ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

0

ନୟାଗଡ଼,୩୦/୩:ଲୋକଙ୍କ ହାତ ପାଆନ୍ତାରେ ଉଚ୍ଚ ଗୁଣବତ୍ତା ଏବଂ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ନୟାଗଡ ମ୍ୟୁନିସିପାଲିଟିର ଆଠ ନମ୍ବର ୱାର୍ଡ ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମକରନ୍ଦ ବେଉରା, ନୟାଗଡ ମ୍ୟୁନିସିପାଲିଟି ଅଧ୍ୟକ୍ଷା ନିରୁପମ ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାଉନସେଲର କିଶାନ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ । ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରଗୋଟି ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ । ସେଗୁଡିକ ମଧ୍ୟରେ ଗର୍ଭଧାରଣ ଏବଂ ଶିଶୁ-ଜନ୍ମରେ ଯତ୍ନ, ନବଜାତକ ସ୍ୱାସ୍ଥ୍ୟ ସେବା, କିଶୋର ସ୍ୱାସ୍ଥ୍ୟ ସେବା, ପରିବାର ନିଯୋଜନ, ଗର୍ଭନିରୋଧକ ସେବା ଏବଂ ଅନ୍ୟାନ୍ୟ ପ୍ରଜନନ ସ୍ୱାସ୍ଥ୍ୟ ସେବା, ସଂକ୍ରାମକ ରୋଗର ପରିଚାଳନା, ସଂକ୍ରାମକ ରୋଗର ଚିକିତ୍ସା, ଅଣ-ସଂକ୍ରାମକ ରୋଗର ସ୍କ୍ରିନିଂ, ପ୍ରତିରୋଧ, ନିୟନ୍ତ୍ରଣ ଏବଂ ପରିଚାଳନା, ଚକ୍ଷୁ, ନାସା, କର୍ଣ୍ଣ ସମସ୍ୟାର ଚିକିତ୍ସା ଯତ୍ନ, ଶଜ୍ୟାଶାୟୀ ବୃଦ୍ଧଙ୍କ ପାଇଁ ଉପଶମକ ସ୍ୱାସ୍ଥ୍ୟ ସେବା, ଜରୁରୀକାଳୀନ ଚିକିତ୍ସା, ମାନସିକ ସ୍ୱାସ୍ଥ୍ୟର ସ୍କ୍ରିନିଂ ଆଦି ମୌଳିକ ସ୍ୱାସ୍ଥ୍ୟ ସେବାଗୁଡିକ ଯୋଗାଇ ଦିଆଯିବ । ଏଠାରେ ସର୍ବସାଧାରଣଙ୍କ ପାଇଁ କ୍ଲିନିକାଲ୍ ଯତ୍ନ, ପ୍ରାଥମିକ ଚିକିତ୍ସା, ଔଷଧ, ନିଦାନ, ଏବଂ ଜରୁରୀକାଳୀନ ସେବା ଇତ୍ୟାଦି ବିନାମୂଲ୍ୟରେ ଉପଲବ୍ଧ ହେବ । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯାଇଛି ଏବଂ ମାନବ ସମ୍ବଳ ଉକ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଉପଲବ୍ଧ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏକୀକରଣ ଏବଂ କାର୍ଯ୍ୟକ୍ଷମତା ବୃଦ୍ଧି ସହିତ ସ୍ୱାସ୍ଥ୍ୟ ପ୍ରଣାଳୀର ମଜବୁତକରଣରେ ଏହା ଯୋଗଦାନ କରିବାର ଲକ୍ଷ୍ୟ ରହିଛି । ତତ ସହିତ ଯୋଗ, ବ୍ୟାୟାମ ଇତ୍ୟାଦି ସ୍ୱାସ୍ଥ୍ୟ ପ୍ରୋତ୍ସାହନ କାର୍ଯ୍ୟକଳାପ କରାଯିବା ପାଇଁ ବ୍ୟବସ୍ଥା ରହିବ । ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଦୈନନ୍ଦିନ ପରିଚାଳନା, ଉପଭୋକ୍ତା ସନ୍ତୋଷ ଏବଂ ସ୍ଥାୟୀ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ଓ ହିତାଧିକାରୀଙ୍କୁ ନେଇ “ଜନ ଆରୋଗ୍ୟ ସମିତି’ ଗଠନ କରାଯାଇ ଏହି କେନ୍ଦ୍ରର ମାଲିକାନା ଓ ପରିଚାଳନା ଦାୟିତ୍ୱ ଦିଆଯିବ । ଏହି କାର୍ଯ୍ୟକ୍ରମଟି ଡିପିଏମ ବିଶ୍ଵ ରଞ୍ଜନ ରଥ, ଆଶା ମ୍ଯାନେଜର ସୀତାକାନ୍ତ ପଟ୍ଟନାୟକଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ହୋଇଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି, ସାଧାରଣ ଜନତା ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.