ଭୁବନେଶ୍ୱର, ୨୮/୦୩ : ଓଡ଼ିଶାରେ ମରୁଡି ପରିସ୍ଥିତିର ମୁକାବିଲା ନିମନ୍ତେ ବହୁବିଧ ବିଶେଷଜ୍ଞତାର ଏକତ୍ରିକରଣ, ତଥ୍ୟର ଅନୁଶୀଳନ ଏବଂ ମରୁଡି ସଂପର୍କରେ ଆଗୁଆ ସଂକେତ ବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ କର୍ମଶାଳାରେ ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି ।
ଏହି କର୍ମଶାଳାରେ ଆମେରିକାର ଟେକ୍ସାସ୍ ଏ ଆଣ୍ଡ ଏମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବିନାୟକ ମହାନ୍ତି ଯୋଗ ଦେଇ ମରୁଡି ପରିସ୍ଥିତିରେ ଭଲ ଫସଲ ଓ ଜଳ ପରିଚାଳନା କ୍ଷେତ୍ରରେ ସଏଲ ମଏଶ୍ଚର ଡାଏନାମିକ୍ସ ଓ ଟେମ୍ପୋରାଲ୍ ଭାରିଏବିଲିଟି ଉପରେ ଗୁରୁତ୍ୱାରୋପ କରିଥିଲେ ।
ସୋଆ ପରିଚାଳିତ ସେଂଟର ଫର୍ କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲ୍ଚର (ସିସିଏସ୍ଏ) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟି ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ‘ଡ୍ରଟ ସିନାରିଓ ଇନ୍ ଓଡ଼ିଶା: ଆଡାପ୍ଟେସନ୍ ଆଣ୍ଡ ମିଟିଗେସନ୍ ଷ୍ଟ୍ରାଟେଜିସ୍’ ଶୀର୍ଷକ ଏହି କର୍ମଶାଳା ଆୟୋଜିତ ହୋଇଥିଲା ।
ସଏଲ୍ ମଏଶ୍ଚର, ସଏଲ୍ ହାଇଡ୍ରୋଲିକ୍ସ ଓ ଇଭାପୋଟ୍ରାନ୍ସପିରେସନ୍ ଉପରେ ସାଟେଲାଇଟ୍ ରିମୋଟ୍ ସେନ୍ସିଂ ଟୁଲ୍ ବ୍ୟବହାର କରି ଗବେଷଣା କରିବାରେ ପ୍ରଫେସର ମହାନ୍ତିଙ୍କ ବିଶ୍ୱସ୍ତରରେ ସୁଖ୍ୟାତି ରହିଛି । ସେ ନାସା ସଏଲ୍ ମଏଶ୍ଚର ଆକ୍ଟିଭ୍ ପାସିଭ୍ ମିସନ୍ର ସାଇନସ୍ ଟିମ୍ରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହାଛଡା ସିସିଏସ୍ଏର ଆନ୍ତର୍ଜାତିକ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରୁଛନ୍ତି ।
ସ୍ୱଳ୍ପ ଏବଂ ଦୀର୍ଘ ମିଆଦୀ ମରୁଡି ପରିସ୍ଥିତିରେ କୃଷି, ଉଦ୍ୟାନ ବିଦ୍ୟା, ଆଗ୍ରୋ ଫରେଷ୍ଟ୍ରି ତଥା ପଶୁପାଳନ ଉପରେ ପଡୁଥିବା ପ୍ରଭାବ ଏବଂ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ବ୍ଲକଗୁଡ଼ିକୁ ସମ୍ମିଳିତ ଚାଷ ମାଧ୍ୟମରେ ଏହି ସମସ୍ୟାର ନିରାକରଣ ଦିଗରେ କର୍ମଶାଳାରେ ପରାମର୍ଶ ଦିଆଯାଇଥିଲା ।
ଏହି କର୍ମଶାଳାରେ ଅନ୍ୟ ବିଶେଷଜ୍ଞମାନଙ୍କ ମଧ୍ୟରେ ଆଇସିଏଆର୍-ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଂଟ, ଭୁବନେଶ୍ୱର ର ନିର୍ଦ୍ଦେଶକ ଡକ୍ଟର ଅର୍ଜାମଦତ ଷଡ଼ଙ୍ଗୀ, ଡେରାଡୁନ୍ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସଏଲ୍ ଆଣ୍ଡ ୱାଟର କନ୍ଜରଭେସନ୍ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ପ୍ରଶାନ୍ତ କୁମାର ମିଶ୍ର, ସୋଆ ସିସିଏସ୍ଏର ନିର୍ଦ୍ଦେଶକ ପ୍ରଫେସର ଆର୍.କେ ପଣ୍ଡା, ଆଇଆଇଟି ଭୁବନେଶ୍ୱରର ଡକ୍ଟର ମିନୁ ରାମଦାସ, ଓଡ଼ିଶା ମିଲେଟ୍ ମିସନ୍ର ଆଂଚଳିକ ସଂଯୋଜକ ଶ୍ରୀ ସଞ୍ଜିବ କୁମାର ନାୟକ, ସୋଆ ଆଇଏଏସ୍ର ଆଗ୍ରୋନୋମୀ ବିଭାଗର ପ୍ରଫେସର ବାସୁଦେବ ବେହେରା, ସିସିଏସଏ ର ଡକ୍ଟର ନିହାର ରଂଜନ ଦାସ, ଆଇଏଏସ୍ର ଡକ୍ଟର ପ୍ରଭାତ ଷଡଙ୍ଗୀ ଏବଂ ଆଇଆଇଟି ଭୁବନେଶ୍ୱରର ପୂର୍ବତନ ରିସର୍ଚ୍ଚ ସ୍କଲାର ଡକ୍ଟର ବସୁନ୍ଧରା ବୋର୍ଡେ ପ୍ରମୁଖ ଯୋଗ ଦେଇଥିଲେ ।
ଏହି କର୍ମଶାଳାରେ ଦୁଇଟି ଟେକ୍ନିକାଲ୍ ସେସନ୍ ହୋଇଥିବା ବେଳେ ଏହାକୁ ପରିଚାଳନା କରିଥିଲେ ବିଶିଷ୍ଟ ବାତାବରଣ ବିଜ୍ଞାନ ବିଶେଷଜ୍ଞ ପ୍ରଫେସର ୟୁ.ସି ମହାନ୍ତି ।
ସୋଆ ପକ୍ଷରୁ ନୂତନ ଭାବେ ଆରମ୍ଭ ହୋଇଥିବା ସିସିଏସ୍ଏର ଲକ୍ଷ୍ୟ ରହିଛି ପରିବର୍ତିତ ଜଳବାୟୁ ପରିସ୍ଥିତି ସହ ଖାପ ଖୁଆଇ ଅଭିନବ ଓ ଉନ୍ନତ ମାନର କୃଷି କାର୍ଯ୍ୟକୁ ଆଗେଇ ନେବା ଏବଂ ଏହା ଦ୍ୱାରା କୃଷକମାନଙ୍କର କିଭଳି ଆର୍ଥିକ ସ୍ତରରେ ଉନ୍ନତି ହୋଇପାରିବ ସେ ଦିଗରେ ଧ୍ୟାନ ଦେବା ବୋଲି ଏହାର ନିର୍ଦ୍ଦେଶକ ପ୍ରଫେସର ପଣ୍ଡା କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.