ତାଣ୍ଡବ ରଚିଲା କାଳବୈଶାଖୀ,

0

ଡାଳ ପଡି ବୃଦ୍ଧଙ୍କ ଗୋଡ଼ ଭାଙ୍ଗିବା ସହିତ ବଜ୍ରପାତରେ ବଳଦ ମୃତ

ଓଡ଼ଗାଁ, ୧୬।୫ (ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ଅପରାହ୍ନରେ ସୃଷ୍ଟି ହୋଇଥିବା କାଳବୈଶାଖୀ ଯୋଗୁଁ ଓଡ଼ଗାଁ ବ୍ଲକ ପନ୍ତିଖାରୀ ଗ୍ରାମପଞ୍ଚାୟତ ଗଂଜିଆପଲ୍ଲୀ ଆମ୍ବତୋଟାରେ ଆମ୍ବ ଗୋଟାଉଥିବାବେଳେ ଗଛର ଡାଳ ପଡିବାରୁ ଜଣେ ବୃଦ୍ଧଙ୍କର ବାମଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣାପଡିଛି।ବୃଦ୍ଧଜଣଙ୍କ ହେଉଛନ୍ତି ମଶାବାରୀ ରୋଡ଼ ସାହିର ଦୁଆରୀ ମହାନ୍ତି (୭୫)।ସୂଚନା ଅନୁଯାୟୀ କାଳବୈଶାଖୀର ପବନ ଯୋଗୁଁ ଗଂଜିଆପଲ୍ଲୀ ଆମ୍ବ ତୋଟାରେ ପାଚିଲା ଆମ୍ବ ଝଡୁଥିବା ବେଳେ ପ୍ରାୟ ୨୫ ରୁ ୩୦ ଲୋକ ଆମ୍ବ ଗୋଟାଉ ଥିବା ବେଳେ ହଠାତ ପବନରେ ଗଛର ଡାଳଟିଏ ଛିଣ୍ଡିପଡି ଦୁଆରୀ ମହାନ୍ତିଙ୍କ ଉପରେ ପଡିଯାଇଥିଲା। ସେ ଡାଳ ତଳେ ଚାପି ହୋଇପଡିଥିବା ବେଳେ ସେଠାରେ ଆମ୍ବ ଗୋଟାଉ ଥିବା ଅନ୍ୟ ଗୋଟାଳି ମାନେ ମିଳିମିଶି ବଳ ପ୍ରୟୋଗ କରି ଡାଳକୁ ଟେକିବା ସହ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ ଓଡ଼ଗାଁ ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ବଜ୍ରାଘାତରେ ଓଡ଼ଗାଁ ବ୍ଲକ ବାଣ୍ଠପୁର ଗ୍ରାମର ମାଟିଆ ପ୍ରଧାନଙ୍କର ଗୋଟିଏ ବଳଦର ମୃତ୍ୟୁ ଘଟିଥିବା ଜଣାପଡିଛି। ଆଜିର କାଳବୈଶାଖୀ ପ୍ରଭାବରେ ନୟାଗଡ଼ରୁ ଓଡ଼ଗାଁ ଆସିଥିବା ୩୩ କେଭି ବିଦ୍ୟୁତ ତାର ଉପରେ ଭାଡିକିଳା ନିକଟରେ ଗଛ ପଡିଯିବାରୁ ଅପରାହ୍ନ ୨.୩୦ରୁ ଦୀର୍ଘ ସମୟଧରି ଓଡ଼ଗାଁକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା ।

Leave A Reply

Your email address will not be published.