ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍‍ସ ଚିହ୍ନଟ କରିବ ଫୁସଫୁସ ରୋଗ: କିମ୍‍ସ ଡାକ୍ତରଙ୍କ ଗବେଷଣା

0 1

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‍ସ (ଏଆଇ) ଚିହ୍ନଟ କରିବ ଫୁସ୍‍ଫୁସ୍‍ ସମ୍ବନ୍ଧୀୟ ବିଭିନ୍ନ ରୋଗ । ନିକଟରେ କିମ୍‍ସ-ଭୁବନେଶ୍ୱରର ଶିଶୁରୋଗ ବିଶେଷଜ୍ଞ ଡା. ନିର୍ମଳ କୁମାର ମହାକୁଡ଼ ଓ ଦେଶର ଅନ୍ୟ ପ୍ରମୁଖ ଅନୁଷ୍ଠାନର ବିଶେଷଜ୍ଞଙ୍କ ଦ୍ୱାରା ମିଳିତ ଗବେଷଣାରେ ଏହା ଦାବି କରାଯାଇଛି । ଏହି ଗବେଷଣାରେ ବାୟୋସାଇନ୍ସ ଓ ବାୟୋମେଡ଼ିକାଲ ଇଞ୍ଜିନିୟରିଂ ଆସୋସିଏଟ୍ ପ୍ରଫେସର ହେମଚନ୍ଦ୍ର ଝା, ଆଇଆଇଟି ଇନେ୍ଦାର ଗଣିତ ବିଭାଗ ଆସୋସିଏଟ୍ ପ୍ରଫେସର ଏମ୍ ତନବିର ଓ କୋଇଥ୍ରାମ୍ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଡା. ସୁଚିତ୍ରା ପ୍ରମୁଖ ସାମିଲ ଅଛନ୍ତି । ନିକଟରେ ଏ ସମ୍ପର୍କରେ ଏକ ଜର୍ଣ୍ଣାଲ୍‍ରେ ପ୍ରକାଶ ପାଇଥିବା ଖବର ଅନୁସାରେ ‘ଏଆଇ’ ଦ୍ୱାରା ଫୁସଫୁସର ସିଟି-ସ୍କାନ୍ ରିପୋର୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବାୟୋକେମିକାଲ୍ ପାରାମିଟରଗୁଡିକୁ ଭଲଭାବେ ବିଶ୍ଳେଷଣ କରିହେବ ବୋଲି ଦର୍ଶାଯାଇଛି । ଫଳରେ ଭବିଷ୍ୟତରେ ଫୁସଫୁସର ଅଂଶ ଉପରେ ଅଧିକ ଅଧ୍ୟୟନ କରାଯାଇପାରିବ ।
୨୦୨୦ରୁ କିମ୍ସ କୋଭିଡ୍ ହସ୍ପିଟାଲକୁ ଆସିଥିବା କୋଭିଡ୍‍ ରୋଗୀଙ୍କ ସିଟି-ସ୍କାନ୍ ରିପୋର୍ଟ ଅନୁଧ୍ୟାନ କରାଯାଇ ସେଥିରେ ଅଧିକାଂଶ ରୋଗୀଙ୍କ ଫୁସଫୁସ୍ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଥିଲା । ତେବେ ‘ଏଆଇ’ର କାର୍ଯ୍ୟକାରିତା ଉପରେ ଅଧିକ ଗବେଷଣା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି ଇନେ୍ଦାର ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି ବୋଲି ଡା. ମହାକୁଡ଼ ସୂଚନା ଦେଇଛନ୍ତି । ସଂଖ୍ୟାସୂଚକ ଓ ଗଣନାମୂଳକ ଅନୁସନ୍ଧାନ ଉପରେ ଆଧାରିତ ଏହି ଅନୁସନ୍ଧାନ ଅନୁସାରେ କୋଭିଡ କାରଣରୁ ଫୁସଫୁସରେ ହୋଇଥିବା କ୍ଷତିର ଆକଳନ କରି ହେବ ବୋଲି ଡା. ମହାକୁଡ କହିଛନ୍ତି ।
ଏହି ଅନୁସନ୍ଧାନରେ କଳିଙ୍ଗ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସର ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତିଙ୍କ ସମେତ ଡା. ଅମୃତ ମହାପାତ୍ର, ଡା. ପ୍ରୀତିନନ୍ଦା ପରିଡ଼ା ଏବଂ ଉପାଧ୍ୟକ୍ଷ ପ୍ରଫେସର ଶୁଭ୍ରାଂଶୁ ପାତ୍ରଙ୍କ ଅବଦାନ ରହିଥିବା ବେଳେ ଆଇଆଇଟି ଇନେ୍ଦାରର ଡା. ଝା ଏବଂ ଡା. ତନବିର ଓ କିଟ୍ ସ୍କୁଲ ଅଫ୍ ବାୟୋଟେକ୍ନୋଲୋଜିର ନମ୍ରତା ମିଶ୍ର, କାର୍ତ୍ତିକ ମୁଦୁଲି, ବିକାଶ ସାହୁ, ସେଲଭ୍ କୁମାର ଏଲାଙ୍ଗୋଭାନ୍ ପ୍ରମୁଖ ସହଯୋଗ କରିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍ସ ଡାକ୍ତର ଏବଂ ଅନ୍ୟ ସହଯୋଗୀ ଡାକ୍ତରମାନଙ୍କୁ ସେମାନଙ୍କର ଅନୁସନ୍ଧାନ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଅଧିକରୁ ଅଧିକ ଅଭିନବ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି ।

Leave A Reply

Your email address will not be published.