ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସମାବେଶ।
ରାଉରକେଲା (ବସନ୍ତ କୁମାର ଜେନା):- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ଜୋର ଧରିଛି। ଏହି ଦାବିରେ ଶନିବାର ଦିନ ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରାଉରକେଲା ହନୁମାନ ବାଟିକାରେ ଭୋଟିଂ ବ୍ଯବସ୍ଥା କରାଯାଇଥିଲା। ଏହା ସହିତ ଏକ ଜନ ସମାବେଶର ମଧ୍ୟ ଆୟୋଜନ କରାଯାଇଥିଲା। ବିଜୁ ବାବୁଙ୍କୁ ଭାରତର ସବୁଠାରୁ ବଡ଼ ସମ୍ମାନ ଭାରତରତ୍ନ ପ୍ରଦାନ କରିବା ପାଇଁ ଦୀର୍ଘ ଦିନରୁ ଦାବୀ ହୋଇ ଆସିଛି। କେନ୍ଦ୍ର ସରକାର ଏଥିପ୍ରତି ବିଶେଷ ଧ୍ଯାନ ଦେଉ ନଥିବାରୁ ଏହି ସମାବେଶର ଆୟୋଜନ କରାଯାଇଥିଲା। ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଓ ସ୍ବୟଂ ସହାୟକ ଗୋଷ୍ଠୀର ଶହଶହ ମହିଳା ଏଠାରେ ଉପସ୍ଥିତ ହୋଇ ନିଜର ମତ ଦେବା ପାଇଁ ଏକ ମତାମତ ବାକ୍ସ ବସାଯାଇଥିଲା। ମତ ବାକ୍ସରୁ ମତାମତ ବାହାର କରାଯାଇ ସେଗୁଡିକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯିବ ବୋଲି ଆୟୋଜନ କମିଟିରୁ ପ୍ରକାଶ କରାଯାଇଛି। ଆଜିର ଏହି କାର୍ଯ୍ଯକ୍ରମକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ବିରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀ, ରାଜଗାଙ୍ଗପୁର ପୂର୍ବତନ ବିଧାୟକ ମଙ୍ଗଳା କିସାନ ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟିର ସଭାପତି ପ୍ରସନ୍ନ ତ୍ରିପାଠୀ, ସ୍ବୟଂ ସହାୟକ ଗୋଷ୍ଠୀର ସାଧାରଣ ସମ୍ପାଦିକା ସବିତା ଖାତୁନ୍, ସହ-ସମ୍ପାଦିକା ଚିନ୍ତା ସାହୁ, ସମାଜସେବୀ ବାଲମୁକୁନ୍ଦ ଶୁକ୍ଳା, ଅଖିଳେଶ୍ବର ଧାରୁଆ, NIT ର ଅବସର ପ୍ରାପ୍ତ ପ୍ରଫେସର ଡ଼କ୍ଟର କଲ୍ଯାଣୀ ମିଶ୍ର ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ ସପକ୍ଷରେ ମତବ୍ୟକ୍ତ କରିଥିଲେ।