ଭୁବନେଶ୍ୱର : ସ୍ଥାନୀୟ ପଟିଆ ରେଳ ଷ୍ଟେସନଠାରେ ହୋଇଥିବା ନାବାଳିକା ଗଣଧର୍ଷଣର ପରିପ୍ରେକ୍ଷୀରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ରଶ୍ମୀ ମହାପାତ୍ର, ମଧୁସ୍ମିତା ଆଚାର୍ଯ୍ୟ, ଜୟଶ୍ରୀ ମହାପାତ୍ର, ପ୍ରତିମା ମହାନ୍ତି, ସ୍ୱାଧୀନବାଳା ଦାସ ଓ ରୀତା ବାରିକ ଏକ ୭ ଜଣିଆ ପ୍ରତିନିଧି ଦଳ ପୀଡ଼ିତାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ନିଶ୍ଚିତ ଭାବେ ଦୋଷୀକୁ ଏକ ଦୃଷ୍ଟାନ୍ତ ମୂଳକ ଦଣ୍ଡ ପ୍ରଦାନ କରିବା ସପକ୍ଷରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ପଦକ୍ଷେପ ନିଆଯିବ । ପୀଡ଼ିତାଙ୍କ ପରିବାରକୁ ଆଇନଗତ ସହ ବିଭିନ୍ନ ଦିଗରେ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ ପାଇଁ ଚାପ ପକାଯିବ ବୋଲି ପରିବାର ସଦସ୍ୟଙ୍କୁ ବୁଝାଇଥିଲେ । ତାପରେ ପ୍ରତିନିଧି ଦଳ ଧର୍ଷଣ ହୋଇଥିବା ସ୍ଥାନକୁ ଯାଇ ସର୍ଜମିନ ତଦନ୍ତ କରିଥିଲେ । ସେହି ସ୍ଥାନଟିର ପୂର୍ବପକ୍ଷ ମଞ୍ଚେଶ୍ୱର ଥାନା ଓ ଦକ୍ଷିଣ ପଶ୍ଚିମ ଚନ୍ଦ୍ରଶେଖରପୁର ଥାନା ଓ ଉତ୍ତରରେ ଇନ୍ଫୋସିଟି ଥାନା । ଧର୍ଷଣ ସ୍ଥାନଟି ରେଳବାଇ ଥାନା ଅଞ୍ଚଳରେ ଆସୁଛି । ଏଣୁ ସୀମା ବିବାଦ କରି ପୋଲିସ୍ ଟାଳଟୁଳ ନୀତି କରୁଥିବାରୁ ଏଠାରେ ପେଟ୍ରୋଲିଂ କରିପାରୁ ନାହିଁ । ଏ ଅଞ୍ଚଳରେ ଖୋଲା ବଜାରରେ ନିଶା ବେପାର କରାଯାଉଛି । ଏଣୁ ଏଠାରେ ଆଉଟପୋଷ୍ଟ ସ୍ଥାପନ କରିବା, ଷ୍ଟେସନ ଅଞ୍ଚଳରେ ସିସିଟିଭି ଲଗାଇବା ପାଇଁ ତୁରନ୍ତ ଧ୍ୟାନ ଦେବା ପାଇଁ ସରକାରଙ୍କୁ ବରଷ୍ଠ ନାରିନେତ୍ରୀ ରଶ୍ମୀ ମହାପାତ୍ର ଚେତେଇବା ସହ ସରକାର ହକି ଓ ବଡ଼ ବଡ଼ ଇଭେଣ୍ଟ ଆୟୋଜନ କରି ନିଜର ତଥା ନିଜ ଦଳ ବିଜେଡିର ପ୍ରଚାର ପ୍ରସାର କରୁଥିବା ସମୟରେ ଓଡ଼ିଶାର ମହିଳା ଓ ଶିଶୁ ଆଜି ଅସୁରକ୍ଷିତ ଓ ପୀଡ଼ିତ ବୋଲି କଟାକ୍ଷ କରିଥିଲେ । ଏହା ଏକ ଲଜ୍ଜାଜନକ ପରିସ୍ଥିତି । ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଥିବାବେଳେ ଗୃହ ବିଭାଗ ପୋଲିସ୍ର ଖାମଖିଆଲ ନୀତି ଜଣକୁ ଧରି ତାକୁ ମୁଖ୍ୟ ଆସାମୀ ବୋଲି କହି ଖସିଯିବାକୁ ଚେଷ୍ଟା କରୁଛି । ଧର୍ଷଣରେ ଦୁଇଜଣ ସାମିଲ ଥିବା ଅବସ୍ଥାରେ ପୋଲିସ୍ କାହାକୁ ମୁଖ୍ୟ କାହାକୁ ସାହାଯ୍ୟକାରୀ କହୁଛି ଏହା ଏକ ହାସ୍ୟସ୍ପଦ କଥା । ଏଣୁ ତୁରନ୍ତ ଆସାମୀକୁ ଧରି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସଭାନେତ୍ରୀ ମହାନ୍ତି ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.