ଓଡ଼ିଶା ବିଜେପିକୁ ନିର୍ଲଜ୍ଜ କହିଲା ବିଜେଡି

0
  • ଓଡ଼ିଶା ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି: ବିଜେଡି

  • ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଜଣେ ଓଡ଼ିଶା ବିରୋଧୀ ନେତା

  • ଗଣତନ୍ତ୍ରରେ ଏକ ସୁସ୍ଥ ବିରୋଧୀଦଳର ଆବଶ୍ୟକତା ରହିଛି

  • ମିଛକୁ ରଣନୀତି କରି ବିଜେପି କେବେବି ଲୋକଙ୍କ ଭରସା ଜିତି ପାରିବ ନାହିଁ

ଭୁବନେଶ୍ୱର : ଓଡ଼ିଶାରେ ବିରୋଧୀଦଳ ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି। ମିଛର ଆଶ୍ରୟ ନେଇ ବିରୋଧୀଦଳ ନେତା ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି। କିନ୍ତୁ ମିଛକୁ ରଣନୀତି କରି ବିରୋଧୀଦଳ କେବେବି ଲୋକଙ୍କ ଭରସା ଜିତି ପାରିବ ନାହିଁ। ଆଜି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟର ଏଭଳି ଜବାବ ଦେଇଛି ବିଜୁ ଜନତା ଦଳ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି, ଜୟନାରାୟଣ ମିଶ୍ର ବିରୋଧୀଦଳ ନେତା ନୁହନ୍ତି, ସେ ଜଣେ ଓଡ଼ିଶା ବିରୋଧୀ ନେତା। ସେ ଯେଉଁଭଳି ଟିପ୍ପଣି ଦେଉଛନ୍ତି, ଏଥିରୁ ସ୍ପଷ୍ଟ ଯେ ଜଣେ ଓଡ଼ିଆ ହୋଇ ମଧ୍ୟ ସେ ଓଡ଼ିଶାର ଉନ୍ନତି ଚାହାନ୍ତି ନାହିଁ। ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର କୌଣସି ଦରଦ ନାହିଁ। ବିଧାନସଭା ଭିତରେ ହେଉ କି ବାହାରେ; ସଦାବେଳେ କେବଳ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସେ ମନ୍ତବ୍ୟ ଦିଅନ୍ତି ଏବଂ ଓଡ଼ିଶାକୁ ନିଂଦିତ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ।
ଓଡ଼ିଶା ବିଜେପିକୁ ଆମେ କହିବାକୁ ଚାହୁଁ; ଆପଣ ନିର୍ଲଜ୍ଜ ଭାବେ ମିଛ କହୁଛନ୍ତି। ମାତ୍ର ବାରମ୍ବାର ଯେତେ ମିଛ କହିଲେ ମଧ୍ୟ ମିଛ କେବେ ସତ ପାଲଟିଯିବ ନାହିଁ। ଓଡ଼ିଶାବାସୀ ସବୁ ଜାଣନ୍ତି ଏବଂ ଯଥେଷ୍ଟ ସଚେତନ ଅଛନ୍ତି। ଆପଣ ଏଭଳି ବାରମ୍ବାର ମିଛ କହି ଚାଲିଥିବାରୁ ଲୋକଙ୍କ ବିଶ୍ୱାସ ଜିତିବାରେ ସମର୍ଥ ହେଉ ନାହାନ୍ତି। ଆମେ ମଧ୍ୟ ଏହା ବିଶ୍ୱାସ କରୁ ଯେ ଗଣତନ୍ତ୍ରରେ ସୁସ୍ଥ ବିରୋଧୀଦଳର ଆବଶ୍ୟକତା ରହିଛି। ମାତ୍ର ମିଛ କେବେବି ଏକ ସୁସ୍ଥ ବିରୋଧୀଦଳର ରଣନୀତି ହୋଇପାରିବ ନାହିଁ। ବିରୋଧୀଦଳ ନେତା ହେଉଛନ୍ତି ଓଡ଼ିଶାରେ ଅରାଜକତାର ପ୍ରତୀକ। ଆଇନର ଫାଶରୁ ମୁକୁଳିବା ପାଇଁ ସେ କେବଳ କାର୍ୟ୍ୟାନୁଷ୍ଠାନକୁ ବିଳମ୍ବ କରିବାର କୌଶଳ ଆପଣେଇଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି।

Leave A Reply

Your email address will not be published.