ଓଡ଼ଗାଁ,୧୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ଅନ୍ତର୍ଗତ ଜାକେଡା ଗ୍ରାମରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସବର୍ଣ୍ଣ ଅସବର୍ଣ୍ଣ ବିବାଦ ଅନୁସୁଚିତ ଜାତି ଓ ଜନଜାତି ନିର୍ଦ୍ଦେଶକ ଓଡ଼ିଶାଙ୍କ ଅଧ୍ୟକ୍ଷତାରେ ହରିଡା ବନ୍ଧ ଗ୍ରାମ ପଞ୍ଚାୟତ ଠାରେ ମଙ୍ଗଳବାର ଅନୁଷ୍ଠିତ ଏକ ଜରୁରୀ ବୈଠକରେ ସମାଧାନ ହୋଇଛି । ଫଳରେ ଦୀର୍ଘ ଅଢେ଼ଇ ବର୍ଷ ଧରି ବାହାରେ ରହୁଥିବା ୨୦ ଘର ଅସବର୍ଣ୍ଣ ପରିବାର ଏବେ ଗାଁକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି ହରିଡ଼ାବନ୍ଧ ଗ୍ରାମ ପଞ୍ଚାୟତଠାରେ ଉଭୟ ଗୋଷ୍ଠୀର ଲୋକଙ୍କୁ ଡାକି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନୁସୁଚିତ ଜାତି ଓ ଜନଜାତିର ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ଡିବ୍ଲ୍ୟୁଓ ଦୟାନିଧି ନାୟକ, ଶରଣକୁଳ ଥାନା ଅଧିକାରୀ ଜୟଦୀପ ମହାନ୍ତି, ସ୍ଥାନୀୟ ସରପଞ୍ଚ ବେଣୁଧର ବିଶ୍ୱାଳ, ସମିତିସଭ୍ୟ ମନୋରଞ୍ଜନ ପଢ଼ିଆରୀ, ବରିଷ୍ଠ ରାଜସ୍ୱ ସହାୟକ ବନମାଳୀ ସ୍ୱାଇଁ ଓ ଗ୍ରାମ୍ୟ କମିଟିର ସଭାପତି ଉପସ୍ଥିତ ରହିଥିଲେ । ଆସନ୍ତା ୨୩ ତାରିଖରେ ଅନୁସୁଚିତ ଜାତିର ଲୋକମାନେ ଗ୍ରାମକୁ ଫେରିବା ପାଇଁ ବୈଠକର ନିଷ୍କର୍ଷ ବାହାରିଥିବା ଫିଟିଛି । ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଉଭୟ ପକ୍ଷର ୫ ଜଣ ଲେଖାଏଁଙ୍କୁ ନେଇ ଏଥିନିମନ୍ତେ ଏକ ଶାନ୍ତି କମିଟି ଗଠନ କରାଯାଇଛି । ଉକ୍ତ କମିଟିର ଉପଦେଷ୍ଟା ଭାବେ ସ୍ଥାନୀୟ ବିଡିଓ, ତହସିଲଦାର, ଥାନା ଅଧିକାରୀ ଓ ଡିଡବ୍ଲୁଓ ରହିଛନ୍ତି । ୨୩ ତାରିଖ ପୂର୍ବରୁ ଶାନ୍ତି କମିଟି ରିପୋର୍ଟ ଅନୁସାରେ ଜାକେଡା ବାସୀ ଗ୍ରାମକୁ ଫେରିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ସବର୍ଣ୍ଣ ଅସବର୍ଣ୍ଣ ୨ ଗୋଷ୍ଠୀଙ୍କ ମଧ୍ୟରେ ଗ୍ରାମର କୋଠ ସମ୍ପତି, ମାଛ ଚାଷ, ଆମ୍ବତୋଟା ଓ କାଜୁ ଜଙ୍ଗଲର ଆୟରୁ ଗ୍ରାମର ଅସବର୍ଣ୍ଣ ବର୍ଗର ୨୦ ଟି ପରିବାରକୁ ସାମିଲ ନକରି ସାଧାରଣ ବର୍ଗ ତାହାକୁ ଉପଭୋଗ କରି ଆସୁଥିଲେ । ଗଣ୍ଡଗୋଳ ଆରମ୍ଭ ହୋଇ ଗାଁ ମନ୍ଦିରରେ ପ୍ରବେଶ କରାଇ ନ ଦେବା, କୋଠାଘର ନିର୍ମାଣ ଆଦି ଘଟଣାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବିସ୍ପୋରକ ରୂପ ଧାରଣ କରିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ହୋଇ ଦୁଇ ଜଣଙ୍କୁ ଅପହରଣ ଓ ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ଉତ୍ତେଜନା ଆହୁରି ଅଧିକ ହୋଇଥିଲା । ଫଳରେ ଅନୁସୂଚିତ ଜାତିର ୨୦ଟି ପରିବାରର ୮୦ ରୁ ଅଧିକ ସଦସ୍ୟ ଗାଁ ଛାଡି ପ୍ରଥମେ ଶିଖରପୁର ପରେ ନୟାଗଡ଼ ପାଣିପୋଇଲା ଏବଂ ଶେଷରେ ଭୁବନେଶ୍ୱର ପିଏମଜି ଛକରେ ଧାରଣା ଦେଇଥିଲେ । ଗତବର୍ଷ ନଭେମ୍ବର ମାସ ୨୬ ତାରିଖରେ ଜିଲ୍ଲା ପ୍ରଶାସନ ଧାରଣାକାରୀଙ୍କୁ ନୟାଗଡ଼ ଫେରାଇ ଆଣି ଶରଣକୁଳ ଥାନା ପଛପାଖ ଯାତ୍ରୀ ନିବାସରେ ରଖି ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଇଥିଲା । ପ୍ରଶାସନର ବହୁ ପଦକ୍ଷେପ ପରେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇ ନଥିବାରୁ ଅନୁସୂଚିତ ପୁରୁଷ ମହିଳା ଓ ସେମାନଙ୍କ ଛୁଆ ପିଲାଙ୍କୁ ଧରି ଯାତ୍ରୀ ନିବାସରେ ପଞ୍ଚାୟତ ସହାୟତାରେ ପଡି ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post