ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁରୁବାର ଦିନ ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୪ ଏବଂ ୩୫ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ତାମିଲନାଡ଼ୁ ଓ କର୍ଣ୍ଣାଟକ ରାଜ୍ୟର ଦୁଇଟି ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି।
ସୂଚନା ଥାଉକି ପିତାମାତା ଦ୍ବାରା ଅବହେଳିତ ହୋଇ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲାରୁ ଗୋଟିଏ କନ୍ୟା ସନ୍ତାନ ଉଦ୍ଧାର ହୋଇଥିଲା ବେଳେ ଅନ୍ୟ ଜଣେ କନ୍ୟା ଲାଳନ ପାଳନ କରିବାରେ ଅକ୍ଷମ ନିଜ ମା’ ଦ୍ବାରା ସମର୍ପିତ ହୋଇଥିଲା। ଉପରୋକ୍ତ ଦୁଇ ଶିଶୁକନ୍ୟାଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ସାଲୋମ , ପାରଳାଖେମୁଣ୍ଡରେ ରଖାଯିବା ସହ ସେମାନଙ୍କର Adoption ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା। ପରବର୍ତ୍ତୀ ମୁହୁର୍ତ୍ତରେ ଦୁଇ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତି , ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ। ଯାହାଦ୍ବାରା ଶିଶୁମାନେ ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ , ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା।
ପରବର୍ତ୍ତୀ ମୁହୁର୍ତ୍ତରେ ବର୍ଷ ବର୍ଷ ଧରି ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦୁଇ ଦମ୍ପତ୍ତି ଶାରିରୀକ ଭାବେ ଶିଶୁମାନଙ୍କୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ , ଗଜପତି ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜ କୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଗୁରୁବାର ଦିନ ଶିଶୁମାନଙ୍କୁ ତାମିଲନାଡ଼ୁ ଓ କର୍ଣ୍ଣାଟକ ରାଜ୍ୟର ଦମ୍ପତ୍ତି ମାନଙ୍କୁ ଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା।
ଏହି ଦୁଇ ଶିଶୁ କନ୍ୟାରତ୍ନ ହୋଇଥିଲା ବେଳେ ସେଥିମଧ୍ୟରୁ ଜଣଙ୍କର ବୟସ ୫ ବର୍ଷ ଓ ଅନ୍ୟଜଣଙ୍କ ବୟସ ୫ ମାସ ହୋଇଥିଲା। ଶିଶୁମାନଙ୍କୁ ପାଇ ଦମ୍ପତ୍ତି ମାନେ ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।
ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରୀପାଠୀ , ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ସୁଜାତା ପଟ୍ଟନାୟକ ଓ ସୁଶ୍ରୀ ମମତା ଶତପଥୀ , ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.