ଅଧିକାରୀ ମାନଙ୍କୁ ରାଜ୍ୟ ଶ୍ରମ ବିଭାଗ ସଚିବଙ୍କ ପରାମର୍ଶ
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ସାଧାରଣ ଲୋକଙ୍କର ସମସ୍ୟା ସମ୍ପର୍କରେ ହୃଦବୋଧ ହେବା ସହ ଏହାର ଯଥା ସମ୍ଭବ ସମାଧାନ କରିବାକୁ ରାଜ୍ୟ ଶ୍ରମ ଏବଂ ଇଏସଆଇ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି । ଶ୍ରୀମତୀ ଗର୍ଗ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ ସହ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀମତୀ ଗର୍ଗ ତିନିଦିନିଆ ବାଲେଶ୍ୱର ଗସ୍ତରେ ଜିଲ୍ଲାର ନୀଳଗିରି, ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ବାହାନଗା ବ୍ଲକର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହା ପରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଯୋଗଦେଇ ସେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ଯୋଜନା ପହଂଚାଇବାରେ ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କ ସହ କ୍ଷେତ୍ର ପରିଦର୍ଶନରେ ନିଜର ଅନୁଭୁତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ । ଜିଲ୍ଲାପାଳ ପ୍ରମୋଦ କୁମାର ଦାସ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ତ୍ରିଲୋଚନ ପ୍ରଧାନ, ଉପ-ଜିଲ୍ଲାପାଳ ଭବତାରଣ ସାହୁ, ଏ.ପ.ଡି. ରାମଚନ୍ଦ୍ର ପଳତାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।