ଭୁବନେଶ୍ବର,: ଭାରତରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି ଏବଂ ଆସନ୍ତା ପାଞ୍ଚ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡ଼ିପି)ରେ ଏହାର ଅଭିବୃଦ୍ଧି ୫% ଛୁଇଁବ । ରାଉରକେଲା ସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନଆଇଟି)ର ଛାତ୍ରଛାତ୍ରୀ ମାନଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ମେଟାଲସ ଆଣ୍ଡ ଫେରୋ ଆଲୟଜ ଲିମିଟେଡ଼ (ଇମ୍ଫା)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ।
ଆଲୋଚନାରେ ଶ୍ରୀ ପଣ୍ଡା କହିଥିଲେ ଯେ , ବିଶ୍ୱ ଅର୍ଥନୀତିରେ ଭାରତର ଏକ ସ୍ଵତନ୍ତ୍ର ସ୍ଥାନ ତଥା ମହତ୍ତ୍ଵ ରହିଛି। ବହୁତ ଶିଳ୍ପ ସମୃଦ୍ଧ ରାଷ୍ଟ୍ର ନିଜର ବିନିର୍ମାଣ ଶିଳ୍ପ ନିମନ୍ତେ ରପ୍ତାନି ବଜାର ଉପରେ ନିର୍ଭର କରୁଥିବା ବେଳେ, ଭାରତରେ ଜି.ଏସ୍.ଟି ଯୋଗୁଁ ଏକ ବୃହତ ଏକକ ଘରୋଇ ବଜାର ରହିଛି ।
ସେ କହିଥିଲେ ଯେ, ଏକକ ଘରୋଇ ବଜାର ଏବଂ ଷ୍ଟାର୍ଟଅପ୍ ସମୂହ ଭାରତୀୟ ଅର୍ଥନୀତିର ପ୍ରମୁଖ ବୈଶିଷ୍ଟ । ବ୍ୟବସାୟ ତଥା ଉଦ୍ୟୋଗ ଦିନକୁ ଦିନ ଅଧିକ ବୈଷୟିକ ବିଦ୍ୟା ଦ୍ବାରା ପରିଚାଳିତ ହେଉଛି। ଏହା ଦ୍ବାରା ଇଞ୍ଜିନିୟରିଂ ମାଧ୍ୟମ ଭାରତରେ ଅନେକ ଉଦ୍ୟୋଗପତି ସୃଷ୍ଟି କରିବାର ସୁଯୋଗ ସୃଷ୍ଟି ହେଉଛି। ସେହିପରି ଶ୍ରୀ ପଣ୍ଡା ଏନଆଇଟି ଦ୍ବାରା ଉଦ୍ୟୋଗପତିଙ୍କ ପାଇଁ ସୃଷ୍ଟି କରାଯାଇଥିବା ସୁଯୋଗକୁ ପ୍ରଶଂସା କରିଥିଲେ। ଏନଆଇଟି କରୁଥିବା କାର୍ଯ୍ୟକୁ ମଡେଲ ଭାବେ ଗ୍ରହଣ କରି ଅନ୍ୟ ସଂସ୍ଥା ଗୁଡ଼ିକ ଉଦ୍ୟୋଗ ଓ ଉଦ୍ୟୋଗପତି ସୃଷ୍ଟି ପାଇଁ ସମାନ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଫିକି ମୁଖ୍ୟ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି l
ନିଜ ବକ୍ତବ୍ୟରେ ଇମ୍ପା ଗ୍ରୁପ୍ ଏବଂ ଏନଆଇଟିର ସମ୍ପର୍କର ସ୍ମୃତି ଚାରଣ କରି ଥିଲେ। ଏନଆଇଟି ବୋର୍ଡ଼ ଅଫ୍ ଗଭର୍ଣ୍ଣର ପରିଷଦରେ ଏକଦା ଇମ୍ଫାର ପ୍ରତିଷ୍ଠାତା ଡକ୍ଟର ବଂଶୀଧର ପଣ୍ଡା ସଦସ୍ୟ ଥିଲେ। ସ୍ବର୍ଗତ ଡକ୍ଟର ପଣ୍ଡା ୨୦୦୨ ରୁ ୨୦୦୭ ଏହି ପରିଷଦରେ କାର୍ଯ୍ୟ କରିଥିଲେ l ପ୍ରତିଷ୍ଠାତା ସ୍ମୃତିରେ ଇମ୍ଫା ଦ୍ବାରା ଅନୁଷ୍ଠାନ ପାଇଁ ଏକ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଉଛି । ଏହି ସ୍ଵର୍ଣ୍ଣ ପଦକ ପ୍ରତିବର୍ଷ ଏନଆଇଟି ର ମେଟାଲର୍ଜି ଆଣ୍ଡ ମ୍ୟାଟେରିଆଲ ଇଂଜିନିରିଂରେ ବି. ଟେକ ପାଠ୍ୟକ୍ରମର ଟପ୍ପରଙ୍କୁ ପ୍ରଦାନ କରାଯାଉଛି l
ଏନଆଇଟି ରାଉରକେଲା ଦ୍ବାରା ଆୟୋଜିତ ହେଇଥିବା ଏହି ମତ ବିନିମୟ ଜି -୨୦ ଜନ ଭାଗୀଦାରୀ କାର୍ଯ୍ୟକ୍ରମର ମଧ୍ୟ ଅଂଶ ବିଶେଷ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ଫିକି ମହାନିର୍ଦେଶକ ଶ୍ରୀ ଅରୁଣ ଚାୱଲା ଏବଂ ଏନଆଇଟି ରାଉରକେଲାର ନିର୍ଦେଶକ ପ୍ରଫେସର କେ ଉମାମହେଶ୍ୱର ରାଓ ଉପସ୍ଥିତ ରହିଥିଲେ l
Sign in
Sign in
Recover your password.
A password will be e-mailed to you.