ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ପ୍ରଥମ ସନ୍ଧ୍ୟା: ଜନ୍ମନାରାୟଣବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

0

ଓଡଗାଁ, ୩୦।୩(ଶ୍ରୀକାନ୍ତ କୁମାର ମିଶ୍ର): ସାରା ଓଡ଼ିଶା ସହିତ ଭାରତବର୍ଷରେ ପରିଚିତ ନୟାଗଡ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ସ୍ୱର୍ଣ୍ଣ କଳସକ୍ଷେତ୍ର ଭାବରେ ପରିଚିତ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଆଜି ପବିତ୍ର ଚୈତ୍ର ଶୁକ୍ଲ ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ବୈଦିକ ବ୍ରାହ୍ମଣ ଶିବରାମ ଷଡ଼ଙ୍ଗୀ ଏବଂ ପଣ୍ଡିତ ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ଦ୍ଵାରା ରାମଜନ୍ମ କର୍ମାଙ୍ଗ ଅନୁଷ୍ଠିତ ହୋଇଥିଲା।ପ୍ରଚଣ୍ଡ ରୈାଦ୍ରତାପର ପ୍ରକୋପକୁ ଭୂକ୍ଷେପ ନକରି ମନ୍ଦିର ବାହାରେ ଏକ ଲମ୍ବା ଧାଡ଼ିରେ ପ୍ରଭୁଙ୍କ ଜନ୍ମବିଧାନ ଦର୍ଶନ ପାଇଁ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା । ଶୃଙ୍ଖଳା ସହକାରେ ଠାକୁରଙ୍କ ଦର୍ଶନ ଲାଭ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଓଡ଼ଗାଁ ତହସିଲଦାର ଅନିଲ ଆଚାର୍ଯ୍ୟ, ବିଡିଓ ସନ୍ତୋଷ କୁମାର ଜେନା ଏବଂ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ,ଆଇଆଇସି ପୂର୍ଣଚନ୍ଦ୍ର ପଟ୍ଟାୟତ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ସଚିବ ହେମନ୍ତ କୁମାର ପାଢ଼ୀ ପ୍ରଭୁଙ୍କ ଦର୍ଶନ ସାରି ଫେରିଥିଲେ।
ଆଜି ଭୋର ସାଢେ ୪ଟାରେ ଦ୍ୱାରଫିଟା ଯାଇ ସମସ୍ତ ଶୋଧନ ନୀତି ସରିବା ପରେ ୫ଟାରେ ମଙ୍ଗଳ ଆଳତି, ପଂଚାମୃତ ସ୍ନାନ, ମହାସ୍ନାନ, ଅବକାଶ, ମଇଲମ, ଖଟଣୀ, ତଡପଲାଗି, ଚନ୍ଦନଲାଗି ଏବଂ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଭଗବତ ଜୀଉ ପୂଜା ଓ ୭ଟାରେ ବଲ୍ଲଭ ନୀତି ସଂପୂର୍ଣ୍ଣ କରାଯାଇଥିଲା । ସକାଳ ୮ଟା ୩୦ରେ ଖେଚୁଡିଧୂପ,କର୍ପୁର ଆଳତୀ,ମହା ଆଳତୀ, ଚାମର ସେବାପରେ ଗମ୍ଭିରା ଓ ୧୦ଟା ୩୦ଗତେ ଭୋଗ ମଣ୍ଡପରେ ଶ୍ରୀରଘୁନାଥଙ୍କ ଜନ୍ମ ବିଧାନ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଶ୍ରୀଜୀଉଙ୍କ ବିଜେ ପ୍ରତିମା ଆଜ୍ଞାମାଳ ପାଇ ରତ୍ନବେଦୀରୁ ଜନ୍ମ ମଣ୍ଡପକୁ ବିଜେ କରିଥିଲେ । ପ୍ରଭୁଙ୍କ ବିଜେ ପ୍ରତିମାକୁ ଏକ ରୂପା ହାଣ୍ଡି ମଧ୍ୟରେ ରଖି ଅଟା, ପଂଚାମୃତ, ଗୁଡ, ମହୁ ଓ ଘିଅର ସମିଶ୍ରଣରେ ନାଭି ତିଆରି କରାଯାଇ ପାଟବସ୍ତ୍ରରେ ଆଛାଦିତ କରି ରଖାଯାଇଥିଲା । ପୁରୋହିତଙ୍କ ଜନ୍ମବିଧାନ ନୀତି ଅନୁସାରେ ରୂପା ଛୁରୀରେ ନାଭି ଛେଦନ କରାଯାଇ ବିଜେ ପ୍ରତିମାଙ୍କୁ ସୂର୍ଯ୍ୟଦର୍ଶନ, ମହାସ୍ନାନ, ଷଷ୍ଠୀ ଦେବୀ ପୂଜା ଓ ଦୋଳିରେ ବସାଇ ବନ୍ଦାପନା ସାରିବା ପରେ ରତ୍ନବେଦୀକୁ ବିଜେ ହୋଇ ଅନ୍ନଧୂପ ଓ ଆଳତୀ ପରେ ପହୁଡ ପଡିଥିଲା । ମନ୍ତ୍ର ଉଚ୍ଚାରଣ ଘଂଟା ଘଂଟି ହରିବୋଲ ହୁଳହୁଳିର ଏକ ଆଧ୍ୟାତ୍ମିକ ପରବେଶ ମଧ୍ୟରେ ପ୍ରଭୁ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ନାଭି ପ୍ରସାଦ ସେବନ ଦ୍ବାରା ନିଃସନ୍ତାନ ମାନେ ସନ୍ତାନ ଲାଭର ବିଶ୍ୱାସ ନେଇ ମହିଳାମାନେ ନାଭି ପ୍ରସାଦ ପାଇବା ପାଇଁ ଭିଡ ଲଗାଇଥିଲେ । ସନ୍ଧ୍ୟା ସାଢେ ୬ଟାରେ ଟେରାଧୂପ ଓ ସନ୍ଧ୍ୟା ଆଳତୀ ହୋଇଥିଲା । ପ୍ରଭୁ ଶ୍ରୀରଘୁନାଥ, ମାତା ସୀତା ଓ ଅନୁଜ ଲକ୍ଷ୍ମଣ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିବା ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି କରିଥିବା ପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତି ଜନ୍ମ ନାରାୟଣ ବେଶ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ।ଆଜିର ପାଳିଆ ପଣ୍ଡା ବେଣୁଧର ନନ୍ଦ ଦେବୋତ୍ତର ମ୍ୟାନେଜର ତାପସ ପଟ୍ଟନାୟକ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦ୍ୱାରା ସମସ୍ତ ନୀତିକାର୍ଯ୍ୟ ସଂପାଦିତ କରାଯାଇଥିଲା । ସାଧାରଣ ଭାବେ ପ୍ରଥମ ଦିନରେ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଶ୍ରୀଜୀଉଙ୍କ ଡାଡକା ବଧ ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ ।

Leave A Reply

Your email address will not be published.