ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ ଦୁର୍ନୀତି

0

ନଳକୂପ ଚାନ୍ଦିନୀରେ ସିମେଣ୍ଟ ଲେପ ଦେଇ ଲକ୍ଷାଧିକ ଟଙ୍କା ଚଳୁ !

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ ନଳକୂପ ଚାନ୍ଦିନୀ ନିର୍ମାଣରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବ୍ଳକର ୧୫ ଗୋଟି ପଞ୍ଚାୟତରେ ଗ୍ରାମୀଣ ସ୍ବଚ୍ଛ ଭାରତ ମିଶନ ଜରିଆରେ ଗୋଷ୍ଠୀ ଶୋଷକ ଗର୍ତ୍ତ ଓ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରତ୍ୟେକ ନଳକୂପରେ ୧୬ ହଜାର ଅନୁଦାନ ମଞ୍ଜୁର ହୋଇ କାର୍ଯ୍ୟକାରୀ ହୋଇଥିଲା। ବ୍ଳକର ବିଭିନ୍ନ ଗ୍ରାମରେ ଅନେକ ଗୁଡ଼ିଏ ପ୍ରକଲ୍ପ ନିର୍ମାଣ ହୋଇଥିବା ବିଶେଷ ସୁତ୍ରରୁ ଜଣାଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ସାରା ବୀରମହାରାଜପୁର ଅଞ୍ଚଳରେ ନିର୍ମାଣ ହୋଇଥିବା ଗୋଟିଏ ବି ପ୍ରକଲ୍ପ ନୂତନ ଭାବେ ନିର୍ମାଣ କରାଯାଇନାହିଁ। କିଛି ପ୍ରକଲ୍ପ କାଁ ଭାଁ ନିର୍ମାଣ କରି କେଉଁଠି ସିମେଣ୍ଟ ଲେପ ଦିଆଯାଇ ଚକାଚକ କରୁଥିବା ବେଳେ ଅନେକ ସ୍ଥାନରେ ପୁରୁଣାକୁ ନୂଆଁ ଦର୍ଶାଇ ଲକ୍ଷାଧିକ ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି। ସାମାଜିକ କର୍ମୀ ବିନୋଦ ପାଣ୍ଡେ ସୂଚନା ଅଧିକାର ଆଇନ ବଳରେ‌ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କାର୍ଯ୍ୟାଳୟକୁ ଏହି ପ୍ରକଳ୍ପ ନିର୍ମାଣ ଓ ବ୍ୟୟ ଅଟକଳ ତଥ୍ୟ ମାଗିଥିଲେ ମଧ୍ୟ ଏକ ମାସରୁ ଉର୍ଦ୍ଧ୍ବ ହେବ ଦେଇପାରୁ ନାହିଁ। ଏଥିରୁ ଜଣାପଡ଼ୁଛି ଯେ ଜିଲ୍ଲା ଅଧିକାରୀ ଠାରୁ ବ୍ଳକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ମିଶି ଏହି ପ୍ରକଳ୍ପ ଅତି ନିମ୍ନମାନର ସାମଗ୍ରୀ ଓ ପୁରୁଣାକୁ ନୁଆଁ ଦର୍ଶାଇ ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି। ବିଭାଗୀୟ ଯନ୍ତ୍ରୀ କିଛି ଦଲାଲଙ୍କୁ ଠିକାକାର୍ଯ୍ୟ ଦେଇ ଏଭଳି ଦୁର୍ନୀତି କରିଥିବା ବିଶେଷ ସୁତ୍ରରୁ ଜଣାପଡିଛି। ବିନା ‌ସୂଚନା ଫଲକରେ ବ୍ଳକର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି। ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ଦୁର୍ନୀତି ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Leave A Reply

Your email address will not be published.