ମୋଦିଙ୍କ ପରେ ଗର୍ଜିଲେ ଶାହା : ଏଥର  ବି କହିଲେ “ନବୀନ ସରକାରକୁ ଉଖାଡ଼ି ଫୋପାଡ଼ି ଦିଅ” 

0 1

 

ପୁରୀ/କୁମାର ଅଭିଶେଖ – ଓଡିଶାକୁ ବିକାଶରେ ଏକ ନମ୍ବର କରିବା ପରିବର୍ତେ ନବୀନ ପଟ୍ଟନାୟକଙ୍କର ଲମ୍ବା ଶାସନ ମହିଳା ବିରୋଧୀ ହିଂସାରେ ଓଡିଶାକୁ ଦେଶର ଆଗୁଆ ରାଜ୍ୟ କରିଛି । ରାଜ୍ୟରେ ନିର୍ବାଚିତ ଜନ ପ୍ରତିନିଧି ବଦଳରେ ରାଜ କରୁଥିବା ଅମଲାତନ୍ତ୍ର ବୁଝିବା ଦରକାର ରାଜ୍ୟରେ ନବୀନ ସରକାର ଚିରସ୍ଥାୟୀ ନୁହେଁ । ଏପରି ପରିସ୍ଥିତିରେ ଓଡିଶାର ଜନତା ଆଗାମୀ ନିର୍ବାଚନରେ  ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରି ବିଜେପିକୁ ଶାସନ ଭାର ଦେବାକୁ ମନ ପ୍ରସ୍ତୁତ କରି ସାରିଲେଣି  । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁରୀ ଠାରେ ଦଳର ମହିଳା ମୋର୍ଚାର ଏକ ବିଶାଳ ପ୍ରତିନିଧି ସଭାକୁ ଉଦବୋଧନ ଦେଇ ଏହା କହିବା ସହ ନବୀନ ପଟ୍ଟନାୟକ ସରକାରକୁ ଉପାଡି ଫୋପାଡି ଦେବାକୁ ପୁଣି ଆହ୍ୱାନ କରିଛନ୍ତି । 

ମହିଳା ବିରୋଧୀ ହିଂସାରେ ଓଡିଶା ରେକର୍ଡ କରିଛି । ମହିଳା ବିରୋଧୀ ହିଂସା ରାଜ୍ୟରେ ୩୯ ପ୍ରତିଶତ ବଢିଛି । ମହିଳାଙ୍କୁ ଅସଦାଚରଣରେ ଓଡିଶା ଦେଶରେ ଏକ ନମ୍ବର, ଯୌତୁକ ନିର୍ଯ୍ୟାତନାରେ ଦେଶରେ ଚାରି ନମ୍ବର, ଗଣଦୁଷ୍କର୍ମରେ ପାଂଚ ନମ୍ବର, ଏସିଡ ମାଡରେ ଛଅ ନମ୍ବର ହୋଇଥିବା କାରଣରୁ ମହିଳା ମାନେ ନବୀନ ପଟ୍ଟନାୟକଙ୍କ ରାଜ୍ୟ ସରକାରକୁ ଗାଦିଚ୍ୟୁତ କରିବା ପାଇଁ  ପ୍ରସ୍ତୁତ ହେଲେଣି  । ଓଡିଶାର ଏହି ମହିଳା ଶକ୍ତିର ଏକାଠି ହେବା ନବୀନ ସରକାରଙ୍କ ପ୍ରତି  ସତର୍କ ଘଂଟି ବୋଲି କହିଛନ୍ତି ଶ୍ରୀ ଶାହ । 

ଗତକାଲି ଆୟୁଷ୍ମାନ ଭାରତ ଯୋଜନା ସହ ସାରା ଦେଶରେ ମାଗଣା ସ୍ୱାସ୍ଥ୍ୟ ସେବାରେ ଗରୀବ ଜନତା ସାମିଲ ହୋଇଥିବା ବେଳେ ଓଡିଶା କାହିଁକି ସାମିଲ ହେଉ ନାହିଁ ବୋଲି ପଶ୍ନ କରିଛନ୍ତି ଶ୍ରୀ ଶାହ । ଆୟୁଷ୍ମାନ ଭାରତ ଲାଗୁ ହେଲେ ମୋଦି ଜନପ୍ରିୟ ହେବେ । ତେଣୁ ନବୀନ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରୁ ନାହାନ୍ତି । ନବୀନ ସରକାରଙ୍କୁ ଓଡିଶାର ଲୋକଙ୍କର ଚିନ୍ତା ନାହିଁ । ଖାଲି ନିଜେ ସରକାରରେ ରହିବା ହିଁ  ଏହି ସରକାରର ଗୋଟିଏ ଉଦେ୍ଧଶ୍ୟ  । ଓଡିଶାରେ ମଦ, ପରିବାର ମାନଙ୍କୁ ସର୍ବସ୍ୱାନ୍ତ କରୁଛି ବୋଲି ଅଭିଯୋଗ କରି ଓଡିଶାର ମା- ମାଉସୀ ମାନେ ନବୀନ ପଟ୍ଟନାୟକଙ୍କୁ  ଗାଦିଚ୍ୟୁତ କରି ଓଡିଶାରେ ବିଜେପି ଶାସନ ପ୍ରତିଷ୍ଠା କଲେ ବିଷାକ୍ତ ଓ ନକଲୀ ମଦ କାରବାରରେ ଲିପ୍ତ ଲୋକଙ୍କୁ ବାନ୍ଧି ଜେଲରେ ପୁରାଇବା ପାଇଁ ଶ୍ରୀ ଶାହ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । 

ରାଜ୍ୟରେ ଗତ କିଛି ବର୍ଷରେ  ୧୪ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ସରକାରୀ ପ୍ରୋତ୍ସାହନରେ ଗୁଣ୍ଡା ମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଅଭିଯୋଗ କରି ବିଜେପିର କିଛି କାର୍ଯ୍ୟକର୍ତାଙ୍କ ହତ୍ୟା ଦ୍ୱାରା ଦଳକୁ ଚୁପ କରି ପାରିବେ ନାହିଁ  । ମହିଳା ମାନଙ୍କର ବିକାଶରେ ମୋଦି ସରକାରଙ୍କ ଯୋଗଦାନ ଅନନ୍ୟ । ଦେଶରେ ଜନଧନ ବ୍ୟାଙ୍କ ଖାତା , ମୁଦ୍ରା ଋଣ, ଘରେ ଘରେ ମାଗଣାରେ ଉଜ୍ୱଳା ଗ୍ୟାସ ଓ ମାକୁ ସମ୍ମାନର ପ୍ରତୀକ ଭାବେ ଶୌଚାଳୟ ନିର୍ମାଣରେ ରେକର୍ଡ କରିଛି ।  ଓଡିଶାକୁ ମୋଦି ଶାସନରେ ପ୍ରଚୁର ଅର୍ଥ ଆସୁଥିବା ବେଳେ ଏହି ଅର୍ଥ ଜନକଲ୍ୟାଣରେ ବିନିଯୋଗ କରିବାରେ ବିଫଳ ହୋଇଛି ରାଜ୍ୟ ସରକାର ।  ଗୋଟିଏ ପଟରେ ମୋଦି ସରକାର ଗରୀବୀ, ବେରୋଜଗାରୀ ଓ ଅସୁରକ୍ଷା ହଟାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଅପର ପକ୍ଷରେ କଂଗ୍ରେସ ଓ ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳ ମାନଙ୍କର ମୋଦି ହଟାଓ ହିଁ  ଗୋଟିଏ ଏଜେଣ୍ଡା ହୋଇ ରହିଛି । 

ସବୁ ପଂଚାୟତରୁ ମହିଳା ପ୍ରତିନିଧିଙ୍କୁ ନେଇ ଆୟୋଜିତ ଏହି ସମାବେଶକୁ ସାରା ଦେଶରେ ସଂଗଠନାତ୍ମକ ଦୃଷ୍ଟିରୁ ସବୁଠୁ ବଡ ଉଦ୍ୟମ ବୋଲି ଶ୍ରୀ ଶାହ କହିଛନ୍ତି ।  ଜଣେ ଭାଇ କାର୍ଯ୍ୟକର୍ତା ହେଲେ ଦଳରେ ଜଣେ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଗୋଟିଏ  ମା ବା ଭଉଣୀ ସାମିଲ ହେଲେ ସଂପୂର୍ଣ ପରିବାର ଦଳରେ ସାମିଲ ହୁଅନ୍ତି ବୋଲି ସେ କହିଛନ୍ତି । 

Leave A Reply

Your email address will not be published.