ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସ୍କୁଲ ସମୟ ସାରଣୀ ବଦଳାଇବାକୁ ଅଭିଭାବକ ମହାସଂଘର ଦାବି

0 3

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପ୍ରଚଣ୍ଡ ରୌଦ୍ରତାପ ଏବଂ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଦ୍ୟାଳୟ ସମୟ ସାରଣୀର ପରିବର୍ତ୍ତନ ପାଇଁ ନୟାଗଡ଼ ଜିଲ୍ଲା ଅଭିଭାବକ ମହାସଂଘ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି । ସୂଚନା ଯୋଗ୍ୟ ଯେ ଗତ ୧୧ ତରିଖରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକ ସକାଳୁଆ ଆରମ୍ଭ ହୋଇଥିଲା । ଏଥିରେ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ମାତ୍ର ପ୍ରଚଣ୍ଡ ଖରାକୁ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରି ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକୁ ଚଳିତମାସ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ । ତେବେ ୧୭ ତାରିଖରୁ ପୁନର୍ବାର ବିଦ୍ୟାଳୟ ଖୋଲିଥିବା ବେଳେ ସମୟରେ ସାମନ୍ୟ ପରିବର୍ତ୍ତନ କରାଯାଇ ସକାଳ ସାଢ଼େ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଶିକ୍ଷାଦାନ କାର୍ଯ୍ୟ ଚାଲିବ ବୋଲି ସରକାର ଘୋଷଣା କରିଥିଲେ । ଅନ୍ୟପକ୍ଷରେ ସମଗ୍ର ରାଜ୍ୟରେ ଦିନ ଏଗାରଟା ସୁଦ୍ଧା ତାପମାତ୍ରା ୪୦ଡିଗ୍ରୀ ଛୁଊଁଥିବା ବେଳେ ସ୍କୁଲ ଛୁଟି ପରେ ପ୍ରବଳ ଖରାରେ କୁନି କୁନି ପିଲାମାନେ ଘରକୁ ଫେରୁଛନ୍ତି । ଏପରିକି କିଛି ସ୍ଥାନରେ ପିଲାମାନେ ପ୍ରବଳ ଖରାରେ ୨/୩ କିଲୋମିଟର ଦୂର ଚାଲିଚାଲି ଘରକୁ ଫେରୁଛନ୍ତି । ଏପରିକି ପ୍ରଚଣ୍ଡ ରୋଦ୍ରତାପ ଯୋଗୁଁ ଅଂଶୁଘାତର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ଅଧିକାଂଶ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ନଥିବାରୁ ବିନା ଫ୍ୟାନରେ ପିଲାମାନେ ଅସ୍ତବ୍ୟସ୍ତ ହୋଇ ପାଠ ପଡ଼ୁଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ଅଭିଭାବକ ମହାସଂଘ ପକ୍ଷରୁ ଆବାହକ ଗୌରୀଶଙ୍କର ଦାସ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସମସ୍ତ ପ୍ରକାରର ବିଦ୍ୟାଳୟର ସମୟ ସାରଣୀ ସକାଳ ସାଢ଼େ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଏହି ଦାବିପତ୍ର ଗ୍ରହଣ କରିବା ସହିତ ଏ ସଂକ୍ରାନ୍ତରେ ଆବଶ୍ୟକୀୟ ନିର୍ଦ୍ଦେଶନାମା ପ୍ରକାଶ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.