ନର୍ସିଂ କଲେଜରେ ଛାତ୍ରୀ ନିର୍ଯ୍ୟାତନା। ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ।

0

ଉମରକୋଟ /ଜିତେନ୍ଦ୍ର ମହାନ୍ତି-ଆତ୍ମହତ୍ୟା ଉଦ୍ୟମ କଲେ ନର୍ସିଂ କଲେଜ ଛାତ୍ରୀ। ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି । ଅବସ୍ଥା ଗୁରୁତର ଥିବାରୁ ସ୍ଵଇଚ୍ଛାରେ କୋରାପୁଟ ସ୍ଥାନାନ୍ତର ହେଲେ ପୀଡିତା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ନର୍ସିଂ କଲେଜରେ ।ଘଟଣା ପ୍ରକାରେ, ଆଜି ସକାଳେ ନର୍ସିଂ କଲେଜର ଛାତ୍ରୀ ସୁତପା ପଣ୍ଡା କଲେଜର ମୁଖ୍ୟ ପ୍ରସାଦ ଛାଟୋଇଙ୍କୁ ଦେଖା କରିବା ପାଇଁ ଯାଇଥିବା ସମୟରେ ପ୍ରସାଦ ଛାଟୋଇ ଛାତ୍ରୀ ଜଣଙ୍କୁ ଚରିତ୍ରହୀନା ବୋଲି କହିବା ସହ ତୁମ ବାପା ମଧ୍ଯ ଚରିତ୍ରହୀନ ବୋଲି କହିଥିଲେ। ଏହା ପରେ ଛାତ୍ରୀ ଜଣକ କାହିଁକି ଚରିତ୍ରହୀନ ବୋଲି କହିଲେ ସେଥିପାଇଁ କଲେଜ ମୁଖ୍ୟଙ୍କୁ ଭେଟି ଆଲୋଚନା କରିବା ପାଇଁ କହିଥିଲେ ମଧ୍ୟ କଲେଜ ମୁଖ୍ୟ ଛାତ୍ରୀଙ୍କ କୌଣସି କଥା ନ ଶୁଣି ଚାଲି ଯାଇଥିଲେ। ଏହା ପରେ ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଝରିଗାଁ ତହସିଲଦାର ଏବଂ ଉମରକୋଟ ପୋଲିସ୍ କଲେଜରୁ ଉଦ୍ଧାର କରି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀ ଜଣଙ୍କ ଅବସ୍ଥା ସ୍ଥିର ଥିବା ବେଳେ, ତାଙ୍କୁ ଅସୁସ୍ଥ ଲାଗୁଥିବାରୁ ଛାତ୍ରୀଙ୍କ ଅନୁରୋଧ କ୍ରମେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ରେଫର୍ କରିଥିବା କହିଛନ୍ତି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ରାଉଳ। ତେବେ, ଏଥି ପୂର୍ବରୁ ମଧ୍ୟ ମାନସିକ ଭାବେ କଲେଜ କର୍ତ୍ତୁପକ୍ଷ ଛାତ୍ରୀ ଜଣଙ୍କୁ ନିର୍ଯ୍ୟାତନା ଦେଇଥିବା ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଛାତ୍ରୀ। ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ଏବଂ ତାଙ୍କ ବାପା। ଏପରିକି ଅନେକ ସମୟରେ ଛାତ୍ରୀ ଜଣଙ୍କୁ କଲେଜ ପରିଚାଳନା ନିର୍ଦ୍ଦେଶକ ଏକାକୀ ତାଙ୍କ ଚାମ୍ବରକୁ ଡାକି ଅଶ୍ଳୀଳ ବ୍ୟବହାର କରୁଥିବା ଏବଂ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ଉପରେ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀ। ଅନ୍ୟ ପକ୍ଷରେ କଲେଜ ପରିଚାଳନା ନିର୍ଦେଶକ ଜଣେ ସରକାରୀ ଚାକିରିଆ ହୋଇ ସୁଦ୍ଧା ଗୋଟିଏ ବେସରକାରୀ ଅନୁଷ୍ଠାନ କିଭଳି ଚଳାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପୀଡିତା ଛାତ୍ରୀ ଏବଂ ତାଙ୍କ ବାପା। ଏଥି ସହିତ ଏହାର ସଠିକ୍ ତଦନ୍ତ କରି କଲେଜ କର୍ତ୍ତୁପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ନହେଲେ କଲେଜ ସାମ୍ନାରେ ଅନଶନରେ ବସିବା ସହ ଆତ୍ମାହୁତି ଦେବେ ବୋଲି କହିଛନ୍ତି ଛାତ୍ରୀଙ୍କ ପିତା ବିଭୁ ପ୍ରସାଦ ପଣ୍ଡା।

Leave A Reply

Your email address will not be published.