ନୂଆଁଖାଇ: ସମ୍ବଲପୁରୀ ଶାଢୀର ବଢୁଛି ଚାହିଦା ।

0

ବରଗଡ଼: ଐତିହ୍ୟ ଓ ପରମ୍ପରାର ପ୍ରତୀକ ହେଉଛି ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ପର୍ବ ନୂଆଁଖାଇ । ଯାହା କାହିଁ କେତେ କାଳରୁ ପାଳିତ ହୋଇ ଆସୁଛି । ନୂଆଁ ଧାନ, ନୂଆଁ ଶସ୍ୟ, ନୂଆଁ ଫଳ ଓ ପନିପରିବା ଉତ୍ପାଦନ ପୂର୍ବରୁ ଚାଷୀ ପ୍ରଥମେ ଇଷ୍ଟଦେବୀଙ୍କଠାରେ ନୂଆକୁ ଅର୍ପଣ କରିଥାନ୍ତି । ପରମ୍ପରା ଅନୁଯାୟୀ ନୂଆଁଖାଇ ପର୍ବରେ ସବୁ ହୋଇଥାଏ ନୂଆଁ ଏବଂ ପରିବାରର ଛୋଟ ବଡ଼ ସମସ୍ତଙ୍କ ପାଇଁ କିଣା ହୋଇଥାଏ ନୂଆଁ ବସ୍ତ୍ର । ତେବେ ଆସନ୍ତାକାଲି ନୂଆଁଖାଇ ପର୍ବ ଥିବାବେଳେ ବହୁ ଦିନରୁ ଦୋକାନ ବଜାରରେ ଗହଳି ଲାଗିଲାଣି । ବିଶେଷ କରି ବରଗଡ଼ର ସମ୍ବଲପୁରୀ ବସ୍ତ୍ରାଳୟ ଗୁଡିକରେ ଲାଗିରହିଛି ବହୁତ ଭିଡ଼ । ପଶ୍ଚିମ ଓଡ଼ିଶାର ଗଣପର୍ବରେ ସମ୍ବଲପୁରୀ ବସ୍ତ୍ରର ଚାହିଦା ବଢିଚାଲିଛି । ବିଶେଷ କରି ସମ୍ବଲପୁରୀ ବସ୍ତ୍ରାଳୟରେ ମହିଳାଙ୍କ ଭିଡ଼ ଲାଗିଛି ସମ୍ବଲପୁରୀ ଶାଢ଼ୀ କିଣିବା ପାଇଁ । ଦୋକାନୀମାନେ ମଧ୍ୟ ଭଲ ରୋଜଗାର କରିଥାନ୍ତି ଏହି ନୂଆଁଖାଇ ପର୍ବରେ । ନୂଆଁଖାଇର ତିନିମାସ ପୂର୍ବରୁ ବୁଣାକାରମାନେ ନୂଆଁନୂଆଁ ଡିଜାଇନ ଓ ସୁନ୍ଦର ଶାଢ଼ୀ ବୁଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି । ପ୍ରତି ବର୍ଷ ନୂଆଁଖାଇ ସମୟରେ ସମ୍ବଲପୁରୀ ଶାଢ଼ୀର ବଢୁଥିବା ଚାହିଦାକୁ ଦେଖି ସମ୍ବଲପୁରୀ ଶାଢ଼ୀ ବିକ୍ରେତାମାନେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥାନ୍ତି ।ଏହି ନୂଆଁଖାଇ ପରମ୍ପରା ଜିଲ୍ଲାର ବୁଣାକାରମାନଙ୍କ କୌଳିକ ବୃତ୍ତିକୁ ବଞ୍ଚାଇବାରେ ସହାୟ ହୋଇ ତାଙ୍କ ପରିବାର ପାଇଁ ଜୀବିକା ନିର୍ବାହର ଏକ ସ୍ରୋତ ମଧ୍ୟ ହୋଇପାରିଛି । ତେବେ ଦୀର୍ଘଦିନ ଧରି ବଜାରରେ ଚାଲିଥିଲା ମାନ୍ଦାବସ୍ଥା । ନୂଆଁଖାଇ ଓ ଗଣେଷ ପୂଜା ପାଇଁ ବର୍ତ୍ତମାନ ସହର ଚଳଚଞ୍ଚଳ ହୋଇଉଠିଛି । ବ୍ୟବସାୟୀଙ୍କ ବ୍ୟାପାରରେ ଭଲ ସୁଧାର ଆସିଛି ବୋଲି କହିଛନ୍ତି ସ୍ଥାନୀୟ ବ୍ୟାବସାୟୀ ।

ଅନ୍ୟଦିନରେ ଯେତେ ସମ୍ବଲପୁରୀ ଶାଢ଼ୀ ବିକ୍ରି ହୋଇଥାଏ ବର୍ତ୍ତମାନ ପ୍ରତିଦିନ ତାଠାରୁ ଛଅ ଗୁଣ ଅଧିକ ବିକ୍ରି ହୋଉଛି । ଯେଉଁଥିପାଇଁ ସମ୍ବଲପୁରୀ ଶାଢ଼ୀର ଚାହିଦା ଏବର୍ଷ ବଢ଼ିଥିବା ଜଣାପଡିଛି । ତେବେ ସମ୍ବଲପୁରୀ ଶାଢ଼ୀ ତିଆରି କରି ଜୀବିକା ନିର୍ବାହ କରୁଥିବା ବୁଣାକାରମାନଙ୍କ ପାଇଁ ଏହା ଏକ ଖୁସିର ବିଷୟ ବୋଲି ବ୍ୟବସାୟୀମାନେ ।

Leave A Reply

Your email address will not be published.