ଐତିହାସିକ ବାଲିଯାତ୍ରା–୨୦୨୬କୁ ନେଇ ପ୍ରଚାର ଅଭିଯାନର ଶୁଭାରମ୍ଭ

8

କଟକ ତା ୧୭.୧୧.୨୦୨୬ ରିଖ କଟକରେ ବାଲିଯାତ୍ରା ପାଇଁ ପତାକା ଦେଖାଇ ପ୍ରଜ୍ଞାପନ ରଥର ଶୁଭାରମ୍ଭ କଲେ କଟକ ଜିଲ୍ଲାପାଳ. ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ଐତିହାସିକ ଅସ୍ମିତାର ପ୍ରତୀକ ବାଲିଯାତ୍ରା–୨୦୨୬କୁ ଅଧିକ ଜନାଭିମୁଖୀ କରିବା ସହ ଏହାର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପଦକ୍ଷେପ। ଏହି କ୍ରମରେ ଐତିହାସିକ ବାଲିଯାତ୍ରା ଉପଲକ୍ଷେ ବାଲିଯାତ୍ରା ପଡ଼ିଆସ୍ଥିତ ବୈଷ୍ଣବ ପାଣି ମଞ୍ଚ ସମ୍ମୁଖରେ ବାଲିଯାତ୍ରା ପ୍ରଜ୍ଞାପନ ମେଢ଼ ଓ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଉପସ୍ଥିତ ରହି ପତାକା ଦେଖାଇ ପ୍ରଜ୍ଞାପନ ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ମାଧ୍ୟମରେ ବାଲିଯାତ୍ରାର ଐତିହ୍ୟ, ପରମ୍ପରା, ସାଂସ୍କୃତିକ ମହତ୍ତ୍ୱ ଓ ଆୟୋଜନ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ଉତ୍ସାହ ସୃଷ୍ଟି କରିବାର ପ୍ରୟାସ କରାଯାଇଛି।

କଟକର ଐତିହାସିକ ବାଲିଯାତ୍ରା କେବଳ ଏକ ବାଣିଜ୍ୟିକ ମେଳା ନୁହେଁ, ବରଂ ଏହା ଓଡ଼ିଆ ସାଧବପୁଅଙ୍କ ସାହସିକ ସାମୁଦ୍ରିକ ଯାତ୍ରା, ବିଦେଶ ସହ ବାଣିଜ୍ୟିକ ସମ୍ପର୍କ ଏବଂ ସମୃଦ୍ଧ ନୌବାଣିଜ୍ୟ ଇତିହାସର ଜୀବନ୍ତ ପ୍ରତୀକ। ଏହି ମହାନ ପରମ୍ପରାକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ସହ ବାଲିଯାତ୍ରାର ମହତ୍ତ୍ୱକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଚାର କରିବା ଦିଗରେ ପ୍ରଜ୍ଞାପନ ରଥ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ବୋଲି ଆଶା କରାଯାଉଛି।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ। ଆଗାମୀ ବାଲିଯାତ୍ରାକୁ ଆକର୍ଷଣୀୟ, ଶୃଙ୍ଖଳିତ ଓ ସଫଳ କରିବା ସହ ଏହାର ଐତିହାସିକ ଗୁରୁତ୍ୱକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ଗୁରୁତ୍ୱ ଦିଆଯାଉଛି।

Leave A Reply

Your email address will not be published.