ହରିଶଙ୍କର ଦୁର୍ଘଣଟଣା ମାମଲା, “ବିଜେଡି ନେତାଙ୍କୁ ପୁଲିସର ଅହେତୁକ ଅନୁକମ୍ପା” !!
ବଲାଙ୍ଗିର,(ଯତୀନ୍ଦ୍ର ନନ୍ଦ) ଏକ ଦୁର୍ଘଟଣା ମାମଲାକୁ ନେଇ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରଖୋଲ ପୁଲିସ ହରଡ ଘଣାରେ ପଡିଛି । ଦୁର୍ଘଟଣା ଘଟାଇଥିବା ପିକଅପ୍ ଗାଡିର ମାଲିକ ଜଣେ ବିଜେଡି ନେତା ହୋଇଥିବାରୁ ମାମଲାକୁ ହାଲୁକା କରିବା ସହ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଛାଡି ଅନ୍ୟ ଜଣେ ଡ୍ରଇଭରର କାଗଜପତ୍ର ବ୍ୟବହାର କରି ତାକୁ ପି.ଆର ବଣ୍ଡ ରେ ଛାଡି ଦେଇଥିବାର ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ ଚଳିତ ମାସ ଗତ ୨ ତାରିଖ ଖପ୍ରାଖୋଲ ବ୍ଲକ ଝାଙ୍କରପାଲି ଗ୍ରାମର ସୁବଳ ବାଗ ଓ ଅନ୍ତ ବାଗ ଦୁହେଁ ନିଜ ବାଇକ (ଓଡି ୦୩ ଡବ୍ଲୁ ୦୪୧୫)ରେ ଖପ୍ରାଖୋଲ ପଟରୁ ନିଜ ଘରକୁ ଦିନ ୨ଟା ସମୟରେ ଫେରୁଥିବା ବେଳେ ହରିଶଙ୍କର ପଟୁ ଦୃତ ଗତିରେ ଫେରୁଥିବା ଏକ ମହିନ୍ଦ୍ରା ବୋଲେରୋ ପିକଅପ୍ (ଓଡି ୦୩ ୟୁ ୬୮୨୬) ହରିଶଙ୍କର ଛକ ନିକଟରେ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ୨ଜଣ (ସୁବଳ ବାଗ ଓ ଅନ୍ତ ବାଗ)ଙ୍କୁ ଗଭୀର ଆଘାତ ଲାଗିଥିଲା । ଆହତ ଦ୍ୱୟଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଅପରପଟେ ଦୁର୍ଘଟଣା ଘଟାଇଥିବା ମହିନ୍ଦ୍ରା ପିକଅପ୍ ବୋଲେରୋ ଗାଡ଼ି ନିକଟବର୍ତ୍ତୀ ରାସ୍ତା କଡରେ ଥିବା ଖପ୍ରାଖୋଲ ଥାନାକୁ ଯାଇ ପଶି ଯାଇଥିଲା । ପ୍ରକାଶ ଥାଉକି, ଉକ୍ତ ସମୟରେ ଗାଡିଟିକୁ ଚକା ଦାସ ଚଳାଉଥିଲା ଏବଂ ଗାଡି ମାଲିକ ବଲାଙ୍ଗିର ସହରର ଜଣେ ଜଣାଶୁଣା ବିଜେଡି ନେତା ଧୃବ ଜୁଏଡ ଓ ତାଙ୍କ ଫଳ ଗୋଦାମରୁ ହିଁ ଫଳ ନେଇ ଗାଡିଟି ହରିଶଙ୍କରକୁ ଛାଡିବାକୁ ଯାଇଥିଲା ବୋଲି ଜଣାଯାଇଛି । ଏହି ଘଟଣାରେ ଖପ୍ରାଖୋଲ ପୁଲିସ ବିଜେଡି ନେତା ଓ ଡ୍ରାଇଭରକୁ ସୁରକ୍ଷା ଦେବାକୁ ଯାଇ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବାକୁ ପଛାଇ ନାହିଁ । ଏହି ଘଟଣାକୁ ନେଇ ଅନ୍ତ ବାଗ ଖପ୍ରାଖୋଲ ଥାନାରେ ଡ୍ରାଇଭର ନାମରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ କେସ ନମ୍ବର ୦୧ ତା.୦୨/୦୧/୨୦୨୩ରେ ପଜିଂକୃତ ହୋଇଛି । କିନ୍ତୁ ମାମଲାରେ ପୁଲିସ ଚକା ଦାସ ବଦଳରେ ଶ୍ରୀକାନ୍ତ ଦାସ ଙ୍କ ନାମରେ ମାମଲା ରୁଜୁ କରିଥିବା ଦେଖିବାକୁ ମିଳିଛି । ଏପରିକି ଥାନାରେ ନିଜେ ଚକା ଦାସ ଥାନା ଅଧିକାରୀଙ୍କ ସମ୍ମୁଖରେ ଶ୍ରୀକାନ୍ତ ଦାସଙ୍କ ନାମରେ ଦସ୍ତଖତ ଦେବା ସହ ଶ୍ରୀକାନ୍ତ ଦାସଙ୍କ ନାମରେ ଥିବା ଜାଲ କାଗଜପତ୍ର ଦେଇ ପି.ଆର ବଣ୍ଡରେ ଯାଇଥିବା ଜଣାଯାଇଛି ।
ଏ ସମ୍ପର୍କରେ ଖପ୍ରାଖୋଲ ଥାନା ମୁଖିଆ ଅଧିକାରୀ ରମାକାନ୍ତ ସାହୁଙ୍କ କହିବା ମତେ ହେଲା ଆମେ ଠିକ୍ ଭାବେ ଜାଣି ପରିଲୁ ନାହିଁ ଏବଂ ଆଇ.ଡି.ପୃଫ୍ ଠିକ୍ ଭାବେ ଦେଖି ନଥିବାରୁ ଏଭଳି ଭୁଲ ହୋଇଥାଇ ପାରେ ବୋଲି ପରୋକ୍ଷରେ ସ୍ୱୀକାର କରିବା ସହ ଗାଡି ଏବେ ବି ପୁଲିସର ହିପାଜତରେ ଥିବା ପ୍ରକାଶ କରିଛନ୍ତି । ସେହିପରି ବିଜେଡି ନେତା ଧୃବ ଜୁଏଡଙ୍କ କହିବା ହେଲା ମୁଁ ଖପ୍ରାଖୋଲ ଥାନାକୁ ଯାଇଥିଲି ମୋ ଡ୍ରାଇଭରର ନାମ ଚକା ଦାସ । ସେ ହିଁ ଗାଡି ଚଳାଉଥିଲା ଏବଂ ସେହିଁ ଦୁର୍ଘଟଣା କରିଛି। ତାର ଭଲ ନାଁ ଶ୍ରୀକାନ୍ତ ଦାସ ହୋଇଥାଇ ପାରେ ବୋଲି କହିଛନ୍ତି ।ଆହୁରି ମଧ୍ୟ କହିଛନ୍ତିକି,ଦୁର୍ଘଟଣା ପରେ ସେ ମୋ ପାଖରେ ଆଉ କାମ କରୁ ନାହିଁ ବୋଲି। ତେବେ ଏହା ଚିନ୍ତାଜନକ ବୋଲି ବୁଝାପଡେ! ଏଠାରେ ଉଲ୍ଲେଖ ଯୋଗ୍ୟ କି,ଖପ୍ରାଖୋଲ ଥାନା ଅଧିକାରୀ ଏକ ଦୁର୍ଘଟଣା ମାମଲାକୁ ରଫାଦଫା କରିବା ପାଇଁ ଜଣେ ବିଜେଡି ନେତାଙ୍କୁ ବଞ୍ଚାଇବା ଓ ଦୁର୍ଘଟଣା ଘଟାଇଥିବା ଗାଡିକୁ ଛାଡିବା ପାଇଁ ନାନା ଜାଲିଆତି ର ଆଶ୍ରୟ ନେଇ ପାରୁଛନ୍ତି ତାହାହେଲେ ଅନ୍ୟାନ ଦୁର୍ଘଟଣା ବା ଅନ୍ୟାନ୍ୟ ମାମଲା କିଭଳି ଭାବେ ମାମଲାକୁ ପରିଚାଳନା କରୁଥିବେ ସେ ନେଇ ସାଧାରଣରେ ଚର୍ଚ୍ଚା ଜୋର ହେଉଛି।
ଅତଏବ,ସାଧାରଣ ଜନତାଙ୍କର ବିଶ୍ୱାସ ପୁଲିସ ବିଭାଗ ଉପରୁ ତୁଟିଯିବା ଆଗରୁ ବଲାଙ୍ଗିର ଏସ୍ପି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସର୍ବ ସାଧାରଣରେ ଦାବୀ ହଉଛି ।