ବଢ଼ିଲା ବିଜେଡିର ଶକ୍ତି : ଶଙ୍ଖ ଫୁଙ୍କିଲେ ମହେନ୍ଦ୍ର

0 2

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ନିଜର ସାମର୍ଥ୍ୟ ବୃଦ୍ଧି କରିବାକୁ ଉଦ୍ୟମ ଚଳାଇଛି ବିଜେଡି | ଆଜି କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି ମହେନ୍ଦ୍ର ନାୟକ । ବିଜେଡି କାର୍ଯ୍ୟାଳୟରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ମହେନ୍ଦ୍ର । ୨୦୧୯ର କଂଗ୍ରେସ ବିଧାୟକ ପାର୍ଥି ମହେନ୍ଦ୍ର ନାୟକଙ୍କ ସହ ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି। ଅନୁରୂପ ଭାବରେ ଗୋଁଡ଼ ମହାସଭା କୋଲାବିରା ବ୍ଲକ ସଭାପତି ରୁଦ୍ରପ୍ରତାପ ସିଂହ, ରାଜ୍ୟ ମହିଳା ସଂଯୋଜକ ଦମୟନ୍ତୀ ମହାପାତ୍ର, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ଅନୁଗୋଳ ଜିଲ୍ଲା ସଭାପତି ସଦାଶିବ ନାୟକ, ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ପରାମର୍ଶଦାତା ସଦାଶିବ ନାୟକ, ସାଧାରଣ ସମ୍ପାଦକ ଅଶୋକ ମାଝି, ଉପସଭାପତି ବୀର ଧୁରୁଆ, ବରଗଡ଼ ଜିଲ୍ଲା ଗୋଁଡ଼ ସମାଜ ସମ୍ପାଦକ ଧନେଶ୍ୱର ସିଂହଙ୍କ ସହ ୬୦ରୁ ଉଦ୍ଧ୍ୱର୍ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି।

ମହେନ୍ଦ୍ର ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ୧୮୮୨୩ ଖଣ୍ଡ ଭୋଟ ପାଇଥିଲେ । ଅଖିଳ ଭାରତୀୟ ଗଣ୍ଡ ମହାସଭାର ସଭାପତି ମହେନ୍ଦ୍ର ନାୟକ । ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଶ୍ରୀ ନାୟକ । ତାଙ୍କ ସହ ୬୦ରୁ ଉର୍ଦ୍ଧ୍ୱ ଗଣ୍ଡ ମହାସଭାର କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି । 

ସାଂସଦ ଶ୍ରୀ ମଙ୍ଗରାଜ ଏହି ନେତାମାନଙ୍କୁ ବିଜେଡି ଓ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଯେଉଁ ବିକାଶ ଓ ରୂପାନ୍ତରଣର ଧାରା ଆରମ୍ଭ କରିଛନ୍ତି ସେଥିପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତାମାନେ ଯୋଗ ଦେଉଛନ୍ତି। ବିଜୁ ଜନତା ଦଳରେ ସମସ୍ତଙ୍କ ପାଇଁ କାର୍ୟ୍ୟ କରିବାର ସୁଯୋଗ ରହିଛି। ତେଣୁ ଯେଉଁମାନେ ବାସ୍ତବରେ ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଦଳ ସର୍ବଦା ସ୍ୱାଗତ କରି ଆସିଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। ଅନ୍ୟପକ୍ଷରେ ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଝାରସୁଗୁଡ଼ା ସହ ସାରା ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କର ଯୋଗଦାନ ଅବିସ୍ମରଣୀୟ। ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ କରିଛି ଓ ସେମାନଙ୍କ ବର୍ଗ ନିମନ୍ତେ ମୁଖ୍ୟମନ୍ତ୍ରୀ ଯେପରି ନିଷ୍ଠାପର ଭାବରେ କାର୍ୟ୍ୟ କରିଛନ୍ତି ସେଥିପାଇଁ ସାରା ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି ଉଲ୍ଲେଖ କରି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିଜୟ ନିମନ୍ତେ ସେମାନେ କାର୍ୟ୍ୟ କରିବେ ବୋଲି କହିଛନ୍ତି ମହେନ୍ଦ୍ର। ସେହିପରି ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ମଧ୍ୟ ବିଜେଡିରେ ଯୋଗ ଦେଇ ସେମାନେ ସାଧାରଣ ଲୋକଙ୍କ ନିମନ୍ତେ କାର୍ୟ୍ୟ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ବିଜେଡି ନେତା ମହେନ୍ଦ୍ର ବଢ଼େଇ, ଦଳର ମୁଖପାତ୍ର ସଞ୍ଜୟ ବାବୁ, ସମ୍ପାଦକ ତଥା ଦେବଗଡ଼ ଜିଲ୍ଲା ପର୍ୟ୍ୟବେକ୍ଷକ ଅମରେଶ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.