ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ

0

ଭାଗନେଲେ ୧୭ ଜଣ କେନ୍ଦ୍ରୀୟ ଅଧିକାରୀ, ୫ଟି ଜିଲ୍ଲାକୁ ଯିବେ କ୍ଷେତ୍ରୀୟ ପରିଦର୍ଶନରେ

ଭୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ଓ ଜନମଙ୍ଗଳକାରୀ ଯୋଜନା ଗୁଡିକ ତୃଣମୂଳସ୍ତରରେ କାର୍ଯ୍ୟ କରିବା ସଂପର୍କରେ ଜାଣିବା ସହ ଯୋଜନାର ଲକ୍ଷ୍ୟ ହାସଲ ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଆଜିଠାରୁ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଚିବାଳୟ ସେବାର ୧୭ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ସେମାନେ ଗଞ୍ଜାମ, କନ୍ଧମାଳ, ନୟାଗଡ, ଢ଼େଙ୍କାନାଳ ଏବଂ ଅନୁଗୋଳ ଭଳି ୫ଟି ଜିଲ୍ଲାର ବିଭିନ୍ନ ବ୍ଲକକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ବିଭିନ୍ନ ଯୋଜନାର ଅନୁଧ୍ୟାନ କରିବେ । ଆର୍ଥିକ ଓ ପ୍ରଶାସନିକ ପରିଚାଳନା ମାଧ୍ୟମରେ ଯୋଜନା ଗୁଡିକର ବ୍ୟାପକତା ସଂପର୍କରେ ଅଧିକାରୀମାନେ ତଥ୍ୟ ହାସଲ କରିବେ ।
ଉକ୍ତ କାର୍ଯ୍ୟକ୍ରମକୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜ କୁମାର ଶର୍ମା ଉଦ୍ଘାଟନ କରିବା ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଅଧିକାରୀମାନଙ୍କ ପ୍ରେରଣାଦାୟୀ ସହଯୋଗ କାମନା କରିଥିଲେ । ଉକ୍ତ ତାଲିମ କାର୍ଯ୍ୟକ୍ରମ ଉଭୟ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏବଂ ନୂଆଦିଲ୍ଲୀସ୍ଥିତ ସଚିବାଳୟ ତାଲିମ ଏବଂ ପରିଚାଳନା ସଂସ୍ଥା (ISTM) ସହଯୋଗିତାରେ ପ୍ରସ୍ତୁତ କରାଯାଇଛି । ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଉକ୍ତ କାର୍ଯ୍ୟକ୍ରମରେ ISTM ର କୋର୍ସ ନିର୍ଦ୍ଦେଶକ ଶ୍ରୀ କୈଳାଶ କୁମାର ସୋନୀ ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଉପ ମହାନିର୍ଦ୍ଦେଶକ ଶ୍ରୀ ପ୍ରତାପ କୁମାର ମିଶ୍ର, ଅତିରିକ୍ତ କମିଶନର ଡ଼ଃ ହିମାଂଶୁ ଭୁଷଣ ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ କାନନବାଳା ନାୟକ, ଉପ ନିର୍ଦ୍ଦେଶକ ଡ଼ଃ ମମତାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.