୨୦୨୨ରେ ଜଳସମ୍ପଦ ବିଭାଗର ସଫଳତା: ୧୭ଟି ଅନ୍ତଃ ନଦୀ ଜଳାଶୟ (ଇନଷ୍ଟ୍ରିମ ଷ୍ଟୋରେଜ୍ ଷ୍ଟ୍ରକଚର)-ନୂଆ ପ୍ରକଳ୍ପର କାର୍ଯ୍ୟାରମ୍ଭ ।

0 2
  •   ୯,୮୨୫ ଟି ଜଳାଶୟର ପୁନରୁଦ୍ଧାର

  •  ସଂପୃକ୍ତ ବିଭିନ୍ନ ବିଭାଗ ସହଯୋଗରେ ୪୫,୮୨୩ ଟି ଜଳ ସଂରକ୍ଷଣ ସଂରଚନା(ଷ୍ଟ୍ରକଚର) ଓ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ

ଭୁବନେଶ୍ୱର : ବିଦାୟୀ ୨୦୨୨ ବର୍ଷରେ ଜଳସଂପଦ ବିଭାଗର ବିଭିନ୍ନ କାର୍ଯ୍ୟ ସଫଳତା ମଧ୍ୟରେ ରହିଛି ଅନ୍ତଃନଦୀ ଜଳାଶୟ(ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର)-ନୂଆ ପ୍ରକଳ୍ପ ନିର୍ମାଣ । ଜଳବାୟୁବର୍ତ୍ତନ ଫଳରେ ଅନିୟମିତ ବର୍ଷା ଯୋଗୁଁ ଆବଶ୍ୟକ ସମୟରେ ଜଳର ଉପଲବ୍ଧତାକୁ ଲକ୍ଷ୍ୟ ରଖି ଭୁପୃଷ୍ଟ ଜଳ ଏବଂ ବିଭିନ୍ନ ନଦୀରେ ପ୍ରବାହିତ ଜଳକୁ ସଂରକ୍ଷଣ କରି ରଖିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦନ ଲାଭ କରିଥିବା ଅନ୍ତଃ ନଦୀ ଜଳାଶୟ ମଧ୍ୟରୁ ୨୦୨୨ରେ ଜଳ ସଂପଦ ବିଭାଗ ତରଫରୁ  ୧୭ଟି ପ୍ରକଳ୍ପର କାର୍ଯ୍ୟାରମ୍ଭ କରାଯାଇଛି । ଏହି ଅନ୍ତଃନଦୀ ଜଳାଶୟ ନିର୍ମାଣ ଦ୍ଵାରା ଜଳ ସଂରକ୍ଷଣ ସହିତ ଅଂଚଳରେ ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ଘଟିବ । ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ମଧ୍ୟରେ ରହିଛି ନୂଆପଡା ଜିଲ୍ଲାର ନନ୍ଦଗାଁ, ବଲାଙ୍ଗୀରର ଗୁଡଭେଲା, ସମ୍ବଲପୁରର ଗୋଛରା, କିରା ଶାସନ ଓ ବୁଢାରଜା, ବରଗଡ ଜିଲ୍ଲାର ମହୁଲପାଲି,ସୁନ୍ଦରଗଡ ଜିଲ୍ଲାର କୁଦବେଗା, କୋପସିଙ୍ଗା, ଝାରବେଡା ଓ ହାମିରପୁର,ଖୋର୍ଦ୍ଧା ଜିଲ୍ଲାର କୁଆଖାଇ ଓ କୁଶଭଦ୍ରା, ଗଞ୍ଜାମ ଜିଲ୍ଲାରେ ଧନେଇ ଓ  କଂସାରୀଗଣ୍ଡ, ଅନୁଗୋଳ ଜିଲ୍ଲାର ଶ୍ରୀଗିଡା ଓ ଖାଲପାଲ,ଯାଜପୁର ଜିଲ୍ଲାରେ କୋଚିଲା ଓ ବୈତରଣୀରେ ସମନ୍ୱିତ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ।
ଏହା ବ୍ୟତୀତ ଜଗତସିଂହପୁର ଜିଲ୍ଲାରେ ଚୌଧୁରୀଗଡା-ଟିକିରି, କେନ୍ଦୁଝର ଜିଲ୍ଲାରେ ତେଲକୋଇ ଓ ସନ୍ତେଇଭଞ୍ଜ, ସୁନ୍ଦରଗଡ ଜିଲ୍ଲାରେ କିଞ୍ଜିରିମା ଏବଂ ସମ୍ବଲପୁରର ସଇଦା ଠାରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସଂପୂର୍ଣ୍ଣ କରାଯାଇଛି । ତତ୍ ସହିତ ୪ଟି କ୍ଲଷ୍ଟରରେ ୪୦ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି, ଯଦ୍ଦ୍ୱାରା  ୫୭,୭୯୩  ହେକ୍ଟର ଅଞ୍ଚଳକୁ ଜଳସେଚନ ସୁବିଧା ହୋଇପାରିବ ।
ସେହିପରି ଗତବର୍ଷ ୨୯ମାର୍ଚ୍ଚରୁ ୧୬ ଡିସେମ୍ବର ମଧ୍ୟରେ “ଜଳ ଶକ୍ତି ଅଭିଯାନ”ରେ ଜଳ ସମ୍ପଦ ବିଭାଗ ସହ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ,କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ସମ୍ପୃକ୍ତ ଜିଲ୍ଲା ପ୍ରଶାସନର ସହଯୋଗରେ ରାଜ୍ୟରେ ୪୫,୮୨୩ଟି ଜଳ ସଂରକ୍ଷଣ ସଂରଚନା (ଷ୍ଟ୍ରକ୍ଚର) ଓ ବର୍ଷା ଜଳ ଅମଳ ପ୍ରକଳ୍ପ ଶେଷ କରାଯାଇଥିବା ବେଳେ ୯,୮୨୫ଟି ଜଳାଶୟର ପୁନରୁଦ୍ଧାର କରାଯାଇଛି ।  ୯,୬୧୨ଟି ପୁନଃ ବ୍ୟବହାର ଓ ଜଳଭରଣ ବ୍ୟବସ୍ଥା ସଂପୂର୍ଣ୍ଣ କରାଯାଇଛି । ୫୯,୮୬୭ଟି ଜଳଛାୟା ପ୍ରକଳ୍ପର ଉନ୍ନତିକରଣ କରାଯାଇଥିବା ସ୍ଥଳେ ବ୍ୟାପକ ସାମାଜିକ ବନୀକରଣ କାର୍ଯ୍ୟକ୍ରମରେ ୮କୋଟି ୨ଲକ୍ଷ ୧୨ ହଜାର ୭୮୯ଟି ବୃକ୍ଷ ଚାରା ରୋପଣ  କରାଯାଇଛି । ଜଳ ପରିଚାଳନା ଏବଂ ଜଳର ସୁବ୍ୟବହାର ଆଦି ସଂପର୍କିତ ୫୪ଟି ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

Leave A Reply

Your email address will not be published.