକଙ୍କ ସହ ଉନ୍ନତ ଜୀବନଯାପନ ଏବଂ ଦୁଇ ସନ୍ତାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ନେଇ ଟିକିରି ଆସିଥିଲେ। ତାଙ୍କ ସ୍ୱାମୀ ଉତ୍କଳ ଆଲୁମିନା ସହ ସଂପୃକ୍ତ ଏକ କମ୍ପାନିରେ କାର୍ଯ୍ୟ କରନ୍ତି। ତେବେ ଗୋଟିଏ ରୋଜଗାରରେ ଘରଭଡ଼ା, ପରିବାରର ଖର୍ଚ୍ଚ ଏବଂ ପିଲାମାନଙ୍କ ପାଠପଢ଼ା ତୁଲାଇବା କଷ୍ଟକର ହେଉଥିଲା।

ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହ ନିଜେ ଆତ୍ମନିର୍ଭର ହେବାର ସଂକଳ୍ପ ନେଇ ସମିତା ଘରର ଚାରିକାନ୍ଥ ବାହାରକୁ ଆସି ଜୀବିକାର ସୁଯୋଗ ଖୋଜିଥିଲେ। ଏହି ସମୟରେ ଉତ୍କଳ ଆଲୁମିନାର ସିଏସ୍ଆର୍ ପଦକ୍ଷେପ ପ୍ରୋଜେକ୍ଟ ସକ୍ଷମ ଅଧୀନରେ ପରିଚାଳିତ ‘ସକ୍ଷମ ଗାର୍ମେଣ୍ଟ ୟୁନିଟ୍’ ତାଙ୍କ ପାଇଁ ନୂଆ ସୁଯୋଗ ଆଣିଥିଲା।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମିତା ପ୍ରଥମ ଦୁଇ ମାସ ମୌଳିକ ତାଲିମ ଏବଂ ପରବର୍ତ୍ତୀ ଚାରି ମାସ ସ୍ୱତନ୍ତ୍ର ସିଲେଇ ତାଲିମ ଗ୍ରହଣ କରିଥିଲେ। ନିଜର ନିଷ୍ଠା, ଏକାଗ୍ରତା ଓ କଠିନ ପରିଶ୍ରମ ବଳରେ ସେ ତାଲିମ ସଫଳତାର ସହ ସମାପ୍ତ କରି ସିଲେଇ କାର୍ଯ୍ୟକୁ ନିୟମିତ ଜୀବିକା ଭାବେ ଆପଣାଇଛନ୍ତି।

ଆଜି ସେ ସିଲେଇ କାର୍ଯ୍ୟରୁ ମାସିକ ୧୩ ହଜାରରୁ ୧୬ ହଜାର ଟଙ୍କା ଆୟ କରୁଛନ୍ତି। ଗତ ଛଅ ମାସ ଧରି ତାଙ୍କର ଏହି ନିୟମିତ ଆୟ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ତାଙ୍କୁ ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନର ନୂଆ ପରିଚୟ ଦେଇଛି। ସେ ଏବେ ସ୍ୱାମୀଙ୍କ ସହ ପରିବାରର ଆର୍ଥିକ ଦାୟିତ୍ୱ ବହନ କରିବା ସହ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ନିଷ୍ପତ୍ତିରେ ସମାନ ଭାଗୀଦାର ହୋଇପାରିଛନ୍ତି।

ତାଙ୍କର ଏହି ଆର୍ଥିକ ସ୍ୱାବଲମ୍ବନର ସବୁଠାରୁ ବଡ଼ ସଫଳତା ହେଉଛି ନିଜ ଦୁଇ ସନ୍ତାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାର ସ୍ୱପ୍ନକୁ ସାକାର କରିବା। ଏବେ ସେ ନିଜ ପିଲାମାନଙ୍କୁ ରାୟଗଡ଼ାସ୍ଥିତ ସେଣ୍ଟ ଜାଭିୟର୍ସ ଆବାସିକ ପବ୍ଲିକ୍ ସ୍କୁଲରେ ପଢ଼ାଇବାରେ ସକ୍ଷମ ହୋଇଛନ୍ତି।

ସମିତାଙ୍କ ଏହି ଯାତ୍ରା ପ୍ରମାଣ କରୁଛି ଯେ, ଉପଯୁକ୍ତ ଦକ୍ଷତା ବିକାଶ ତାଲିମ ଓ ସୁଯୋଗ ମିଳିଲେ ମହିଳାମାନେ କେବଳ ନିଜ ଜୀବନରେ ନୁହେଁ, ବରଂ ପରିବାର ଓ ସମାଜର ଆର୍ଥିକ ପ୍ରଗତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରନ୍ତି। ପ୍ରୋଜେକ୍ଟ ସକ୍ଷମ୍ ଜରିଆରେ ଉତ୍କଳ ଆଲୁମିନା ଏହାର କାର୍ଯ୍ୟକ୍ଷେତ୍ର ପରିସରରେ ମହିଳାମାନଙ୍କ ଦକ୍ଷତା ବିକାଶ, ଜୀବିକା ସୃଷ୍ଟି ଓ ଆର୍ଥିକ ସ୍ୱାବଲମ୍ବନକୁ ପ୍ରୋତ୍ସାହିତ କରି ଏକ ସମାବେଶୀ ଓ ସମୃଦ୍ଧ ସମାଜ ଗଠନ ଦିଗରେ ନିଜର ପ୍ରତିବଦ୍ଧତାକୁ ଆଗେଇ ନେଉଛି।

ସମିତାଙ୍କ କାହାଣୀ କେବଳ ସିଲେଇ କାମରୁ ରୋଜଗାର କରିବାର କାହାଣୀ ନୁହେଁ; ଏହା ଜଣେ ମହିଳାଙ୍କ ଆତ୍ମବିଶ୍ୱାସ, ସଂଘର୍ଷ, ସ୍ୱାଭିମାନ ଓ ସ୍ୱପ୍ନ ପୂରଣର ପ୍ରେରଣାଦାୟକ ଗାଥା। ଉତ୍କଳ ଆଲୁମିନା ଏହାର ସିଏସଆର ପକ୍ଷରୁ ପ୍ଲାଣ୍ଟ ଏବଂ ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ସ୍ଥାୟୀ ଜୀବିକା ତଥା ଶିକ୍ଷା, ସ୍ୱାସ୍ଥ୍ୟ ଓ ପାରିପାର୍ଶ୍ୱିକ ଉନ୍ନତି ଆଦି ଦିଗରେ ଅବିରତ ପ୍ରୟାସ ଜରିଆରେ ଗ୍ରାମବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଅଛି, ଯାହା କମ୍ପାନୀର ପାରିପାର୍ଶ୍ୱିକ ଅଞ୍ଚଳର ସାମୂହିକ ଉନ୍ନତି ଦିଗରେ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଅଛି।

Leave A Reply

Your email address will not be published.