ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଓ ଏବଂ ଏହି କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟରତ ମହିଳାମାନଙ୍କୁ ନେଇ ଗଠନ ହୋଇଥିବା “ଓଡ଼ିଶା ୱିମେନ୍ ଇନ୍ ମିଡିଆ” (ଓଡବ୍ଲୁଏମ୍)ର ଶୁଭାରମ୍ଭ ହେବା ସହ ଏହାର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଯାଇଛି ।
ଏହି କ୍ଷେତ୍ର ସହିତ ଜଡ଼ିତ ମହିଳାମାନଙ୍କ ସୁବିଧା ସୁଯୋଗ, ସ୍ୱାର୍ଥ ଓ ସୁରକ୍ଷାକୁ ନେଇ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ଫୋରମ୍କୁ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତି ସୁଲୋଚନା ଦାସ ଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତି ମିନତୀ ବେହେରା ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିବା ସହ ଏହାର ଲୋଗୋକୁ ମଧ୍ୟ ଉନ୍ମୋଚନ କରିଥିଲେ ।
ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ ୨ର କନ୍ଭେନ୍ସନ୍ ହଲ୍ରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମେୟର ଶ୍ରୀମତି ଦାସ ନିଜର ଖୁସି ବ୍ୟକ୍ତ କରିବା ସହ ନିଜେ ସାମ୍ବାଦିକତା କ୍ଷେତ୍ରରୁ ଆସିଥିବାରୁ ଏଭଳି ଫୋରମ୍ ଗଠନ ଏବଂ ଟ୍ରଷ୍ଟ ଦ୍ୱାରା ବହୁ ଦିନର ସ୍ୱପ୍ନ ସାକାର ହେଲା ବୋଲି କହିଛନ୍ତି ।
ଏହି ପ୍ଲାଟଫର୍ମରେ କାର୍ଯ୍ୟରତ ମହିଳାମାନେ ନିଜର ବିଭିନ୍ନ ସମସ୍ୟା ଏବଂ ବୃତିଗତ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିବେ ବୋଲି କହିବା ସହ ସେ ନିଜେ ଏହି ପରିବାରରୁ ଆସିଥିବାରୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ଶ୍ରୀମତି ଦାସ କହିଥିଲେ ।
ତେବେ ଏହି କ୍ଷେତ୍ରରେ ଥିବା ମହିଳାମାନେ ନୈତିକ ମୂଲ୍ୟବୋଧକୁ ନ ଭୁଲି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ସେହିପରି ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତି ବେହେରା ଟ୍ରଷ୍ଟର ଶୁଭାରମ୍ଭ ନେଇ ଅଭିନନ୍ଦନ ଜଣାଇବା ସହ ମହିଳାମାନେ ଆହୁରି ଏକତ୍ରିତ ହୁଅନ୍ତୁ ଏବଂ ଏହି ଅନୁଷ୍ଠାନ ତାର କାୟା ବିସ୍ତାର କରୁ ବୋଲି ଆଶା ପ୍ରକାଶ କରିଥିଲେ । ମହିଳା ସାମ୍ବାଦିକାମାନେ ଅଧିକ ମାତ୍ରାରେ ସାମ୍ନାକୁ ଆସିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଥିଲେ ।
ସୂଚନାର ଆଦାନ ପ୍ରଦାନ ଏବଂ ଗଣମାଧ୍ୟମର ସଚେତନତା ସୃ୍ଷ୍ଟି କରିବା ସହ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଏବଂ ଲିଙ୍ଗଗତ ସମାନତାରେ କାର୍ଯ୍ୟ କରିବା ସହିତ ଗୋଟିଏ ଛାତ ତଳେ ମହିଳାମାନଙ୍କ ଉନ୍ନତି, ସଶକ୍ତିକରଣ ପ୍ରଦାନ କରାଯିବା ଏହି ଓଡ଼ିଶା ୱିମେନ୍ ଇନ୍ ମିଡିଆ ଟ୍ରଷ୍ଟର ଉଦ୍ଦେଶ୍ୟ ରହିଛି ।
ବିଭିନ୍ନ ଗଣମାଧ୍ୟମ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଓ ଗଣମାଧ୍ୟମ ସହିତ ଜଡ଼ିତ କାର୍ଯ୍ୟରତ ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଏହି ଟ୍ରଷ୍ଟର ଉଦ୍ଦେଶ୍ୟ ।
ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତି କସ୍ତୁରୀ ରାୟ, ଉପାଧ୍ୟକ୍ଷା ଶ୍ରୀମତି ଶାରଦା ଲାହଙ୍ଗିର୍, ସମ୍ପାଦିକା ଶ୍ରୀମତି ମିନତୀ ସିଂହାଙ୍କ ସହିତ ଟ୍ରଷ୍ଟର ସଦସ୍ୟ ଏବଂ ଶତାଧିକ କାର୍ଯ୍ୟରତ ମହିଳା ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.