ସାଢେ ୪ କୋଟି ଓଡିଆଙ୍କ ଅପମାନକୁ ସମର୍ଥନ କରୁଛନ୍ତି ଅପରାଜିତା: ବିଜେଡି

0 2
  •  ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ବହୁତ ଭଲ

  •  ହତ୍ୟା, ଧର୍ଷଣ ଭଳି ଜଘନ୍ୟ ଅପରାଧ ବିଜେପି ଶାସିତ ରାଜ୍ୟରେ ଅଧିକ

  •  ବନ୍ଦକୁ ସମର୍ଥନ ଅପରାଜିତାଙ୍କ ଉସୁକାଇବା ମାନସିକତାକୁ ପଦାରେ ପକାଇଛି

ଭୁବନେଶ୍ୱର: ଓଡିଶାର ୪.୫ କୋଟି ଲୋକ ଆଇନ୍‍ହୀନ ବୋଲି କିଛି ବିଜେପି ନେତା ଯେଉଁ ଅପମାନଜନକ ମନ୍ତବ୍ୟ ଦେଇଥିଲେ ଆଶା କରାଯାଉଥିଲା ଯେ ବିଜେପି ନେତ୍ରୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ତାହାକୁ ନିନ୍ଦା କରିବେ । କିନ୍ତୁ ତାଙ୍କର ନୀରବତା ଦର୍ଶାଉଛି ଯେ ସେ ଓଡିଶା ଏବଂ ଓଡ଼ିଆଙ୍କ ସମ୍ମାନ ବିରୋଧରେ ଅନ୍ୟ ବିଜେପି ନେତାଙ୍କ ଏପରି ଅପମାନଜନକ ବିବୃତ୍ତିକୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଏଥିରୁ ପ୍ରତୀୟମାନ ହେଉଛି ବିଜେପି ନେତ୍ରୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଜାଣି ନାହାଁନ୍ତି ଯେ ଏନ୍ସିଆରବିର ସଦ୍ୟତମ ରିପୋର୍ଟରେ ମହିଳାଙ୍କ ପ୍ରତି ହେଉଥିବା ଜଘନ୍ୟ ଅପରାଧ କ୍ଷେତ୍ରରେ ବିଜେପି ଶାସିତ ରାଜ୍ୟଗୁଡିକ ଢେର ଆଗରେ ରହିଛନ୍ତି । ଯଦି ସେ ଏପରି ଅପମାନଜନକ ବିବୃତ୍ତି ଦେବା ପୂର୍ବରୁ ଜାତୀୟ କ୍ରାଇମ ରେକର୍ଡ ବୁ୍ୟରୋର ସର୍ବଶେଷ ରିପୋର୍ଟଟିକୁ ଅଧ୍ୟୟନ କରିଥାନ୍ତେ ତେବେ ଏହା ଭଲ ହୋଇଥାନ୍ତା ।
କେନ୍ଦ୍ର ଦ୍ୱାରା ପ୍ରକାଶିତ ଏନ୍ସିଆରବି ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ବହୁତ ଭଲ । ବଳାକ୍ରାର ମାମଲାରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ହରିଆନା ଏବଂ ଆସାମ ଭଳି ବିଜେପି ଶାସିତ ରାଜ୍ୟଗୁଡିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ । ଧର୍ଷଣ ସହିତ ହତ୍ୟା ମାମଲାରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆସାମ ପରି ବଜେପି ଶାସିତ ରାଜ୍ୟରେ ଓଡିଶା ତୁଳନାରେ ମାମଲା ଢେର ଅଧିକ ।
ଅନେକ ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏହା ଦୁର୍ଭାଗ୍ୟଜନକ ଯେ ଶ୍ରୀମତୀ ଷଡ଼ଙ୍ଗୀ ସତ୍ୟ କହିବା ପରିବର୍ତ୍ତେ ମହିଳାଙ୍କ ବିରୁଦ୍ଧରେ ହୋଇଥିବା ଅପରାଧରେ ତାଙ୍କ ବିଜେପି ଶାସିତ ରାଜ୍ୟଗୁଡିକର ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରିଆସୁଛନ୍ତି ।
ସେହିଭଳି ଆଜିର ବନ୍ଦକୁ ତାଙ୍କର ସମର୍ଥନ ପରିସ୍ଥିତିକୁ ଶାନ୍ତ ପାଇଁ ଆହ୍ୱାନ ଦେବା ପରିବର୍ତ୍ତେ ଏହାକୁ ଉସୁକାଇ ଅଶାନ୍ତ ଲାଗି ଚେଷ୍ଟା କରିବାର ମାନସିକତାକୁ ପଦାରେ ପକାଇଛି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.